ପାରାଦ୍ୱୀପ : ଭାରତ ବିଦେଶକୁ ଚାଉଳ ରପ୍ତାନୀ କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶର ପୂର୍ବାଞ୍ଚଳ କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଦେଶକୁ ଅଣ ବାସୁମତୀ କିଷମର ଚାଉଳ ରପ୍ତାନୀ ଆରମ୍ଭ କରାଯାଇଛି। ସୋମବାର ପାରାଦ୍ୱୀପ ବନ୍ଦରର ଅନ୍ତରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ (ପିଆସିଟି)ରୁ ଭିଏତନାମକୁ ପଠାଯିବା ନିମନ୍ତେ ଏକ ଜାହାଜରେ ବୋଝେଇ କରାଯାଇଛି।
ପାରାଦ୍ୱୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଏଠାରୁ ଅଣ ବାସୁମତୀ କିଷମର ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ସାରଳା ଫୁଡ଼ସ୍ ଗ୍ରୁପ ପକ୍ଷରୁ ୨୦ଟି କଣ୍ଟେନରରେ ଏହି ଚାଉଳ ବୋଝେଇ କରାଯାଇଛି ଏବଂ ଆଗାମୀ ତିନି ମାସ ମଧ୍ୟରେ ଆଉ ୫୦୦ଟି କଣ୍ଟେନରରେ ଏଭଳି କିଷମର ଚାଉଳ ବୋଝେଇ ହୋଇ ପିଆସିଟିରୁ ଭିଏତନାମ ପଠାଯିବାର ଯୋଜନା ରହିଛି।
ଏହି ଚାଉଳ ରପ୍ତାନୀ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ (ଆପେଡା)ର ଏକ ସଦସ୍ୟ ରପ୍ତାନୀକାରୀ ସାରଳା ଫୁଡ଼ ପକ୍ଷରୁ ମଙ୍ଗଳବାର ଦିନ ଭିଏତନାମର ହାଇ ଫୋଙ୍ଗ୍ ବନ୍ଦରକୁ ପଠାଯିବ।
“ପିଆଇସିଟି ମାଧ୍ୟମରେ ଏଭଳି ଚାଉଳ ରପ୍ତାନୀ କରାଯିବା ଦ୍ୱାରା ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କୁ ଭାରତର ଅଣ ବାସୁମତୀ କିଷମର ଚାଉଳ ରପ୍ତାନୀ କ୍ଷମତା ବୃଦ୍ଧି ପାଇବ ଏବଂ ଏହା ଓଡ଼ିଶା ତଥା ପ୍ରତିବେଶୀ ରାଜ୍ୟମାନଙ୍କର ପ୍ରାୟ ଦୁଇ ଲକ୍ଷ ଚାଷୀଙ୍କୁ ଉପକୃତ କରାଇବ।” ବୋଲି ଏହି ମାଲ ବୋଝେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ ଆପେଡାର ଅଧ୍ୟକ୍ଷ ଡକ୍ଟର ଏମ୍. ଅଙ୍ଗମୁଥୁ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଆପେଡାର ସାଧାରଣ ପରିଚାଳକ ଏସ. ଏସ ନାୟାର, ଉପ ସାଧାରଣ ପରିଚାଳକ ବିନିତା ସୁଧାଂଶୁ, ସାରଳା ଫୁଡସ୍ ଗ୍ରୁପର ପ୍ରମୋଟର ପ୍ରତିଷ୍ଠାତା ବିଦୋନ ଅଗ୍ରୱାଲ, ଟିଆରଇଏର ଅଧ୍ୟକ୍ଷ, ଶ୍ରୀ ବି.ଭି କ୍ରିଷ୍ଣା ରାଓ, ଟିଆରଇଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜୀବ କୁମାର, ପିଆସିଟିର ଉପାଧ୍ୟକ୍ଷ ତଥା ଟର୍ମିନାଲ ମୁଖ୍ୟ କ୍ୟାପଟେନ ସୁଦୀପ ବାନାର୍ଜୀ ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା, ଶିଳ୍ପ ଓ ରପ୍ତାନୀ ପ୍ରୋତ୍ସାହନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଭଣ, ପୋର୍ଟ ଅଫିିସର, ପି.କ୍ୟୁ ଅଧିକାରୀ ତଥା ବାଣିଜ୍ୟ ଓ ଶ୍ରମ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
୨୦୨୦-୨୧ ମସିହାର ଏପ୍ରିଲ- ଫେବୃଆରୀ ଅବଧି ମଧ୍ୟରେ ଦେଶରୁ ଅଣୁ ବାସୁମତୀ କିଷମର ଚାଉଳ ରପ୍ତାନୀ କ୍ଷେତ୍ରରେ ବେଶ୍ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୨୧ ଏପ୍ରିଲ-ଫେବୃଆରୀ ସମୟ ମଧ୍ୟରେ ଦେଶରୁ ମୋଟ ୩୦,୨୭୭ କୋଟି ଟଙ୍କା (୪୦୮୬ ନିୟୁତ ଆମେରିକୀୟ ଡଲାର) ମୂଲ୍ୟର ଅଣ ବାସୁମତୀ କିଷମର ଚାଉଳ ରପ୍ତାନୀ ହୋଇଛି। ୨୦୨୦ ଏପ୍ରିଲ-ଫେବୃଆରୀ ସମୟ ମଧ୍ୟରେ ଏହାର ପରିମାଣ ୧୩,୦୩୦ କୋଟି ଟଙ୍କା (୧୮୩୫ ନିୟୁତ ଆମେରିକୀୟ ଡଲାର) ଥିଲା।
ଭାରତର କାକିନାଡ଼ା, ବିଶାଖାପଟ୍ଟନମ୍, ଚେନ୍ନାଇ, ମୁନ୍ଦ୍ରା ଓ କ୍ରିଷ୍ଣା ପଟ୍ଟନମ୍ ଆଦି ବନ୍ଦରରୁ ଆଫ୍ରିକୀୟ ଓ ଏସୀୟ ରାଷ୍ଟ୍ରମାନଙ୍କୁ ଅଣ ବାସୁମତୀ କିଷମର ଚାଉଳ ରପ୍ତାନୀ କରାଯାଇଥାଏ। ଖୁବ୍ ଶୀଘ୍ର ପାରାଦ୍ୱୀପ ଅଣ ବାସୁମତୀ ଚାଉଳ ରପ୍ତାନୀ କ୍ଷେତ୍ରରେ ଦେଶର ଏକ ପ୍ରମୁଖ ବନ୍ଦରରେ ପରିଣତ ହେବ ବୋଲି ଆପେଡାର ଅଧ୍ୟକ୍ଷ ଶ୍ରୀ ଅଙ୍ଗମୁଥୁ କହିଛନ୍ତି।
ବିଶେଷ କରି ଏହି ପର୍ଯ୍ୟାୟରେ ଚାଉଳ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ମାତ୍ରାଧିକ ଅଭିବୃଦ୍ଧି ଯେତେବେଳେ କି କୋଭିଡ଼-୧୯ ବୈଶ୍ୱିକ ମହାମାରୀ ଯୋଗୁ ସର୍ବତ୍ର ବିଭିନ୍ନ ସାମଗ୍ରୀର ଯୋଗାଣ ଚେନ୍ ବ୍ୟାହତ ହୋଇଛି, ସେତେବେଳେ ସରକାରଙ୍କ ପକ୍ଷରୁ ଚାଉଳ ରପ୍ତାନୀ ଦିଗରେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ବେଶ୍ ପ୍ରଶଂସନୀୟ। ଏଭଳି ରପ୍ତାନୀ ପ୍ରକ୍ରିୟାରେ ସକଳ ପ୍ରକାର କୋଭିଡ଼ ୧୯ ସଂପର୍କୀତ ନିରାପତ୍ତା ସତର୍କତା ଅବଲମ୍ବନ କରାଯାଇଛି ବୋଲି ଶ୍ରୀ ଅଙ୍ଗମୁଥୁ କହିଛନ୍ତି।
ସେ କହିଛନ୍ତି, “ଆମେ ନିରାପତ୍ତା ତଥା ପୌଷ୍ଟିକତା ଦିଗରେ ଅନେକ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛୁ। କାରଣ ଅପରେସନାଲ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଅସୁବିଧା କୋଭିଡ଼-୧୯ ଯୋଗୁ ବୃଦ୍ଧି ପାଇଛି। ତେଣୁ ଚାଉଳ ରପ୍ତାନୀ କାର୍ଯ୍ୟ ଯେଭଳି ଅବ୍ୟାହତ ରହିବ ସେଥିପାଇଁ ଆମେ ସବୁ ପ୍ରକାର ସତର୍କତା ଅବଲମ୍ବନ କରିଛୁ” ବୋଲି ସେ କହିଛନ୍ତି।



