ଜର୍ମାନୀକୁ ୬-୩ରେ ହରାଇ ଭାରତ ଶୀର୍ଷରେ

ରାଉରକେଲା : ଓଡ଼ିଶାରେ ଗତ ବିଶ୍ବକପ୍‌ର ନିରାଶା ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୨-୨୩ରେ ଭୁଲାଇ ଦେଇଛି ଭାରତୀୟ ପୁରୁଷ ହକି ଦଳ। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ପ୍ରୋ ଲିଗ୍‌ରେ ଭାରତୀୟ ଦଳ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ୩ଟିଯାକ ମ୍ୟାଚ୍‌ରେ ବିଜୟୀ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଦେଢ଼ମାସ ତଳେ ଓଡ଼ିଶା ମାଟିରେ ବିଶ୍ବ ଚମ୍ପିଆନ୍ ହୋଇଥିବା ଜର୍ମାନୀ ଦଳକୁ ୨ଟିଯାକ ମ୍ୟାଚ୍‌ରେ ଭାରତ ପରାସ୍ତ କରିଛି। ଗତ ୧୦ରେ ଏଠାରେ ଜର୍ମାନୀକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ସୋମବାର ଜର୍ମାନୀ ବିପକ୍ଷରେ ୨ୟ ମ୍ୟାଚ୍‌କୁ ୬-୩ ଗୋଲ୍‌ର ବଡ଼ ବ୍ୟବଧାନରେ ଜିତିବାରେ ସଫଳ ହୋଇଛି। ଭାରତୀୟ ଯୁବ ଫରୱାର୍ଡ ବାହିନୀ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଛନ୍ତି। ଭାରତର ଏହି ବିଜୟରେ ଦୁଇ ଯୁବ ଖେଳାଳି କାର୍ତ୍ତି ସେଲ୍‌ଭାମ୍ ଓ ଅଭିଷେକ ୨ଟି ଲେଖାଏଁ ଗୋଲ୍‌ ଦେଇ ଦଳର ବିଜୟରେ ହିରୋ ସାଜିଛନ୍ତି। ଏହାକୁ ମିଶାଇ ଭାରତ ୭ଟି ମ୍ୟାଚ୍‌ରୁ ୫ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ବିଜୟ ଓ ଗୋଟିଏ ପରାଜୟ ସହ ୧୭ ପଏଣ୍ଟ ପାଇ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ବୁଧବାର ୮ମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।
ପ୍ରଥମ ମ୍ୟାଚରେ ବିଶ୍ବ ବିଜେତା ଜର୍ମାନୀକୁ ପରାସ୍ତ କରିଥିବା ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଘରୋଇ ଭାରତ ସୋମବାର ଚମ୍ପିଆନ୍ ଦଳ ପରି ଖେଳିଥିଲା। ହେଲେ ପ୍ରଥମ ଗୋଲ୍‌ ଦେଇଥିଲା ଜର୍ମାନୀ। ୩ୟ ମିନିଟରେ ହରମନପ୍ରୀତ ସିଂହଙ୍କ ପାଦରେ ବଲ୍‌ ବାଜିବାରୁ ଜର୍ମାନୀକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଟମ୍ ଗ୍ରାମ୍‌ବୁସ୍‌ ଗୋଲ୍‌ ସ୍କୋର୍‌କରି ଦଳକୁ ଆଗୁଆ କରିଥିଲେ। ଏହି ଗୋଲ୍‌ ପରେ ଭାରତ ଅଧିକ ସଂଗଠିତ ହୋଇ ଆକ୍ରମଣ କରିଥିଲା। ଜର୍ମାନୀ ମଧ୍ୟ କିଛି ଗୋଲ୍‌ ଅଭିମୁଖୀ ଆକ୍ରମଣ କରିଥିଲା। ହେଲେ ପ୍ରଥମ କ୍ବାର୍ଟର ସରିବା ପର୍ଯ୍ୟନ୍ତ ଆଉ ଗୋଲ୍‌ ହୋଇନଥିଲା। ୧୭ ମିନିଟ​‌େ​‌ର ଜର୍ମାନୀର କୌଫ୍‌ମାନଙ୍କ ଗୋଲ୍‌ ଅଭିମୁଖୀ ସଟ୍‌କୁ ଭାରତୀୟ ଗୋଲ୍‌ରକ୍ଷକ ପି.ଆର୍. ଶ୍ରୀଜେଶ ରୋକି ଦେଇଥିଲେ। ୧୯ ମିନିଟରେ ସୁମିତ ସହଜ ସୁଯୋଗ ପାଇ ମଧ୍ୟ ଗୋଲ୍‌ ସ୍କୋର୍ କରି ପାରିନଥିଲେ। ଏହାପରେ ଯେପରି ଗୋଲ୍‌ ବର୍ଷା ଦେଖିବାକୁ ମିଳିଥିଲା। ୪ ମିନିଟ ମଧ୍ୟରେ ୪ଟି ଗୋଲ୍‌ ହେବାରୁ ଦର୍ଶକଙ୍କ ମଧ୍ୟରେ ଶିହରଣ ସୃଷ୍ଟି ହୋଇଥିଲା। ୨୧ ମିନିଟରେ ଜର୍ମାନୀ ଡିଫେଣ୍ଡର ଜିଗ୍‌ୱିଗ୍‌ଙ୍କ ପାଦରେ ବଲ୍‌ ବାଜିବାରୁ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଯୁଗରାଜ ସିଂହଙ୍କ ଶକ୍ତିଶାଳୀ ସଟ୍‌ ଜର୍ମାନୀ ଗୋଲ୍‌ରକ୍ଷକଙ୍କୁ ପରାସ୍ତ କରିଥିଲା। ପରବର୍ତ୍ତୀ ମିନିଟରେ ଗୋଲ୍‌ ସ୍କୋର୍‌କରି ଭାରତ ଆଗୁଆ ହୋଇ ଯାଇଥିଲା। ବଲ୍‌କୁ କ୍ଲିୟର କରିବା ପାଇଁ ଭାରତୀୟ ଗୋଲ୍‌ରକ୍ଷକ ପି.ଆର୍. ଶ୍ରୀଜେଶ ଲମ୍ବା ସ୍କୁପ୍ ମାରିଥିଲେ। ହେଲେ ବଲ୍‌କୁ ଜର୍ମାନୀ ଡିଫେଣ୍ଡର ନିୟନ୍ତ୍ରଣକୁ ନେଇ ପାରିନଥିଲେ। ଫଳରେ ବଲ୍‌ ପାଇଥିଲେ ଭାରତୀୟ ଫରୱାର୍ଡ ଅଭିଷେକ। ଏଥରୁ ଅଭିଷେକ ଭାରତ ପାଇଁ ୩ୟ ଗୋଲ୍‌ ଦେଇଥିଲେ। ୨୩ ମିନିଟରେ ଭାରତର ମନପ୍ରୀତ ସିଂହଙ୍କ ପାଦରେ ବଲ୍‌ ବାଜିବାକୁ ଜର୍ମାନୀକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଜର୍ମାନୀର ବିଶ୍ବପ୍ରସିଦ୍ଧ ଡ୍ରାଗ୍‌ଫ୍ଲିକର ଗୋଞ୍ଜାଲୋ ପେଇଲାଟ୍‌ ଗୋଲ୍‌ ଦେଇ ସ୍କୋର୍‌କୁ ୨-୨ କରିଥିଲେ। ହେଲେ ୨୪ ମିନିଟରେ ଭାରତ ପୁଣି ଆଗୁଆ ହୋଇ ଯାଇଥିଲା। ଗୁରଜାନ୍ତ ସିଂହଙ୍କଠାରୁ ପାସ୍‌ ପାଇ କାର୍ତ୍ତି ସେଲ୍‌ଭାମ୍‌ ଭାରତ ପାଇଁ ୩ୟ ଗୋଲ୍‌ ସ୍କୋର୍‌ କରିଥିଲେ। ୨୬ ମିନିଟରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଜୋର୍‌ଦାର ହିଟ୍‌ ମାରି ଜର୍ମାନୀ ଗୋଲ୍‌ରକ୍ଷକ ଷ୍ଟାଡ୍‌ଲରଙ୍କୁ ପରାସ୍ତକରି ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଘରୋଇ ଦଳ ପାଇଁ ୪ର୍ଥ ଗୋଲ୍‌ ଦେଇଥିଲେ। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଟୁର୍ଣ୍ଣାମେଣ୍ଟରେ ଏହା ହରମନପ୍ରୀତଙ୍କ ୧୧ଶ ଗୋଲ୍‌ ଥିଲା। ପ୍ରଥମାର୍ଦ୍ଧର ଶେଷଆଡ଼କୁ ଭାରତୀୟ ଗୋଲ୍‌ରକ୍ଷକ ଶ୍ରୀଜେଶ ଏକ ନିଶ୍ଚିତ ଗୋଲ୍‌ ବଞ୍ଚାଇ ଦେଇଥିଲେ।
ମଧ୍ୟାନ୍ତର ସୁଦ୍ଧା ଭାରତ ୪-୨ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟରେ ଜର୍ମାନୀ ଗୋଲ୍‌ ଦେଇଥିଲା। କୌଫ୍‌ମ୍ୟାନ୍‌ଙ୍କଠାରୁ ପାସ୍‌ ପାଇ ହେଲ୍‌ୱିଗ୍‌ ଗୋଲ୍‌ ଦେଇଥିଲେ। ୩୮ ମିନିଟରେ ଭାରତୀୟ ଡିଫେଣ୍ଡର ତଥା ଓଡ଼ିଆ ଖେଳାଳି ନୀଲମ୍ ସଞ୍ଜୀପ ଖେସ୍‌ଙ୍କ ତ୍ରୁଟିରୁ ଜର୍ମାନୀ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ହେଲେ ଗୋଞ୍ଜାଲୋ ପେଇଲାଟ୍‌ଙ୍କ ସଟ୍‌କୁ ଭାରତୀୟ ଗୋଲ୍‌ରକ୍ଷକ ପୱନ ରୋକି ଦେଇଥିଲେ। ପରେ ପୱନ୍ ପୁଣି ଏକ ଗୋଲ୍‌ ବଞ୍ଚାଇଥିଲେ। ୪୬ ମିନିଟରେ ପ୍ରତିପକ୍ଷ ଖେଳାଳି ଟମ୍ ଗ୍ରାମ୍‌ବୁସ୍‌ଙ୍କ ତ୍ରୁଟିରୁ ବଲ୍‌ ପାଇ କାର୍ତ୍ତି ସେଲ୍‌ଭାମ୍ ଭାରତ ପାଇଁ ୫ମ ଗୋଲ୍‌ ଦେଇଥିଲେ। ୫୧ ମିନିଟରେ ସୁଖ୍‌ଜିତ ସିଂହଙ୍କ ପାସ୍‌ରୁ ଅଭିଷେକ ୬ଷ୍ଠ ଗୋଲ୍‌ ଦେଇଥିଲେ। ପରେ ଜର୍ମାନୀ ଗୋଲ୍‌ ସୁଝାଇବା ପାଇଁ ପ୍ରବଳ ପ୍ରୟାସ କରିଥିବା ବେଳେ ଭାରତୀୟ ଡିଫେଣ୍ଡର ସବୁତକ ଉଦ୍ୟମ ପଣ୍ଡ କରି ଦେଇଥିଲେ। କାର୍ତ୍ତି ସେଲ୍‌ଭାମ୍‌ଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।

Comments are closed.