www.samajalive.in
Thursday, December 11, 2025
26.1 C
Bhubaneswar

ମୟୂରଭଞ୍ଜରେ ହାତୀ-ମଣିଷ ଲଢ଼େଇ : ୮ ବର୍ଷରେ ଶତାଧିକ ମୃତ

ବାରିପଦା : ରାଜ୍ୟର ସର୍ବ ବୃହତ୍‌‌ ଜିଲା ମୟୂରଭଞ୍ଜରେ ପରିବ୍ୟାପ୍ତ ବିଶାଳ ଶିମିଳିପାଳ ବନାଞ୍ଚଳରେ ଅନ୍ୟ ଜଙ୍ଗଲ ତୁଳନାରେ ହାତୀଙ୍କ ସଂଖ୍ୟା ଅଧିକ। ଏହି ହାତୀ ଏବେ ବର୍ଷ ସାରା ଜନବସତିମୁହାଁ ହେଉଛନ୍ତି। ସେହିପରି ପଡ଼ୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଜଙ୍ଗଲ କ୍ଷୟ ଯୋଗୁ ସେହି ଅଞ୍ଚଳର ହାତୀ ଖାଦ୍ୟ ଅନ୍ୱେଷଣରେ ମୟୂରଭଞ୍ଜ ଜିଲାକୁ ଆସୁଛନ୍ତି। ତେଣୁ ହାତୀ ଉପଦ୍ରବ ପାଇଁ ଏହି ଜିଲାର ଲୋକ ବର୍ଷ ବର୍ଷ ଧରି ଅନ୍ୟ ଜିଲା ଅପେକ୍ଷା ବେଶି କ୍ଷତି ସହିଆସୁଛନ୍ତି। ହାତୀ ହାବୁଡ଼ରେ ପଡ଼ି ନିରୀହ ଲୋକ ପ୍ରାଣ ହରାଉଥିବାବେଳେ ମୂଲ୍ୟବାନ ଦାନ୍ତ ଲୋଭରେ ଶିକାରୀମାନେ ମଧ୍ୟ ହାତୀ ଶିକାର କରୁଛନ୍ତି। ୨୦୧୪ରୁ ୨୦୨୨ ମସିହା ମଧ୍ୟରେ ଦେଶରେ ହାତୀ ଆକ୍ରମଣରେ ୩ ହଜାର ୯୩୦ ଜଣ ଲୋକଙ୍କର ଜୀବନ ହାନି ଘଟିଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୭୧୯। ଅନ୍ୟ ପକ୍ଷରେ ମୟୂରଭଞ୍ଜ ଜିଲାରେ ରାଜ୍ୟରେ ସର୍ବାଧିକ ୧୦୧ ଜଣଙ୍କର ପ୍ରାଣ ହାନି ଘଟିଛି।
ସେହିପରି ଏହି ସମୟରେ ରାଜ୍ୟରେ ୩୦୭ ହାତୀଙ୍କର ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜରେ ୧ ଶହରୁ ଊର୍ଦ୍ଧ୍ବ ହାତୀଙ୍କର ମୃତ୍ୟୁ ଘଟିଥିବା ବେସରକାରୀ ସୂତ୍ରରୁ ଜଣାଯାଇଛି। ଉଭୟ ମଣିଷ ଓ ହାତୀଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି। ମାତ୍ର ଏହା ସଠିକ କାର୍ୟ୍ୟକାରୀ କରିବାକୁ ଆନ୍ତରିକତାର ଅଭାବ ଓ ଅନେକ ସମୟରେ ଅବାସ୍ତବ ଯୋଜନା ପାଇଁ ସଙ୍କଟ ଗୁରୁତର ହେଉଛି।
୧୯୯୨ ମସିହାରେ ଝାଡଖଣ୍ଡ ହାତୀ ପଶ୍ଚିମବଙ୍ଗ ଦେଇ ମୟୂରଭଞ୍ଜ ଜିଲାର ଶୁଳିଆପଦା ଅଞ୍ଚଳକୁ ଆସିଥିଲେ। ସେହି ସମୟରୁ ୨୦୧୦ ମସିହା ପର୍ୟ୍ୟନ୍ତ ଶୀତ ଦିନେ ଧାନ ଫସଲ ଅମଳ ବେଳେ ଝାଡଖଣ୍ଡ ହାତୀ ଜିଲାର ଦେଉଳି, ରାସଗୋବିନ୍ଦପୁର, ବେତନଟୀ ବନାଞ୍ଚଳ ଦେଇ ବାଲେଶ୍ୱରର କୁଲଡିହା ଜଙ୍ଗଲକୁ ଆସୁଥିବା ଦେଖାଯାଇଥିଲା। ତେବେ ୨୦୧୦ ମସିହା ପରେ ଝାଡଖଣ୍ଡ ହାତୀ ବର୍ଷ ତମାମ ମୟୂରଭଞ୍ଜ ଜିଲାରେ ଡେରା ପକାଇ ରହୁଛନ୍ତି। ପ୍ରଥମେ ବାଣ ଫୁଟାଇ ଓ ବାଜା ବଜାଇ ହାତୀଙ୍କୁ ଘଉଡ଼ାଯାଇଥିଲା। ମାତ୍ର ୨୦୦୦ ମସିହା ପରଠାରୁ କୌଣସି ବ୍ୟବସ୍ଥା ଫଳପ୍ରଦ ହେଉ ନାହିଁ। ଫଳରେ ହାତୀ ଧନ ଜୀବନର ବ୍ୟାପକ କ୍ଷତି କରୁଛନ୍ତି। ଅନ୍ୟ ପକ୍ଷରେ ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ଶିକାର, ଖାଦ୍ୟରେ ବିଷ ଓ ବନାଗ୍ନି ଭଳି ବିଭିନ୍ନ ମନୁଷ୍ୟକୃତ କାରଣ ଯୋଗୁ ହାତୀଙ୍କର ମୃତ୍ୟୁ ଘଟୁଛି। ସେହିପରି ଖଣିଖାଦାନ ଖନନ, ରାସ୍ତା ଓ ରେଳପଥ ନିର୍ମାଣ ପାଇଁ ହାତୀଙ୍କ ବାସ ସ୍ଥାନ, ଯାତାୟାତ, ଖାଦ୍ୟ ସୁଲଭ ଥିବା ଅଞ୍ଚଳ ପ୍ରଭାବିତ ହେଉଥିବାରୁ ସେମାନେ ନିଜ ବାସ ସ୍ଥାନ ଛାଡ଼ି ଜନ ବସତିମୁହାଁ ହେଉଛନ୍ତି। ଝାଡ଼ଖଣ୍ଡ ହାତୀ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ରହୁଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବାରେ ବନ କର୍ମଚାରୀଙ୍କ ସମୟ ବିତୁଛି। ଫଳରେ ସେମାନେ ଜଙ୍ଗଲ ଜଗିପାରୁ ନ ଥିବାରୁ ଶିକାରୀ ଶିମିଳିପାଳରେ ଅବାଧରେ ହାତୀ ଶିକାର କରୁଛନ୍ତି। ହାତୀଙ୍କର ଗତିବିଧି ଉପରେ ନଜର ରଖିବା ଓ ଜନବସତିକୁ ସୁରକ୍ଷିତ ରଖିବା ପାଇଁ ‘ଗଜ ସାଥୀ’ ଯୋଜନା କାର୍ୟ୍ୟକାରୀ ହେଉଛି। ମାତ୍ର ଏହି ଯୋଜନାରେ ସାମିଲ ଯୁବକ ଯୁବତୀଙ୍କୁ ବୈଷୟିକ ତାଲିମ ଦିଆଯାଉ ନାହିଁ କି ପାରିଶ୍ରମିକ ନାହିଁ। ଫଳରେ ସେମାନଙ୍କର କାର୍ୟ୍ୟରେ ନିଷ୍ଠା ବା ଆନ୍ତରିକତା ରହୁ ନାହିଁ। ତେଣୁ ଏହି ଯୋଜନା ବିଶେଷ ଫଳପ୍ରଦ ହେଉନାହିଁ।
ହାତୀଙ୍କ ସୁରକ୍ଷା ପାଇଁ ମୟୂରଭଞ୍ଜର ଶିମିଳିପାଳ, କେନ୍ଦୁଝରର ହଦଗଡ଼ ଓ ବାଲେଶ୍ୱରର କୁଲଡିହାକୁ ନେଇ ଏକ କରିଡର କରିବାକୁ ୧୯୯୮ ମସିହାରେ ପ୍ରସ୍ତାବ ନିଆଯାଇଥିଲା। ମାତ୍ର ଏହି ପ୍ରସ୍ତାବ ୨୫ ବର୍ଷ ଧରି ଶୀତଳ ଭଣ୍ଡାରରେ ରହିଛି। ନିକଟରେ ଏଥି ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ କେବେ ଏହି କରିଡର ହେବ, କି କି ବ୍ୟବସ୍ଥା ବା କାର୍ୟ୍ୟକ୍ରମ ରହିବ, ସେ ନେଇ କିଛି ବିସ୍ତୃତ ସୂଚନା ନାହିଁ। ସେହିଭଳି ଝାଡଖଣ୍ଡ ହାତୀଙ୍କ ଅନୁପ୍ରବେଶ ରୋକିବାକୁ ସୀମାନ୍ତରେ ଖାଇ ବା ଟ୍ରେଞ୍ଚ ଖୋଳିବା ଏବଂ ସୋଲାର ବାଡ଼ ନିର୍ମାଣ କରିବା ଆଦି କାର୍ୟ୍ୟକ୍ରମ ସଫଳ ହୋଇପାରୁ ନାହିଁ। ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ସରକାରଙ୍କର ଉଚ୍ଚସ୍ତରୀୟ ପ୍ରଶାସନିକ ଆନ୍ତଃରାଜ୍ୟ ବୈଠକ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇ ହାତୀଙ୍କ ପରିଚାଳନା ପାଇଁ ଯୋଜନା ତିଆରି କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସେହିପରି ବିଭିନ୍ନ ସମୟରେ ଟାସ୍କ ଫୋର୍ସ ଗଠନ ବି ଫଳପ୍ରଦ ହୋଇପାରୁ ନାହିଁ। ତେବେ ଗଜ ସାଥୀ ଯୋଜନା ସଠିକ ଭାବେ କାର୍ୟ୍ୟକାରୀ କରାଯିବା, ହାତୀଙ୍କ ଖାଦ୍ୟ ପାଇଁ ଆବଶ୍ୟକ ବୃକ୍ଷ ବ୍ୟାପକ ଭାବେ ଜଙ୍ଗଲରେ ରୋପଣ, ପାନୀୟ ଜଳ ବ୍ୟବସ୍ଥା, ଝାଡ଼ଖଣ୍ଡ ହାତୀ ପ୍ରବେଶ କରୁଥିବା ସୀମାନ୍ତରେ ସୁଦୀର୍ଘ ସୋଲାର ବାଡ଼ ସହ ଟ୍ରେଞ୍ଚ ଖନନ, ଶିମିଳିପାଳ ପାଦ ଦେଶର ସମ୍ପୃକ୍ତ ସ୍ଥାନରେ ଦୀର୍ଘ ଟ୍ରେଞ୍ଚ ଖନନ, ଦଲମା ଜଙ୍ଗଲରୁ ହାତୀ ନ ବାହାରିବାକୁ ଝାଡଖଣ୍ଡ ସରକାର ସମ୍ପୃକ୍ତ ଅଞ୍ଚଳରେ ଟ୍ରେଞ୍ଚ ଖନନ ସହ ଖାଦ୍ୟ ଓ ପାନୀୟ ଜଳ ନିଶ୍ଚିତ କରିବା ଆଦି ପଦକ୍ଷେପ ନିଆଯିବା ଆବଶ୍ୟକ। ଏସବୁ ପଦକ୍ଷେପ ଦ୍ୱାରା ହାତୀ ଉତ୍ପାତ ରୋକାଯାଇପାରିବ ବୋଲି ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି।
ପୁଣି ହାତୀ ମୃତ୍ୟୁ
ଭଞ୍ଜନଗର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ବିଞ୍ଜିଗିରି ବିଟ୍‍ର ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟସ୍ଥ ଏକ ଜଳାଶୟ ନିକଟରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ଡିଏଫଓ ସୁଦର୍ଶନ ବେହେରା କହିଛନ୍ତି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ରୂପେ ଜଣାପଡି ନ ଥିଲେ ହେଁ ବିଷାକ୍ତ ଖାଦ୍ୟ ପ୍ରକ୍ରିୟା ଯୋଗୁ ମୃତ୍ୟୁ ଘଟିଥାଇ ପାରେ ବୋଲି ବ୍ୟବଚ୍ଛେଦ କରିଥିବା ପ୍ରାଣୀ ଚିକିତ୍ସକ ନିଶିକାନ୍ତ ଭୋଳ ପ୍ରକାଶ କରିଛନ୍ତି। ତେବେ ବ୍ୟବଚ୍ଛେଦ ବିବରଣ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଝିଲିମିଲି ଜଳାଶୟ ନିକଟରେ ମରି ପଡିଥିବାରୁ ହାତୀଟି ପାଣି ପିଇବାକୁ ଆସି ଶିକାରୀଙ୍କ ଜାଲରେ ଛନ୍ଦି ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ସେଠାରେ ପୋତି ଦିଆଯାଇଛି। ମୃତ ହାତୀର ଭିସେରା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଛି। ଗତ ୮ ମାସ ମଧ୍ୟରେ ଏହି ବନଖଣ୍ଡରେ ୬ଟି ହାତୀଙ୍କ ମୃତ୍ୟୁ ଘଟିଲାଣି।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories