www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ, ପ୍ରାକୃତିକ ବିପର୍ଯ୍ୟୟ ତାଲିକାରୁ ଗ୍ରୀଷ୍ମପ୍ରବାହ ବାଦ

ନୂଆଦିଲ୍ଲୀ : ପଞ୍ଚଦଶ ଅର୍ଥ ଆୟୋଗ ଇତିମଧ୍ୟରେ ଗ୍ରୀଷ୍ମପ୍ରବାହକୁ ପ୍ରାକୃତିକ ବିପର୍ଯ୍ୟୟ  ତାଲିକାରୁ ବାଦ ଦେଇଛନ୍ତି। ଫଳରେ ଅଂଶୁଘାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଏଣିକି ସରକାରୀ ସାହାଯ୍ୟ ମିଳିପାରିବ ନାହିଁ ବୋଲି ଭୂପୃଷ୍ଠ ବିଜ୍ଞାନ (ଆର୍ଥ ସାଇନ୍ସ) ପକ୍ଷରୁ ବୁଧବାର ଲୋକସଭାକୁ ସୂଚିତ କରାଯାଇଛି। ବର୍ତ୍ତମାନ ପାଣିପାଗ ସମ୍ପର୍କରେ ଠିକ୍‌ଠାକ୍‌ ଆଗୁଆ ସତର୍କ ସୂଚନା ମିଳିପାରୁଥିବାରୁ ଅଂଶୁଘାତ ଜନିତ ମୃତ୍ୟୁ ମଧ୍ୟ ହ୍ରାସ ପାଉଥିବା କୁହାଯାଇଛି। ୨୦୨୩ରୁ ୨୦୨୪ ମଧ୍ୟରେ ଦେଶରେ ଅଂଶୁଘାତରେ କେତେ ଜଣ ପ୍ରାଣ ହରାଇଛନ୍ତି, ସେ ସମ୍ପର୍କରେ ତଥ୍ୟ ଦେବାକୁ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ସୁଖଦେଓ ଭଗତ ଲୋକସଭାରେ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ପ୍ରଶ୍ନ କରିଥିଲେ। ଏଥିସହିତ ଗ୍ରୀଷ୍ମପ୍ରବାହକୁ ପ୍ରାକୃତିକ ବିପର୍ଯ୍ୟୟ  ତାଲିକାଭୁକ୍ତ କରାଯାଇଛି କି ନାହିଁ, ଏହାର ମୁକାବିଲା ପାଇଁ ସରକାର କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ସ୍ପଷ୍ଟ କରିବାକୁ ମଧ୍ୟ ଭଗତ ତାଙ୍କ ପ୍ରଶ୍ନରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ୧୨ ପ୍ରକାର ବିପର୍ଯ୍ୟୟକୁ ତାଲିକାଭୁକ୍ତ କରାଯାଇଛି। ଏଗୁଡିକ ହେଲା ବାତ୍ୟା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମି, ବାଦଲଫଟା ବର୍ଷା, ଭୂସ୍ଖଳନ, ହିମସ୍ଖଳନ, ପଙ୍ଗପାଳ ଆକ୍ରମଣ, ହିମପ୍ରବାହ ଏବଂ ଅତ୍ୟଧିକ ଶୀତ।

ଏହାବ୍ୟତୀତ ଅନ୍ୟ ବିପର୍ଯ୍ୟୟକୁ ତାଲିକାଭୁକ୍ତ କରିବାର କ୍ଷମତା କେବଳ ଅର୍ଥ କମିସନଙ୍କ ନିକଟରେ ସଂରକ୍ଷିତ ରହିଛି। ସୂଚନାଯୋଗ୍ୟ ଅର୍ଥ କମିସନଙ୍କ ଦ୍ବାରା ତାଲିକାଭୁକ୍ତ ହୋଇଥିବା  ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ହିଁ ସରକାରୀ ଅନୁଦାନ ମିଳିଥାଏ। ଅବଶ୍ୟ ରାଜ୍ୟ ସରକାର ଚାହିଁଲେ ଅଂଶୁଘାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ କିଛି ମାତ୍ରାରେ ଆର୍ଥିକ ସହାୟତା ପ୍ରଦାନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି। ଏହା କେବଳ ଭାରତ ନୁହେଁ, ବିଶ୍ବର ଅଧିକାଂଶ ରାଷ୍ଟ୍ର ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ବିଗତ ଏକବର୍ଷର ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାର ହିସାବ ଦିଆଯାଇ ନାହିଁ। ତେବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ୨୦୧୮ରେ ଦେଶରେ ଅଂଶୁଘାତରେ ୮୯୦ ଜଣ ପ୍ରାଣ ହରାଇଥିବାବେଳେ ୨୦୧୯ରେ ୧୨୭୪, ୨୦୨୦ରେ ୫୩୦, ୨୦୨୧ରେ ୩୭୪ ଏବଂ ୨୦୨୨ରେ ଏହି ସଂଖ୍ୟା ୭୩୦ ରହିଥିଲା। ତେବେ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଥିବା ମନ୍ତ୍ରୀ କହିଛନ୍ତି। ଏନ୍‌ସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ) ସୂଚନା ଅନୁଯାୟୀ ୨୦୧୫ରେ ଦେଶରେ ଅଂଶୁଘାତରେ ସର୍ବାଧିକ ୧୯୦୮ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଆଗୁଆ ସତର୍କ ସୂଚନା ପ୍ରଦାନ କରାଯାଉଥିବାରୁ ପରବର୍ତ୍ତୀ ସମୟରେ ଏହି ପରିସ୍ଥିତିରେ ମୃତକଙ୍କ ସଂଖ୍ୟା ହ୍ରାସ ପାଇଆସୁଥିବା ମନ୍ତ୍ରୀ କହିଛନ୍ତି। ଆଇଏମଡି ରିପୋର୍ଟ ମୁତାବକ ଚଳିତବର୍ଷ ଜୁନ୍‌ରେ ଦେଶରେ ସର୍ବାଧିକ ଗରମ ଅନୁଭୂତ ହୋଇଥିଲା। ୧୯୦୧ ପରଠାରୁ ଏହା ସର୍ବାଧିକ ବୋଲି ରେକର୍ଡ କରାଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories