ଗୋପାଳପୁର: ଗଞ୍ଜାମ ଜିଲ୍ଲାର ସବୁଠୁ ବଡ଼ ବ୍ଲକ ରଙ୍ଗେଇଲୁଣ୍ଡାରେ ସାର ଅଭାବ ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ବ୍ଲକକୁ ୧୨୦୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ ୮୭୬ ମେଟ୍ରିକ ଟନ ସାର ମିଳିଛି। ସେପଟେ ଠିକ ସମୟରେ ସାର ପ୍ରୟୋଗ ନ ହେଲେ ଚାଷୀରେ କ୍ଷତି ସହିବାକୁ ପଡ଼ିବ। ତେଣୁ ଚାଷୀମାନେ ବାହାର ମାର୍କେଟରୁ ବସ୍ତା ପିଛା ୬/୭ ଶହ ଟଙ୍କାରେ କିଣି ଫସଲରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ବିହନ, ସାରକୁ ସୁଷମ ଭାବରେ ବଣ୍ଟନ ନିମନ୍ତେ ୩୨ ପଞ୍ଚାୟତ ଲାଗି କେବଳ ୨୪ଟି ପଞ୍ଚାୟତରେ ସମବାୟ ସମିତି ରହିଛି। ଏହି ୨୪ଟି ସମବାୟ ସମିତି ମଧ୍ୟରୁ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଜ ପଞ୍ଚାୟତ ଗୋଳନ୍ଥରାରେ ଥିବା ସୋସାଇଟି ପକ୍ଷରୁ କୌଣସି ଚାଷୀଙ୍କୁ ସାର ବଣ୍ଟନ କରାଯାଇ ନ ଥିବା ଜଣାପଡିଛି। ଯାହାଫଳରେ ଏଠାକାର ଚାଷୀମାନେ ବାଧ୍ୟ ହୋଇ ପଡ଼ୋଶୀ ସୋସାଇଟିକୁ ଯାଇ କିଛି କିଛି ସାର ଆଣିଥିବା ବେଳେ ବଳକା ଖୋଲା ବଜାରରୁ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ସାର କିଣିଥିବା ଜଣାପଡିଛି।
ସେହିପରି ବିକ୍ରମପୁର, ଆଲ୍ଲିପୁର ଓ ଗୁଣୁପୁର ସୋସାଇଟି ପକ୍ଷରୁ ଚଳିତବର୍ଷ ସାର ବିକ୍ରୟ କରାଯାଇ ନ ଥିବା ଜଣାପଡ଼ିଛି। ଏହା ସହ ଗତ ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ ୨୦ଟି ସୋସାଇଟି ପକ୍ଷରୁ ୟୁରିଆ ୪୯୮.୧୨୫ ମେଟ୍ରିକ୍ ଟନ, ଡିଏପି ୧୦୦ ମେଟ୍ରିକ୍ ଟନ, ବାୟୋ ଫର୍ଟିଲାଇଜର ୦.୦୫ ମେଟ୍ରିକ୍ ଟନ, ନାନୋ ୟୁରିଆ ଓ ଡିଏପି ୨୪୦ ମେଟ୍ରିକ୍ ଟନକୁ ମିଶାଇ ୮୭୬.୧୨୫ ମେଟ୍ରିକ୍ ଟନ୍ ସାର ଚାଷୀଙ୍କୁ ବଣ୍ଟନ କରାଯାଇଥିବା ଏକ ଆକାଳନରୁ ଜଣାପଡିଛି। ପ୍ରତି ବର୍ଷ ରଙ୍ଗେଇଲୁଣ୍ଡା ବ୍ଲକକୁ ୧୨୦୦ ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ରହିଥିବା ବେଳେ ଚଳିତବର୍ଷ ୮୭୬ ମେଟ୍ରିକ୍ ଟନରେ ଅଟକି ଯାଇଛି। ଏଥିସହ କେତେକ ପଞ୍ଚାୟତରେ ସମିତି ଗୃହ ନିର୍ମାଣ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଦାବି ରଖାଯାଇଥିଲେ ସୁଦ୍ଧା ତହସିଲଦାର ମାନେ ଏଥିପ୍ରତି ଆଗଭର ହେଉ ନଥିବା ଯୋଗୁଁ ଜାଗା ପ୍ରଦାନରେ ବିଳମ୍ବ ହେବାରୁ ସୋସାଇଟି ଗୃହ ନିର୍ମାଣ ହୋଇ ପାରୁନାହିଁ। ସୂଚନାଯୋଗ୍ୟ, ଗତ ୭ ତାରିଖରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପକ୍ଷରୁ ବ୍ଲକରେ ସାରର ସୁଷମ ବଣ୍ଟନ କରିବା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରର ସଠିକ ବଣ୍ଟନ ନେଇ ବିଷଦ ଭାବରେ ଆଲୋଚନା ସହ ଯେଉଁଠାରେ ସୋସାଇଟି ଘର ନାହିଁ ସେଠାରେ ତୁରନ୍ତ ଗୃହ ନିର୍ମାଣ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା।



