ଅମୃତସର: ପଞ୍ଜାବରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଭାଷଣ ଦେବା ପରେ ଜଣେ କୃଷକ ନେତାଙ୍କ ଅଚାନକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। କିରତୀ କୃଷକ ସଂଗଠନର ପ୍ରଦେଶ ଅଧ୍ୟକ୍ଷ ତଥା ମିଳିତ କୃଷକ ମୋଚ୍ଚାର ସଦସ୍ୟ ମାଷ୍ଟର ଦାତାର ସିଂହ ଭାଷଣ ଦେବା ପରେ ଅଲବିଦା ! ମୋ ସମୟ ଶେଷ ହେଉଛି କହିଥିଲେ ଏବଂ କ୍ଷଣିକରେ ତାଙ୍କ ଜୀବନ ଚାଲିଯାଇଥିଲା।
ଏଭଳି ଦୃଶ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଚକ୍କିତ କରିଥିଲା। ଦାତାର ସିଂହ ଅଲବିଦା ! ମୋ ସମୟ ଶେଷ ହେଉଛି କହି ନିଜ ଚୌକିରେ ବସିପଡ଼ିଥିଲେ। ଏହା ପରେ ପରେ ତାଙ୍କୁ ହୃଦଘାତ ହୋଇଥିଲା ଏବଂ ସେ ଚୌକିରୁ ତଳକୁ ଖସିପଡ଼ିଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠି ଡାକ୍ତର ମୃତଘୋଷଣା କରିଥିଲେ।
ଅମୃତସରର ଶ୍ରୀ ଗୁରୁ ନାନକ ଷ୍ଟାଡିୟମ ନିକଟରେ ଥିବା ବିରସା ବିହାରରେ କୃଷକ ଆଇନ ଯୋଗୁ କୃଷକମାନଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କିତ ଏକ ସେମିନାରରେ ଦାତାର ସିଂହ ମୁଖ୍ୟବକ୍ତା ଥିଲେ। ସେ ଅନ୍ତିମ ବକ୍ତା ଥିଲେ, ଯାହାଙ୍କୁ ଏହି ପ୍ରସଙ୍ଗରେ ନିଜ ବିଚାର ରଖିବାର ଥିଲା। ଦାତାର ସିଂହଙ୍କ ଏହି ଭାଷଣ ତାଙ୍କ ଜୀବନର ଶେଷ ଭାଷଣ ହେବ ବୋଲି କେହି ଜାଣି ନ ଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଦାତାର ସିଂହଙ୍କୁ ମଞ୍ଚକୁ ଡକାଇ ସମ୍ମାନିତ କରାଯିବାର ଥିଲା, କିନ୍ତୁ ଏହା ପୂର୍ବରୁ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଗଲା।



