ଲକ୍ଷ୍ନୌ: ନିଜକୁ ଉତ୍ତର ପ୍ରଦେଶ ପୁଲିସ କନଷ୍ଟେବଳ ପରିଚୟ ଦେଇ ଏକାଧିକ ମହିଳାଙ୍କୁ ପ୍ରେମଜାଲରେ ଫସାଇଥିବା ବ୍ୟକ୍ତିକୁ ରାଜ୍ୟ ପୁଲିସ ଗତ ମଙ୍ଗଳବାର ଗିରଫ କରିଛି। ନୌସାଦ ତ୍ୟାଗୀ ନାମକ ଏହି ଅଭିଯୁକ୍ତ ଚାରିଟି ରାଜ୍ୟରେ ଏକାଧିକ ମହିଳାଙ୍କୁ ଠକିଥିବା ଜଣାପଡିଛି। ତାଙ୍କର ୨ ପତ୍ନୀ ଓ ୨୦ ପ୍ରେମିକା ରହିଛନ୍ତି। କିଛି ବର୍ଷ ପୂର୍ବେ ନୌସାଦ ଜଣେ ବନ୍ଧୁଙ୍କ ସହ ଉତ୍ତର ପ୍ରଦେଶର ସମ୍ଭଲରେ ବାସ କରୁଥିଲା। ବନ୍ଧୁ ଜଣକ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବନ୍ଧୁଜଣକ ମଧ୍ୟପ୍ରଦେଶ ଡ୍ୟୁଟିରେ ଯାଇଥିଲେ। ଏହି ସୁଯୋଗରେ ନୌସାଦ ବନ୍ଧୁଙ୍କ ପୁଲିସ ୟୁନିଫର୍ମ ଓ ବ୍ୟାଜ୍ ପିନ୍ଧି ମୁଜାଫରନଗର ପଳାଇଥିଲା। ସେଠାରେ ନୌସାଦ ପ୍ରଥମ ବିବାହ କରିଥିଲା। ପତ୍ନୀ ତାଙ୍କଠାରୁ ୨୩ ବର୍ଷ ବଡ ଥିଲେ। ଦ୍ବିତୀୟ ବିବାହ କରି ନୌସାଦ ପତ୍ନୀଙ୍କୁ ସିଭିଲ ଲାଇନ୍ସରେ ରଖିଥିଲା। ଏହାପରେ ମହିଳାଙ୍କୁ ଠକିବା ଚିନ୍ତା ତା ମୁଣ୍ଡକୁ ଜୁଟିଥିଲା। ଫେସବୁକ୍ରେ ନିଜକୁ ପୁଲିସ କନଷ୍ଟେବଳ ପରିଚୟ ଦେଇ ସେ ଏହି ଅଭିଯାନ ଆରମ୍ଭ କରିଥିଲା। ହିନ୍ଦୁ ମହିଳାଙ୍କ ନିକଟରେ ସେ ନିଜକୁ ରିକି ଓ ରାହୁଲ ନାମରେ ପରିଚୟ ଦେଇଥିବାବେଳେ ମୁସଲମାନ ମହିଳାଙ୍କ ପାଇଁ ନୌସାଦ ନାମ ବ୍ୟବହାର କରୁଥିଲା। ନୌସାଦ ବିଶେଷକରି ଦିଲ୍ଲୀ, ଉତ୍ତର ପ୍ରଦେଶ, ମେଘାଳୟ ଏବଂ ଆସାମର ମହିଳାଙ୍କୁ ଫସାଉଥିଲା।
Popular Categories



