ନୂଆଦିଲ୍ଲୀ: କୁହାଯାଏ ଯେ ଯଦି ସ୍ୱପ୍ନ ବଡ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ । ୨୨ବର୍ଷୀୟା ‘ମନମହିନୀ ତାହା କରି ଦେଖାଇଛନ୍ତି । ରାଜସ୍ଥାନର ଜୟପୁରରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିବା ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ । ସୋସିଆଲ ମିଡ଼ିଆରେ ସାହସ ଓ ସରଳତା ସହିତ ଲୋକଙ୍କୁ ଆକର୍ଷିତ କରୁଥିବା ମନିକା ବିଶ୍ୱକର୍ମାଙ୍କ ସୌନ୍ଦର୍ଯ୍ୟଭରା ଆଖି ଏବଂ ଆତ୍ମବିଶ୍ୱାସର ହସ ସହିତ ଜୁରିଙ୍କ ହୃଦୟ ଜିତିଥିଲେ । ବର୍ତ୍ତମାନ ତାଙ୍କର ନଜର ସବୁଠାରୁ ବଡ ମୁକୁଟ ଉପରେ ।
ପୂର୍ବରୁ ୨୦୨୪ରେ ମନିକାଙ୍କୁ ମିସ୍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା । ବର୍ତ୍ତମାନ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ଜିତିବା ପରେ ସେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାର ଦେଖିବାକୁ ମିଳିବ । ଯାହା ଏହି ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି ।
ତେବେ ମନିକା କେଉଁଠାରୁ ଆସିଛନ୍ତି, ସେ କ’ଣ କରନ୍ତି? ଲୋକମାନେ ଏବେ ଏସବୁ ଜାଣିବାକୁ ଚାହୁଁଛନ୍ତି । ମନିକା ବିଶ୍ୱକର୍ମା ପେଶାରେ ଜଣେ ମଡେଲ, ସେ ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା । ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ରହି ମଡେଲିଂ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଏବେ ସେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ବିଜୟ ମୁକୁଟ ପିନ୍ଧିବା ପରେ ମନିକାଙ୍କ ଖୁସି ମୁହଁରେ ଝଲକି ଉଠିଥିଲା । ନିଜର ପରାମର୍ଶଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ଯେ ଏହି କଷ୍ଟସାଧ୍ୟ ଯାତ୍ରା କିପରି ସମାପ୍ତ କରିଥିଲେ ଏବଂ ତାଙ୍କ ପରାମର୍ଶଦାତାମାନେ ବହୁତ ସାହାଯ୍ୟ କରିଥିଲେ ।
ମିସ୍ ୟୁନିଭର୍ସ ଇଣ୍ଡିଆ ଭଳି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବା ସହଜ ନୁହେଁ । ମନିକା କ୍ୟାଟୱାକ୍ ଠାରୁ ଫିଟନେସ୍, ଫ୍ୟାଶନ୍ ସେନ୍ସଠାରୁ ଯୋଗାଯୋଗ ଦକ୍ଷତା ପର୍ଯ୍ୟନ୍ତ ସବୁକିଛି ଉପରେ କଠିନ ପରିଶ୍ରମ କରିଥିଲେ । ଏହି ଆଗ୍ରହ ତାଙ୍କୁ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ଅଲଗା କରି ଟପରେ ରଖିଥିଲା। ମନିକା ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିର ଶେଷ ବର୍ଷର ଛାତ୍ରୀ । ପାଠପଢା ସହିତ ସେ ଏହି ପ୍ରତିଯୋଗିତା ପାଇଁ ପ୍ରୟାସ ଜାରି ରଖିଥିଲେ ଏବଂ ଗତ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତିଥିଲେ । ସେହି ବିଜୟ ତାଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇଥିଲା ।
ମନିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଜଣେ କଳାକାର ମଧ୍ୟ । ସେ ଲଳିତ କଳା ଏକାଡେମୀ ଏବଂ ଜେ.ଜେ ସ୍କୁଲ ଅଫ୍ ଆର୍ଟସ୍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। କେବଳ ସେତିନି ନୁହେଁ ସେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ ପଦକ୍ଷେପରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।



