ସାତଦିନ ଦିନ ପରେ ସାମନ୍ତିଆ ରେଞ୍ଜରେ ପହଁଚିଲେ ହାତୀପଲ

ଅଳ୍ପକେ ବର୍ତିଲେ କୁଡ଼ିଆରେ ଫସଲ ଜଗିଥିବା ବ୍ୟକ୍ତି

ପାତ୍ରପୁର : ଦୀର୍ଘ ସାତ ଦିନ ଧରି ଦିଗପହଣ୍ଡି ରେଞ୍ଜ ଚିକିଟି ଦିଗପହଣ୍ଡି ବ୍ଳକର ବିଭିନ୍ନ ଗ୍ରାମରେ ନିଜର ଆସ୍ଥାନ ଜମେଇ ଥିବା ହାତୀପଲ ଆଜି ସାମନ୍ତିଆପଲ୍ଲୀ ରେଞ୍ଜ ଦୁତିକା ସାହି ଜଙ୍ଗଲରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ବଡଗଡ ଅଂଚଳରୁ ଗତ ୨୮ତାରିଖରୁ ଏହି ହାତୀପଲ ବାଟହୁଡ଼ି ଚିକିଟି ଅଞ୍ଚଳକୁ ଚାଲି ଆସିଥିଲେ। ବିଭିନ୍ନ ଗ୍ରାମରେ ଏହି ହାତୀ ପଲ ରାତିରେ ପାହାଡ ତଳକୁ ଖସି ଫସଲ ନଷ୍ଟ କରିବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଥିଲେ। ତେବେ ଜଙ୍ଗଲ ବିଭଗ ଏହାର ପିଛା କରି ଆତସ ବାଜି ଫୁଟାଇ ଘଉଡାଇବା ଉଦ୍ୟମ ଜାରି ରଖିଥିଲେ। ଗତକାଲି ରାତିରେ ଏହି ହାତୀପଲ ଭ୍ରମରପୁର ପଂଚାୟତର ସାଗର ସାହି ଜଙ୍ଗଲରୁ ବାହାରି ବାଉଳିଆ କଣ୍ଟାଖାଳି, ଓଲମା, କୁମୁଝୁରି ଦେଇ ବାଘଲଟି ଜଳଭଣ୍ଡାର ପାର୍ଶ୍ୱ ଦୁତିକା ସାହି ଜଙ୍ଗଲକୁ ଚାଲି ଯାଇଛନ୍ତି। ଚାରି ବର୍ଷ ପରେ ହାତୀପଲ ଏହି ଜଙ୍ଗଲକୁ ଆସିବା ଜଣା ପଡିବା ପରେ ପାହାଡ଼ ଅଞ୍ଚଳରେ ରହୁଥିବା ଗ୍ରାମ ମାନଙ୍କରେ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ହାତୀପଲ ଯିବା ବେଳେ ରାସ୍ତାରେ ବିଭିନ୍ନ ଗ୍ରାମରେ ଫସଲ ନଷ୍ଟ କରିଥିବା ବେଳେ କୁଡ଼ିଆରେ ଫସଲ ଜଗିଥିବା ଜଣେ ଆଦିବାସୀଙ୍କ କୁଡ଼ିଆର ଦୁଇ ପାର୍ଶ୍ୱରେ ହାତୀ ପହଞ୍ଚି ଯିବା ପରେ ସେ ଜାଣି ପାରି ପ୍ରାଣ ବିକଳରେ କୁଡ଼ିଆରୁ ବାହାରି ଗ୍ରାମକୁ ଚାଲି ଆସିଥିଲେ। ହାତୀପଲ କାଣ୍ଟାଖାଳି ଗ୍ରାମରେ କୁମୁଦ ଦାସଙ୍କ ରବି ଫସଲ ଖାଇ ନଷ୍ଟ କରିବା ସହ କଣ୍ଟା କୁମୁଝୁରି ଗ୍ରାମର ମାଲୁ ସବର ଏବଂଭଗବତ ସବରଙ୍କ ମକା ଖାଇ ନଷ୍ଟ କରିଥିଲେ। ଏହି ସମୟରେ ମାଲୁ ନିଜ ମକା ଫସଲକୁ ବାରହା ଉପଦ୍ରବ ପାଇଁ କୁଡ଼ିଆରେ ଜଗିରହିଥିଲେ। ତେବେ ହାତୀପଲ କୁଡ଼ିଆର ଉଭୟ ପାର୍ଶ୍ୱ ରେ ମକା ଖାଇବା ଜାଣିପାରି ତୁରନ୍ତ ପ୍ରାଣ ବିକଳରେ ଗ୍ରାମକୁ ଦୌଡ଼ି ଚାଲି ଆସିଥିଲେ। ଏହା ପରେ ଏହି ପଲ ପାହାଡ଼ ନିକଟରେ ଥିବା କାମ୍ପ କୁମୁଝୁରି ଗ୍ରାମର ଅନ୍ତର ସବରଙ୍କ ଫଳନ୍ତି ଆମ୍ବ ଗଛ ଭାଙ୍ଗିବା ସହ ଆମ୍ବ ଖାଇ ଭୋର ସମୟରେ ଦୁତିକା ସାହି ଜଙ୍ଗଲ ମୁହାଁ ହୋଇଛନ୍ତି। ଏହି ହାତୀପଲ ପୂର୍ବରୁ ୨୦୧୭ରେ ଏହି ଅଞ୍ଚଳକୁ ପ୍ରଥମ ଥର ପାଇଁ ଆସି ଚାରିଦିନ ଘୁରି ବୁଲିବା ପରେ ଗଜପତି ଜିଲ୍ଲା ଯେ ବଡ଼ଗାଁ ଦେଇ ଚାଲିଯାଇ ଥିଲେ। ସେହିଠାରୁ ରାମଗିରି ଲୁହଗୁଡି ଅଡ଼ବା ଦେଇ ବଡଗଡ ଫେରିଥିଲେ। ସେହି ସମୟରେ ଏହି ହାତୀପଲରେ ଏଗାର ଗୋଟି ହାତୀ ଥିବା ବେଳେ ଏବେ ଗୋଟିଏ ଦନ୍ତା ଏବଂ ଛୁଆ ସହିତ ପନ୍ଦର  ହାତୀ ଅଛନ୍ତି। ରାତ୍ରୀ ହେଲେ ପ୍ରଥମେ ଦନ୍ତା ଆଗରେ ରଡି ଛାଡି ବାଟ କଢୁଥିବେ ବେଳେ ତାର ପଛରେ ଅନ୍ୟ ହାତୀ ଯାଉଛନ୍ତି। ଜଙ୍ଗଲ ବିଭାଗ ଆତସ ବାଜି ଫୁଟାଇଲେ ଏହି ପଲ ଅନ୍ୟତ୍ର ଦୌଡ଼ ଚାଲି ଯାଇ ନିଖୋଜ ହେଉଛନ୍ତି। ଏହା ପରେ ପୁଣି ଦନ୍ତା ଏବଂ ଅନ୍ୟ ହାତୀଙ୍କ ରଡିଶୁଣି ଜଙ୍ଗଲ ବିଭଗ ସେହି ପଲ ନିକଟରେ ପହଞ୍ଚି ଘଉଡାଇବା ଜାରି ରଖୁଛନ୍ତି। ତବେ ସାମନ୍ତିଆପଲ୍ଲୀର ଏହି ଜାଙ୍ଗଲରେ ହାତୀ ପହଂଚିବା ପରେ ଲୋକମାନେ ସନ୍ଧ୍ୟା ପରେ ବାହାରକୁ ବାହାରିଲେ ସତର୍କତା ସହ ଯିବାକୁ ସାମନ୍ତିଆ ପଲ୍ଲୀ ରେଞ୍ଜର ରଜତ କୁମାର ମିଶ୍ର ନିବେଦନ କରିଛନ୍ତି। ଆଜି ତୁରୁବୁଡି ଫରେଷ୍ଟର ସେକ୍ସନ ର କର୍ମଚାରୀ ମାନେ ଦିନରେ ହାତୀର ଅବସ୍ତାନ ସମ୍ପର୍କରେ ଜାଣିବା ପାଇଁ ପାହାଡ ଚଢ଼ିଛନ୍ତି।ହାତୀ ଜଙ୍ଗଲ ମଧ୍ୟରେ ଏକ ଆମ୍ବ ଗଛ ମୂଳେ ରହିଥିବା ସୂଚନା ମିଳିଥିଲା। ଏବେ ହାତୀପଲ ପୁଣି ବାଘଲଟି ମାଧ୍ୟମ ଜଳସେଚନ ଜଳଭଣ୍ଡାର ପାର୍ଶ୍ୱ ଦେଇ ପାହାଡ଼ରୁ ତଳକୁ ଓହ୍ଲାଇ ଥିବା ଜଣା ପଡିବା ପରେ ଜଙ୍ଗଲ ବିଭାଗ ଜଗି ରହିଛି।

Comments are closed.