ତେଲଙ୍ଗାନାରେ ଆଦର୍ଶ ଆଚରଣ ବିଧି ଲାଗୁ

0

ନୂଆଦିଲ୍ଲୀ : ବିଧାନସଭା ଭଙ୍ଗ ହେବା ମାତ୍ରେ ଆଦର୍ଶ ଆଚରଣ ବିଧି ଲାଗୁହେବ ଓ ଏହା ନୂଆ ବିଧାନସଭା ଗଠନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି ଭାରତର ନିର୍ବାଚନ ଆୟୋଗ। ତେଲଙ୍ଗାନା ବିଧାନସଭା ଆଗୁଆ ଭଙ୍ଗ ହେବା ପରିପ୍ରେକ୍ଷୀରେ ଗୁରୁବାର ଆୟୋଗଙ୍କ ପକ୍ଷରୁ ଏଭଳି ନିର୍ଦେଶନାମା ଜାରି କରାଯାଇଛି। ଏଥିସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୧୯୯୪ର ଏସ୍‍.ଆର ବୋମାଇ ବନାମ ଭାରତ ସରକାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତାମତ ଆଧାରରେ ଆୟୋଗ ବିଧାନସଭା ଭଙ୍ଗ ହେବାର ଦୀର୍ଘ ପ୍ରାୟ ଦୁଇ ସପ୍ତାହ ପରେ ଏଭଳି ନିର୍ଦେଶନାମା ଜାରି କରିଛନ୍ତି।
ଆଦର୍ଶ ଆଚରଣ ବିଧିର ଭାଗ-୭ ଅନୁଯାୟୀ କାର୍ଯ୍ୟନିର୍ବାହୀ ସରକାର କେବଳ ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ କୌଣସି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଆୟୋଗ ତାଙ୍କ ନିର୍ଦେଶନାମାରେ କହିଛନ୍ତି। ଏହା କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ; ଅର୍ଥାତ୍‍ କେନ୍ଦ୍ର କିମ୍ବା ନିର୍ବାଚନ ହେବାକୁ ଥିବା ରାଜ୍ୟରେ କ୍ଷମତାସୀନ ଦଳର ସରକାର ଆଚରଣ ବିଧି ବଳବତ୍ତର ଥିବା ସମୟରେ କୌଣସି ନୂଆ ଯୋଜନା କିମ୍ବା ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ। ଏହାବ୍ୟତୀତ କୌଣସି ଅଣସରକାରୀ କାର୍ଯ୍ୟକ୍ରମରେ ସରକାରୀ କଳର ଉପଯୋଗ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।
ତେଲଙ୍ଗାନା ବିଧାନସଭାର କାର୍ଯ୍ୟକାଳ ଆହୁରି ପ୍ରାୟ ୯ମାସ ବାକିଥିଲାବେଳେ ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‍) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ଚଳିତ ମାସ ୬ତାରିଖରେ ବିଧାନସଭା ଭଙ୍ଗ ଘୋଷଣା କରିବା ସହ ଆଗୁଆ ନିର୍ବାଚନ ପାଇଁ ପଥ ପରିଷ୍କାର କରିଥିଲେ। ଏ ସମ୍ପର୍କରେ ରାଜ୍ୟପାଳ ଇଏସ୍‍ଏଲ ନରସିଂହନ୍‍ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ କରିଥିଲେ ମଧ୍ୟ ନିର୍ବାଚନ ହେବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ବିଧାନସଭା ଭାଙ୍ଗିବାର ୬ମାସ ମଧ୍ୟରେ ନିର୍ବାଚନ କରାଯିବାର ବ୍ୟବସ୍ଥା ଥିଲାବେଳେ ଜାନୁଆରୀ ମାସରେ ହେବାକୁ ଥିବା ଅନ୍ୟ ୪ଟି ରାଜ୍ୟ ସହିତ ତେଲଙ୍ଗାନା ନିର୍ବାଚନ ହେବାର ସମ୍ଭାବନା ରହିଥିଲା।

Leave A Reply