ସାମାଜିକ ଗଣମାଧ୍ୟମର ସରକାରୀ ନିୟନ୍ତ୍ରଣକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ଏକ ଗୁରୁତ୍ୱପୂର୍ଣ୍ଣ ବିତର୍କ ସୃଷ୍ଟି କରିଛି। ସୋସିଆଲ ମିଡ଼ିଆ ଏକ୍ସ (ପୂର୍ବରୁ ଟ୍ୱିଟର) ଦ୍ୱାରା ଦାୟର ହୋଇଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି, ଯେଉଁଥିରେ ସରକାରୀ ପୋର୍ଟାଲ୍ ‘ସହଯୋଗ’କୁ ଏକ୍ସ “ ସେନ୍ସରସିପ ପୋର୍ଟାଲ୍” ବୋଲି କହିଥିଲା। ସୋସିଆଲ୍ ମିଡିଆ ଆଜି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଏହା ଆମକୁ ସୂଚନା ଦିଏ, ଆମକୁ ପରସ୍ପର ସହିତ ଯୋଡିଥାଏ ଏବଂ ସରକାରଙ୍କୁ ପ୍ରଶ୍ନ କରିବାର ସୁଯୋଗ ଦିଏ; କିନ୍ତୁ ଏହା ମଧ୍ୟ ନକାରାତ୍ମକ ଦିଗ ସୃଷ୍ଟି କରେ, ଯେପରି କି ମିଥ୍ୟା ଖବର ପ୍ରସାର, ଘୃଣା ପ୍ରଚାର ଏବଂ ହିଂସା ଉସୁକାଇବା। ତେଣୁ, ସୋସିଆଲ୍ ମିଡିଆର କିଛି ନିୟନ୍ତ୍ରଣ ଆବଶ୍ୟକ।
ସରକାର ଏଥିଲାଗି ଆଇଟି ଆକ୍ଟ ୨୦୦୦ର ୬୯(କ) ଧାରା ଅନୁଯାୟୀ ‘ସହଯୋଗ’ ନାମକ ଏକ ପୋର୍ଟାଲ ତିଆରି କରିଛନ୍ତି ଯାହାର ସହାୟତାରେ ସରକାରୀ ଅଧିକାରୀମାନେ ସୋସିଆଲ ମିଡ଼ିଆ କମ୍ପାନୀମାନଙ୍କୁ ତୁରନ୍ତ କୌଣସି ଏକ ବିଷୟବସ୍ତୁ ହଟାଇବାକୁ ଆଦେଶ ଦେଇ ପାରନ୍ତି। ଏହା କେବଳ କେନ୍ଦ୍ରୀୟସ୍ତରରେ ନୁହେଁ ଜିଲାସ୍ତରର ଅଧିକାରୀମାନଙ୍କର କ୍ଷମତାର ଅନ୍ତର୍ଭୁକ୍ତ। ତେବେ ଏକ୍ସ ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକର ଅଭିଯୋଗ ହେଲା ସରକାରୀ ଅଧିକାରୀମାନଙ୍କୁ ଅତ୍ୟଧିକ କ୍ଷମତା ଦିଆଯାଇଛି ଯାହାର ସଠିକ ବ୍ୟବହାର ସେମାନେ କରୁ ନାହାନ୍ତି। ସେମାନେ ମନଇଚ୍ଛା ବିଷୟବସ୍ତୁ ବ୍ଲକ କରିବାକୁ କହୁଛନ୍ତି ଯେଉଁଥିରେ କି ପବ୍ଲିକ ତଥ୍ୟ ନାହିଁ। ପୁଣି ମାତ୍ର ଏକ ଘଣ୍ଟା ସମୟ ଦେଉଛନ୍ତି।
ଏହା ବିରୁଦ୍ଧରେ ସରକାରଙ୍କର ଯୁକ୍ତି ହେଲା ଯେ ସାମାଜିକ ଗଣମାଧ୍ୟମରେ ହିଂସା, ଘୃଣା, ଭୁଲ୍ ସୂଚନା, ମହିଳାଙ୍କ ସମ୍ମାନ ହାନି ହେଲା ଭଳି ବିଷୟବସ୍ତୁ ଶୀଘ୍ର ଭାଇରାଲ ହେଉଛି। ତେଣୁ ଏହାକୁ ତୁରନ୍ତ ରୋକିବା ଦରକାର। କୋର୍ଟ ମଧ୍ୟ ସରକାରଙ୍କୁ ସମର୍ଥନ କରି କହିଛନ୍ତି ସାମାଜିକ ଗଣମାଧ୍ୟମକୁ ଅରାଜକତା ସୃଷ୍ଟି କରିବାକୁ ଦେଇ ହେବନି। ସ୍ବାଧୀନତା ସହିତ ଦାୟିତ୍ବ ମଧ୍ୟ ରହିବା ଆବଶ୍ୟକ। ତେବେ ଏ ପ୍ରସଙ୍ଗରେ ବିଶେଷଜ୍ଞମାନଙ୍କ ମତ ହେଲା ଯେତେବେଳେ ନିୟମଗୁଡ଼ିକ ଅସ୍ପଷ୍ଟ, ମନମୁଖି ହୁଏ, ସେତେବେଳେ ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରେ। ଭାରତରେ, ସରକାର ବିନା କୌଣସି ସ୍ପଷ୍ଟ କାରଣରେ ହଜାର ହଜାର ଆକାଉଣ୍ଟ ବ୍ଲକ୍ କରିବାକୁ ନିେର୍ଦଶ ଦେଇଛନ୍ତି। ଏହି ସମସ୍ୟା କେବଳ ଭାରତରେ ନାହିଁ, ୟୁରୋପରେ ମଧ୍ୟ ଏହିପରି ନିୟନ୍ତ୍ରଣ ବିଷୟରେ ଆଲୋଚନା ଚାଲିଛି। ସବୁଠାରେ ଗୋଟିଏ ସାଧାରଣ କଥା ହେଉଛି, ଗଣତନ୍ତ୍ରରେ କିଛି ଗୁପ୍ତ ଏବଂ ଏକପାଖିଆ ହେବା ଅନୁଚିତ। ନାଗରିକମାନେ ଜାଣିବା ଆବଶ୍ୟକ ଯେ କାହାକୁ ସେନ୍ସର କରାଯାଉଛି, କାହିଁକି ଏହି ନିଷ୍ପତ୍ତି ନିଆଯାଉଛି ଏବଂ କିପରି ସେମାନେ ଏହାକୁ ଚାଲେଞ୍ଜ କରିପାରିବେ। ସେ ଦୃଷ୍ଟିରୁ ଯେ କୌଣସି ବିଷୟବସ୍ତୁ ହଟାଇବା ନିେର୍ଦଶ ଏକ ସର୍ବସାଧାରଣ ଡାଟାବେସରେ ସ୍ପଷ୍ଟ କାରଣ ସହିତ ପ୍ରକାଶିତ ହେବା ଉଚିତ। ଅନ୍ୟପକ୍ଷରେ ନାଗରିକମାନଙ୍କୁ ସେମାନଙ୍କ ଆକାଉଣ୍ଟ ବ୍ଲକ ହେବା ପୂର୍ବରୁ ସୂଚନା ଏବଂ ଅପିଲ୍ କରିବାର କ୍ଷମତା ଦିଆଯିବା ଉଚିତ। ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ତେବେ ଏକ ପରିପକ୍ୱ ଗଣତନ୍ତ୍ର ସମାଲୋଚନାକୁ ଭୟ କରେ ନାହିଁ, ବରଂ ଏହାକୁ ଗ୍ରହଣ କରେ। ସାମାଜିକ ଗଣମାଧ୍ୟମ ଖୋଲା ବିତର୍କର ସୁଯୋଗ ଦେଇଥାଏ। ସେ ଦୃଷ୍ଟିରୁ ଏହାର ନିୟନ୍ତ୍ରଣ ଅତି ସତର୍କତାର ସହ ହେବା ବିଧେୟ।



