ନବବର୍ଷ ସୁଖ ଶାନ୍ତିର ସମୟ ହେଉ
ଧରିତ୍ରୀର ସୁରକ୍ଷା ନବବର୍ଷର ବାର୍ତ୍ତା
ଇଂରାଜୀ ନବବର୍ଷ ୨୦୨୪ ପୃଥିବୀବାସୀଙ୍କ ସ୍ବାଗତ, ଆନନ୍ଦ ଉଲ୍ଲାସ ମଧ୍ୟରେ ଧରାବତରଣ କଲାଣି। ଦିନେ ଏହିଭଳି ଆସିଥିବା ୨୦୨୩ ଏବେ ଅତୀତ ହୋଇଛି। ଏହା ହି ଁ ସଂସାରର ଧର୍ମ, ନୀତି-ନିୟମ ଓ ପରମ୍ପରା। ବିଶ୍ବ ବ୍ରହ୍ମାଣ୍ଡର ଏହା ହିଁ ପୁଣି ଚିର ସତ୍ୟ। ଏଥି ସହିତ ପୃଥିବୀ ଗ୍ରହର ଧର୍ମ ମଧ୍ୟ ବିଚିତ୍ର। ଏହା ପୃଷ୍ଠରେ କାହାର ସ୍ମୃତି ଚିରକାଳ ଯାଏ ସୁରକ୍ଷିତ ରହେନାହିଁ। ଇତି ମଧ୍ୟରେ ଏହି ଗ୍ରହ ସୃଷ୍ଟିଠାରୁ କୋଟିକୋଟି ବର୍ଷ ଗତ ହେଲାଣି। ଏହା ପୃଷ୍ଠରେ ଜନ୍ମ ନେଇଥିବା ଅନେକ ଜୀବଜନ୍ତୁ, ଛୋଟବଡ଼ କୀଟ ତଥା ଉଦ୍ଭିଦମାନଙ୍କ ମଧ୍ୟରୁ କେତେକ ବିଶାଳକାୟ, କ୍ଷୁଦ୍ରକାୟ, ସୁନ୍ଦର, ଅସୁନ୍ଦର ଜୀବଜନ୍ତୁ ତଥା ଉଦ୍ଭିଦମାନେ ଯେ ନିଜ ନିଜର କାର୍ଯ୍ୟ ସାରି ଅସ୍ତମିତ ହୋଇଛନ୍ତି। ଅତୀତର କେତେକ ଜୀବଙ୍କର ସ୍ମୃତି କାଳର ଗର୍ଭରୁ ଉଦ୍ଧାର କରି ଏମାନଙ୍କ ସମ୍ପର୍କରେ କିଛି ତଥ୍ୟ ଜାଣିବାରେ ଆମେ ଏବେ ସକ୍ଷମ ହୋଇପାରିେଛ। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏବେ ସେଭଳି ଜୀବନ୍ତ ପ୍ରାଣୀଟିଏ ଦେଖିବାରେ ସକ୍ଷମ ହୋଇପାରିନାହୁଁ।
ଏଠାରେ ଗୋଟିଏ କଥା ସତ୍ୟ ଯାହା ହେଉଛି- ‘ମର୍ତ୍ତ ମଣ୍ଡଳେ ଜନ୍ମ ହୋଇ ଦେବତା ହେଲେ ବି ମରଇ।’ ମୃତ୍ୟୁ ପରବର୍ତ୍ତୀ ଅବସ୍ଥା ସମ୍ପର୍କରେ ଆମେ ଯେତେ ଯାହା କହିଲେ ମଧ୍ୟ ତା’ର ପ୍ରକୃତ ସତ୍ୟ ସମ୍ପର୍କରେ କେହି ଦୃଢ଼ତାର ସହ କହିପାରିବେ ନାହିଁ, କାରଣ ଏହାର କୌଣସି ତଥ୍ୟଭିତ୍ତିକ ପ୍ରମାଣ ଏଯାଏ ମିଳି ପାରିନାହିଁ।
ତେବେ ୨୦୨୩ ମଧ୍ୟରାତ୍ରିରେ ଆମେ ପୃଥିବୀବାସୀ ନୂଆବର୍ଷକୁ ବାଣଫୁଟାଇ ସ୍ବାଗତ କରି ହର୍ଷ ଉଲ୍ଲାସ, ଉନ୍ମାଦନା ଓ ବହୁମୁଖୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାଗତ କରିବା ସହ ଆଶା କରୁ ଯେ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବ ବ୍ରହ୍ମାଣ୍ଡରେ ଏକମାତ୍ର ସଜୀବ ଗ୍ରହ ପୃଥିବୀର ଜୀବଜଗତ ଆଗାମୀ ଦିନରେ ସୁଖ, ଶାନ୍ତି ମଧ୍ୟରେ ସମୟ କଟାଇବେ। କାରଣ ଭୂପୃଷ୍ଠରେ କେତେବେଳେ କିଭଳି ଅବସ୍ଥା ଘଟିବ ବା କି ପ୍ରକାର ପ୍ରାକୃତିକ ବିପତ୍ତି ବା ମାନବ ଦ୍ବାରା ସୃଷ୍ଟ ବିପତ୍ତି ମାଡ଼ି ଆସି ଅସୀମ ଧନ, ଜୀବନ ବିନାଶର କାରଣ ହେବ ତାହା କେହି କହିପାରିବେ ନାହିଁ। ଆମେ ଜାଣୁ ଯେ, ପୃଥିବୀର ୩ଭାଗ ସମୁଦ୍ର ପରେ ମାତ୍ର ଏକଭାଗ ସ୍ଥଳରେ ହିଁ କେତେଗୁଡ଼ିଏ ଜୀବଜନ୍ତୁଙ୍କ ସହ ମଣିଷ ଭଳି ବୁଦ୍ଧିମାନ ଜୀବ ବସବାସ କରେ। ମଣିଷ ଏବେ ନିଜର ବିଦ୍ୟା, ବୁଦ୍ଧି ମାଧ୍ୟମରେ ଅନେକ ଅବିଶ୍ବସନୀୟ ବିକାଶ ପୃଥିବୀ ପୃଷ୍ଠରେ ଘଟାଇ ଦିନେ ଏକ ପରିତ୍ୟକ୍ତ, ବାସ ଅନୁପଯୋଗୀ କ୍ଷେତ୍ର ଥିବା ସ୍ଥାନକୁ କେବଳ ଯେ ଆକର୍ଷଣୀୟ ସ୍ଥାନରେ ପରିଣତ କରିପାରିଛି ତାହା ନୁହେଁ ପରନ୍ତୁ ନିଜର ସଂଖ୍ୟା ୮୪୨ କୋଟିରୁ ଅଧିକ ବଢ଼ାଇ ସାରା ପୃଥିବୀ ପୃଷ୍ଠରେ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଛି।
ତେବେ ଉଲ୍ଲେଖନୀୟ ଘଟଣା ହେଉଛି ଏସବୁ ସତ୍ତ୍ବେ ମଣିଷ ଯେତେ ବୁଦ୍ଧିବତ୍ତା ସହ ବଳବାନ ହେଲେ ମଧ୍ୟ ପ୍ରକୃତି ଆଗରେ ସଂପୂର୍ଣ୍ଣ ଅସହାୟ। ବିଗତ ୨୦୨୩ ମସିହାରେ ସବୁଠାରୁ ଉଲ୍ଲେଖନୀୟ ଓ ଉଦ୍ବେଗଜନକ ବିଷୟ ହେଉଛି ଯେ ଏହି ୩୬୫ ଦିନ ମଧ୍ୟରେ ଯେତେ ସଂଖ୍ୟକ ମଣିଷଙ୍କ ସହ ଅନ୍ୟାନ୍ୟ ପ୍ରାଣୀ ଏବଂ ଉଦ୍ଭିଦରାଜି ପ୍ରାକୃତିକ ବିପତ୍ତିରେ ପ୍ରାଣ ହରାଇଛନ୍ତି ତା’ଠାରୁ କିଛି କମ୍ ସଂଖ୍ୟକ ଜୀବ ମଣିଷ ମଣିଷ ମଧ୍ୟରେ ଘଟିଥିବା ଯୁଦ୍ଧ ଭଳି ଭୟାବହ ସଂଘର୍ଷ ଦ୍ବାରା ହିଁ ଅସହାୟ, ତଥା ଅବିଶ୍ବସନୀୟ ଭାବେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାୟ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ସଂଖ୍ୟକ ସାଧାରଣ ମଣିଷ ଓ ଲକ୍ଷାଧିକ ସଂଖ୍ୟକ ସେନାଙ୍କ ମୃତ୍ୟୁ ଘଟିଥିବା ବେଳେ ଇତି ମଧ୍ୟରେ ଇସ୍ରାଏଲ ଓ ହମାସ ଯୁଦ୍ଧରେ ମଧ୍ୟ ପାଖାପାଖି ଏକଲକ୍ଷ ଲୋକ ବିଶେଷଭାବେ ମହିଳା ଏବଂ ନିରପରାଧ ଶିଶୁଙ୍କ ମୃତ୍ୟୁ ହିଁ ବର୍ତ୍ତମାନର ପୃଥିବୀ ପୃଷ୍ଠରେ ଘଟୁଥିବା ଅମାନବୀୟ ଘଟଣା ସମ୍ପର୍କରେ ଆମକୁ ସୂଚନା ଦେଇଥାଏ। ଆଉ ଗୋଟିଏ ଉଲ୍ଲେଖନୀୟ ଘଟଣା ହେଉଛି ପୃଥିବୀର ସମସ୍ତ ପ୍ରାଣୀଜଗତ ଓ ଉଦ୍ଭିଦ ସଂପଦ ସେତେଦିନଯାଏ ଏହା ପୃଷ୍ଠରେ ସୁଖ ଶାନ୍ତିରେ ବଞ୍ଚିରହିପାରିବେ ଯେତେଦିନ ଯାଏ ଏହାର ପରିେବଶ ସୁନ୍ଦର ତଥା ବାସୋପଯୋଗୀ ରହିଥିବ।
ମାତ୍ର ଏବେକାର ଅବସ୍ଥାକୁ ପର୍ଯ୍ୟାଲୋଚନା କଲେ ଦେଖାଯାଏ, କ୍ରମେ ପୃଥିବୀପୃଷ୍ଠ ଜୀବନ୍ତ ବସ୍ତୁଙ୍କୁ ଦୀର୍ଘସମୟ ଧରି ସୁସ୍ଥ ବସତି ଯୋଗାଇ ଦେବା ପାଇଁ କ୍ରମେ ଅନୁପଯୋଗୀ ହେବାରେ ଲାଗିଛି। ଆମେ ପରମାଣୁ ବୋମାର ଭୟାବହ ତଥା ବିନାଶକାରୀ ଦୃଶ୍ୟକୁ ଦେଖି ମଧ୍ୟ ଏଯାଏ ଏହି ସାମୂହିକଗଣ ମୃତ୍ୟୁ ଅସ୍ତ୍ରର ମୋହକୁ ତ୍ୟାଗ କରିପାରି ନାହଁୁ। ଏବେ ମଧ୍ୟ ଚୀନ, ଉତ୍ତରକୋରିଆ ଭଳି କେତେକ ଦେଶ ଏହାକୁ ଅଧିକ ମାରକ କରିବାରେ ଲାଗିବା ସହ ଲକ୍ଷଲକ୍ଷ ଲୋକଙ୍କୁ ମାରିବା ସ୍ବପ୍ନରେ ବିଭୋର ହୋଇ ପରମାଣୁ ବୋମାର ପରୀକ୍ଷା କରିଚାଲିଛନ୍ତି। ତଥାପି ସାଧାରଣ ଲୋକେ ଆଗାମୀ କାଲିକୁ ନେଇ ସ୍ବପ୍ନ ଦେଖୁଛନ୍ତି, ଉତ୍ସବ ପାଳୁଛନ୍ତି, ନିଜର ଭବିଷ୍ୟତପିଢ଼ିଙ୍କର ଦୀର୍ଘନିରାମୟ ଜୀବନ ପାଇଁ ଆରାମପ୍ରଦ ବାସଗୃହ ନିର୍ମାଣ କରୁଛନ୍ତି। ଅପର ପକ୍ଷରେ ‘ସ୍ବଜାତି ପରମ ହିଂସ୍ର’ ନ୍ୟାୟରେ ମଣିଷ, ମଣିଷକୁ ଡରାଇ ଚାଲିଛି। ଭୟ ଆମ ପିଛା ଛାଡ଼ୁନାହିଁ।
ଆଗାମୀ ଦିନରେ ବିଜ୍ଞ ମଣିଷ ହିଁ ସମଗ୍ର ଜୀବଜଗତ ପାଇଁ ଧ୍ବଂସର କାରଣ ଯେ ନ ହେବ ତାହା କିଏ କହିବ। ଏସବୁ ସତ୍ତ୍ବେ ଚାଲନ୍ତୁ ନବ ବର୍ଷକୁ ସ୍ବାଗତ କରିବା ଓ ହିଂସ୍ର ମଣିଷଙ୍କୁ ସୁଖ, ଶାନ୍ତି ଓ ଅହିଂସା ପଥକୁ ଆଣି ପୃଥିବୀକୁ ଏକ ହିଂସା ନଥିବା ସୁନ୍ଦର ସ୍ଥାନରେ ପରିଣତ କରିବାରେ ଉଦ୍ୟମ କରିବା। ଏ ଦିଗରେ ସଚେତନତା ସୃଷ୍ଟି ହିଁ ଆଜିର ଆବଶ୍ୟକତା। ଚାଲନ୍ତୁ ଜାତି, ଧର୍ମ, ମତ ସବୁ ଭୁଲି ଏକାଠି ହେବା, ଦୃଢ଼ ସ୍ବରରେ କହିବା ଆମ ବସତି ପାଇଁ ରହିଛି ଗୋଟିଏ ପୃଥିବୀ ଓ ଏହାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ।ଏବେ ଆମ ପାଇଁ ଗୋଟିଏ ସ୍ଳୋଗାନ ‘ସବୁ ଛାଡ଼ିବା, ପୃଥିବୀ ଗଢ଼ିବା’।
Comments are closed.