ସର୍ବେ ଭବନ୍ତୁ ସୁଖିନଃ

- ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ

ଗ୍ରିଗୋରୀୟାନ କ୍ୟାଲେଣ୍ଡର ଅନୁସାରେ ୨୦୨୦ ବିଦାୟ ନେଇଛି ଓ ୨୦୨୧ ପାଦ ଥାପିଛି। ବିଭିନ୍ନ ସଂସ୍କୃତିରେ ନୂଆବର୍ଷ ଭିନ୍ନଭିନ୍ନ ଦିନ ଓ ସମୟରେ ଆରମ୍ଭ ହେଉଥିଲେ ହେଁ ସମଗ୍ର ବିଶ୍ବରେ ୧ ଜାନୁଆରୀକୁ ନୂଆବର୍ଷର ପ୍ରଥମ ଦିବସ ଭାବେ ଗଣାଯାଉଛି। ତେବେ ବିଗତ ବର୍ଷଟି ମନୁଷ୍ୟ ଜାତି ପାଇଁ ଯେଉଁ ସ୍ବାସ୍ଥ୍ୟ-ବିପର୍ୟ୍ୟୟ ଆଣିଥିଲା, ତାହା ତା’ର ସର୍ବାଙ୍ଗୀଣ ବିକାଶରେ ଯେପରି କ୍ଷତି ପହଞ୍ଚାଇଛି ତାହା ଅପୂରଣୀୟ। କୋଭିଡ଼-୧୯ ଭୂତାଣୁରୁ ସୃଷ୍ଟ ମହାମାରୀ କେବଳ ସାମାଜିକ ସଂପର୍କକୁ ଚ୍ଛିନ୍ନବିଚ୍ଛିନ୍ନ କରିଦେଇ ନଥିଲା, ତା’ର ଆର୍ଥିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଇଥିଲା। ତାଲାବନ୍ଦୀ, ପୃଥକ୍‌ବାସ, ସଂଗରୋଧ ଭଳି ନୂଆନୂଆ ପ୍ରତିବନ୍ଧକ ଭିତରେ ସଂଘର୍ଷ କରି ମଣିଷକୁ ବାଧ୍ୟହୋଇ ବଞ୍ଚିବାକୁ ପଡ଼ିଲା। ନିଃସଙ୍ଗବୋଧ ମଣିଷକୁ ଅସହାୟ କରିଦେଲେ ବି ସେଥରୁ ଉଧୁରିବାର କିଛି ଉପାୟ ନଥିଲା। ଲକ୍ଷଲକ୍ଷ ଲୋକ ନିଜର ପ୍ରିୟପରିଜନଙ୍କୁ ହରାଇବା ଏବଂ ମରଣ ପରେ ବି ତାଙ୍କ ପାଇଁ ଅସ୍ପୃଶ୍ୟ ହୋଇ ରହିବାର ଦୃଶ୍ୟ ଥିଲା ହୃଦୟବିଦାରକ। ତେବେ ଏବେ ବି ଏ ଡର ଯାଇନାହିଁ। କେଉଁଠି ନା କେଉଁଠି ଅଦୃଶ୍ୟ ଭୂତାଣୁ ମଣିଷ ପାଇଁ ପାଲଟିଛି ମୃତ୍ୟୁଦୂତ। ତେଣୁ ସେଥିପ୍ରତି ସାବଧାନ ରହିବାକୁ ହେବ। ସ୍ବାସ୍ଥ୍ୟ ସତର୍କତାସବୁକୁ ମାନି ଚଳିବାକୁ ପଡ଼ିବ।

ଅଳ୍ପ ଦିନ ତଳେ ବ୍ରିଟେନରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍‌ ଆବିଷ୍କାର କରାଯିବା ପରେ ପୁଣି ଥରେ ଚିନ୍ତା ବଢ଼ିଛି। ତେଣୁ ନୂଆବର୍ଷର ଖୁସିକୁ ଏହା ନଷ୍ଟ କରିଦେଇଛି। ୩୧ ତାରିଖ ରାତିରେ ହର୍ଷୋଲ୍ଲାସରେ ପାଳିତ ହେଉଥିବା ‘ଜିରୋ ନାଇଟ୍‌’କୁ ବି ବାତିଲ୍‌ କରିବାକୁ ପଡ଼ିଛି। ଓଡ଼ିଶା ସମେତ ଅନେକ ରାଜ୍ୟ ରାତ୍ରିକର୍ଫ୍ୟୁ ଜାରି କରିବାକୁ ବାଧ୍ୟ ହୋଇଛନ୍ତି। ବିପଦ ଟଳିନାହିଁ। ତେଣୁ ପୂର୍ବ ସତର୍କତା ବଜାୟ ରଖିବା ହିଁ ବୁଦ୍ଧିମାନର କାମ ହେବ।

କରୋନା ମହାମାରୀ ମଣିଷକୁ ବହୁତ କିଛି ଶିକ୍ଷା ବି ଦେଇଛି। ଅଯଥା ବୁଲାବୁଲି ବନ୍ଦ କରିବାଠାରୁ ଆରମ୍ଭ କରି ବାହାର ଖାଦ୍ୟ ନଖାଇ ଘରରନ୍ଧା ତଟକା ଖାଦ୍ୟ ଖାଇବାକୁ ଏହା ଆମକୁ ବାଧ୍ୟ କରିଛି। ସ୍ବଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ଯେ ସ୍ବାସ୍ଥ୍ୟରକ୍ଷାର ମୂଳ, ତାକୁ ମଧ୍ୟ ଚିହ୍ନାଇ ଦେଇଛି। ସମଗ୍ର ବିଶ୍ବରେ ପ୍ରଦୂଷଣ ଏକ ବଡ଼ ବିପଦ ଭାବେ ଉଭା ହୋଇଥିବାବେଳେ ଏହାକୁ କରୋନାଜନିତ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କିଛି ମାତ୍ରାରେ ହ୍ରାସ କରିଛି ଓ କିପରି କମାଇହେବ, ତାହା ମଧ୍ୟ ଶିଖାଇଛି। ଅନ୍ୟକୁ ବିପଦ ସମୟରେ ସାହାଯ୍ୟ କରିବାର ମନୋଭୂମିଟିଏ ଆମ ଭିତରେ ସୃଷ୍ଟି କରିଛି। ପ୍ରତିକୂଳ ପରିବେଶରେ ବଞ୍ଚିରହିବାର ମନ୍ତ୍ର ବି ଏହା ବତେଇ ଦେଇଛି।

ସାରା ପୃଥିବୀର କରୋନା ଯୋଦ୍ଧା ତଥା ବୈଜ୍ଞାନିକମାନଙ୍କର ଐକାନ୍ତିକ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ଏହି ଭୟଙ୍କର ଭୂତାଣୁକୁ ଆମେ ହରାଇପାରିବା ବୋଲି ଆଶା ଜନ୍ମିଛି; କାରଣ ଏବେ କେବଳ ଏହାର ସଂକ୍ରମଣ ହ୍ରାସ ପାଇନାହିଁ, ଟିକା ତିଆରିରେ ମଧ୍ୟ ସଫଳତା ପାଇଛୁ। ତେଣୁ ନୂତନ ବର୍ଷ ମାନବ ସମାଜ ପାଇଁ ଆଣିବ ନୂତନ ସମ୍ଭାବନା ଓ ଉଦ୍ଦୀପନା, ତାହା ଆମେ ଆଶା କରିବା। ଆହୁରି ମଧ୍ୟ ଆଶା ଯେ ଏହି ନୂଆବର୍ଷଟି ସଂପୂର୍ଣ୍ଣ କରୋନାମୁକ୍ତ ହେବ। ଆମେ ଆଶା କରିବା ଏ ବର୍ଷ ମଣିଷ ମନରୁ ଶୋକ, ସନ୍ତାପ, ନିଃସଙ୍ଗତା, ଭୟ, ଅସ୍ଥିରତା, ଅନିଶ୍ଚିତତା ଆଦି ଦୂର ହୋଇ ସୁଖ, ଶାନ୍ତି ଓ ସମୃଦ୍ଧି ଫେରିଆସୁ; ନୂତନ ସମ୍ବନ୍ଧ ଯୋଡ଼ି ହୋଇ ମଣିଷ ନିଜକୁ ଅଧିକ ସଭ୍ୟ ଓ ସାମାଜିକ କରୁ। ଆମ ଦେଶ ଭାରତବର୍ଷ ଜ୍ଞାନବିଜ୍ଞାନ, କଳାସଂସ୍କୃତି, ନୀତିରାଜନୀତିରେ ଉତ୍କର୍ଷ ଲାଭ କରୁ। ନୂତନ ବର୍ଷ ସମଗ୍ର ବିଶ୍ବ ପାଇଁ ମଙ୍ଗଳମୟ ହେଉ। ଆମେ ବୃହଦାରଣ୍ୟକ ଉପନିଷଦର ସେହି ପ୍ରାର୍ଥନାଟିକୁ ସର୍ବଦା ମନ ଭିତରେ ରଖିବା:
ଓଁ ସର୍ବେ ଭବନ୍ତୁ ସୁଖିନଃ
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିତ୍‌ ଦୁଃଖ ଭାଗ୍‌ ଭବେତ୍‌।

ଅର୍ଥାତ୍‌, ସମସ୍ତେ ସୁଖୀ ହୁଅନ୍ତୁ; ସମସ୍ତେ ରୋଗମୁକ୍ତ ରହନ୍ତୁ; ସମ​‌େ​‌ସ୍ତ ମଙ୍ଗଳମୟର ସାକ୍ଷୀ ହୁଅନ୍ତୁ ଏବଂ କାହାକୁ ମଧ୍ୟ କୌଣସି ଦୁଃଖର ଭାଗୀ ହେବାକୁ ନ ପଡ଼ୁ।

ସମସ୍ତଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ସହ ମଙ୍ଗଳ କାମନା।

Comments are closed.