ବର୍ଷକ ଭିତରେ କିଛି ପ୍ରମାଣ ନହେଲେ ଜବତ ସମ୍ପତ୍ତି ଫେରାଇବାକୁ ହେବ, ଇଡିକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ଯାଞ୍ଚରେ ଗୋଟିଏ ବର୍ଷ ଭିତରେ କୌଣସି ଅଭିଯୋଗ ସାବ୍ୟସ୍ତ ହୋଇପାରୁନି ତେବେ ଇଡିକୁ ତାଙ୍କର ସବୁ ଜବତ ହୋଇଥିବା ସମ୍ପତ୍ତି ଫେରାଇବାକୁ ହେବ । ଏକ ମନି ଲଣ୍ଡ୍ରିଂ ମାମଲାରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏମିତି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ଯଦି ୩୬୫ ଦିନର ଯାଞ୍ଚ ପରେ ମଧ୍ୟ କିଛି ପ୍ରମାଣିତ ହୋଇପାରୁନି ତେବେ ସମ୍ପତ୍ତିକୁ ଜବତ କରିବାର ଅବଧି ଲ୍ୟାପ୍ସ ହୋଇଯାଏ । ପରେ ସେହି ସମ୍ପତ୍ତିକୁ ତା ମାଲିକଙ୍କୁ ଫେରାଇବାକୁ ହେବ । କୋର୍ଟ ମହେନ୍ଦ୍ର କୁମାର ଖଣ୍ଡେଲଓ୍ବାଲ ବନାମ ଇଡି ମାମଲାରେ ଶୁଣାଣି କରି ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ।

ଜଷ୍ଟିସ ନବୀନ ଚାଓ୍ବଲା କହିଛନ୍ତି କି ମନି ଲଣ୍ଡ୍ରିଂ ଆକ୍ଟ ମାମଲାରେ ବର୍ଦ୍ଧିତ ଅବଧି ସେହି ସମୟକୁ ଧରାଯାଏ ଯେବେ କେସ୍ ଅଦାଲତରେ ଚାଲିଥାଏ । ତଦନୁସାରେ ସମନକୁ ଚାଲେଞ୍ଜ ଦେବା, ଜବତ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆବେଦନ ଦାୟର କରିବା ଏବଂ ସେଥିରେ ଶୁଣାଣିର ଅବଧି ସାମିଲ ନାହିଁ । ଏଭଳି କ୍ଷେତ୍ରରେ ଏକ ବର୍ଷ ଭିତରେ ଯଦି ଯାଞ୍ଚ ପୁରା ହୋଇପାରୁନି ଏବଂ ମାମଲା ଆଗକୁ ବଢିପାରୁନି ତେବେ ଜବତ କରାଯାଇଥିବା ସମ୍ପତ୍ତି ଫେରାଇବାକୁ ହେବ । କେବଳ ସେତିକି ନୁହେଁ, କୋର୍ଟ ଏହା ମଧ୍ୟ କହିଛନ୍ତି କି ମନି ଲଣ୍ଡ୍ରିଂ ଆକ୍ଟରେ ସମ୍ପତ୍ତିକୁ ଜବତ କରିବାର ନିୟମ ବହୁତ କଡା । ଏଥିରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବିଚାର କରିବା ଉଚିତ୍ ବୋଲି ମଧ୍ୟ କୋର୍ଟ କହିଛନ୍ତି ।

ଭୂଷଣ ଷ୍ଟିଲ୍ ଆଣ୍ଡ୍ ପାଓ୍ବରର ମହେନ୍ଦ୍ର କୁମାର ଖଣ୍ଡେଲଓ୍ବାଲ ଜଡିତ ମାମଲାରେ ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି । ଖଣ୍ଡେଲଓ୍ବାଲଙ୍କ କହିବାନୁସାରେ ତାଙ୍କ ଘରୁ ଇଡି ସର୍ଚ୍ଚ ସମୟରେ ଅଳଙ୍କାର ଏବଂ ଅନେକ ଦସ୍ତାବେଜ ଜବତ କରିଥିଲା । ଏହି କାର୍ଯ୍ୟାନୁଷ୍ଟାନ ଫେବୃୟାରୀ ୨୦୨୧ରେ ହୋଇଥିଲା । କିନ୍ତୁ ଏବେ ମଧ୍ୟ ତାଙ୍କ ସାମଗ୍ରୀ ଇଡି ପାଖରେ ରହିଛି । ଏଥିରେ ଶୁଣାଣି କରି ହାଇକୋର୍ଟ ଆଦେଶ ଦେଇଛନ୍ତି କି ଇଡି ଯଦି ଏକ ବର୍ଷ ପରେ ମଧ୍ୟ ଯାଞ୍ଚ ଜାରି ରଖୁଛୁ ତେବେ ଜବତ ସମ୍ପତ୍ତିକୁ ଫେରାଇବାକୁ ହେବ ।

Comments are closed.