ବଢୁଛି ବାଣିଜ୍ୟ ନିଅଣ୍ଟ; ଶୀର୍ଷରେ ଚୀନ

ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ ୧୦ ବାଣିଜ୍ୟ ଅଂଶୀଦାରଙ୍କ ମଧ୍ୟରୁ ୯ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ଦେଖାଦେଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚୀନ୍‌‌, ଋଷ, ସିଙ୍ଗାପୁର ଓ କୋରିଆ ମଧ୍ୟରେ ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ବାଣିଜ୍ୟ ନିଅଣ୍ଟ ଦେଖାଦେଇଥିଲା। ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷରେ ଚୀନ, ଋଷ, କୋରିଆ ଓ ହଂକଂ ସହିତ ବାଣିଜ୍ୟ ନିଅଣ୍ଟ ବଢିଥିଲା। ଅନ୍ୟପକ୍ଷରେ ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ, ଇଣ୍ଡୋନେସିଆ ଓ ଇରାକ ମଧ୍ୟରେ ବାଣିଜ୍ୟ ନିଅଣ୍ଟ କମିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚୀନ ସହ ଭାରତର ବାଣିଜ୍ୟକ ନିଅଣ୍ଟ ବଢି ୮୫୦୦ କୋଟି ଡଲାରରେ ପହଞ୍ଚିଥିଲା। ସେହିପରି ଋଷ ସହିତ ୫୭୨୦କୋଟି ଡଲାର, କୋରିଆ ସହିତ ୧୪୭୧କୋଟି ଡଲାର ହଂକଂ ସହ ୧୨୨୦କୋଟି ଡଲାର ହୋଇଥିଲା। ୨୦୨୨-୨୩ରେ ଯଥାକ୍ରମେ ୮୩୨୦କୋଟି ଡଲାର, ୪୩୦୦କୋଟି ଡଲାର, ୧୪୫୭କୋଟି ଡଲାର ଓ ୮୩୮୦କୋଟି ଡଲାରର ବାଣିଜ୍ୟ ନିଅଣ୍ଟ ହୋଇଥିଲା।
୨୦୨୩-୨୪ରେ ଚୀନ ଆମେରିକାକୁ ପଛରେ ପକାଇ ଉଭୟ ରପ୍ତାନି ଓ ଆମଦାନୀ କ୍ଷେତ୍ରରେ ୧୧୮୪୦କୋଟି ଡଲାରର ବାଣିଜ୍ୟ ସହ ଭାରତର ପ୍ରମୁଖ ବାଣିଜ୍ୟ ଅଂଶୀଦାର ପାଲଟିଛି। ୨୦୨୧-୨୨ରୁ ୨୦୨୨-୨୩ ମଧ୍ୟରେ ଆମେରିକା ଭାରତର ପ୍ରମୁଖ ବାଣିଜ୍ୟ ଅଂଶୀଦାର ଥିବାବେଳେ ୨୦୨୩-୨୪ରେ ଏହା ଦ୍ୱିତୀୟ ସ୍ଥାନକୁ ଖସି ୧୧୮୨୮କୋଟି ଡଲାରର ବ୍ୟବସାୟ କରିଥିଲା। ଭାରତ ଏବେ ସିଙ୍ଗାପୁର, ସଂଯୁକ୍ତ ଆରବ ଅମିରାତ, କୋରିଆ ଓ ଇଣ୍ଡୋନେସିଆ ସହ ମୁକ୍ତ ବାଣିଜ୍ୟ କରୁଛି। ୨୦୨୨-୨୩ରେ ଭାରତର ମୋଟ ବାଣିଜ୍ୟ ନିଅଣ୍ଟ ୨୬୪୯୦କୋଟି ଡଲାର ଥିବାବେଳେ ୨୦୨୩-୨୪ରେ ଏହା କମି ୨୩୮୩୦କୋଟି ଡଲାରରେ ପହଞ୍ଚିଛି।
ବିଶେଷଜ୍ଞଙ୍କ ଅନୁସାରେ ଯଦି କୌଣସି ଦେଶ ଉତ୍ପାଦନ ଏବଂ ରପ୍ତାନୀ ବୃଦ୍ଧି ପାଇଁ କଞ୍ଚାମାଲ ଆମଦାନୀ କରେ ତେବେ ବାଣିଜ୍ୟ ନିଅଣ୍ଟ ସର୍ବଦା ଖରାପ ନୁହେଁ। ହେଲେ ଏହା ଘରୋଇ ମୁଦ୍ରା ଉପରେ ଚାପ ପକାଇଥାଏ। ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ କହିଛି ଯେ ଗୋଟିଏ ଦେଶ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ନିଅଣ୍ଟ ଏକ ପ୍ରମୁଖ ପ୍ରସଙ୍ଗ ନୁହେଁ, ଯଦି ଏହା ଆମକୁ ସେହି ଦେଶର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଉପରେ ଅତ୍ୟଧିକ ନିର୍ଭରଶୀଳ କରେ ନାହିଁ। ତଥାପି ସାମଗ୍ରିକ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ଅର୍ଥନୀତି ପାଇଁ କ୍ଷତିକାରକ। ଜିଟିଆରଆଇ ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ବଢୁଥିବା ବାଣିଜ୍ୟ ନିଅଣ୍ଟ ଦେଶର ମୁଦ୍ରା ମୂଲ୍ୟ ହ୍ରାସ କରିପାରେ। କାରଣ ଆମଦାନୀ ପାଇଁ ଅଧିକ ବିଦେଶୀ ମୁଦ୍ରା ଆବଶ୍ୟକ ହୋଇଥାଏ।

Comments are closed.