କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁସଙ୍ଗିକ ଚିକିତ୍ସା ସୁବିଧା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ବେଳେ ଦାବି

କଲମପୁର – କଳାହାଣ୍ଡି ଜିଲ୍ଲା କଲମପୁର ସମିତି କାର୍ଯ୍ୟାଳୟ ପରିସରରେ ଥିବା ଏସ.ଜି.ଏସ.ୱାଇ ମିଟିଂ ହଲ୍‌ ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି । କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତି ସାରିଥିଲେ ମଧ୍ୟ ଭିତିଭୂମି ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ମାତ୍ର ୬ ଗୋଟି ଅନ୍ତଃ ବିଭାଗ ଶଯ୍ୟା ସ୍ୱୀକୃତି ରହିଛି । କିନ୍ତୁ ରୀତିମତ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କଲମପୁର ସମେତ, ଜୟପାଟଣା,ଜୁନାଗଡ ଏବଂ ଥୁଆମୁଳ ରାମପୁର ଅଂଚଳର ଶତାଧିକ ବର୍ହିଃ ବିଭାଗ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଅନ୍ତଃ ବିଭାଗରେ ୨୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି । ବାର୍ଷିକ ପ୍ରାୟ ୪୨ ହଜାରରୁ ଅଧିକ ରୋଗୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଚିକିତ୍ସା ସେବା ପାଉଛନ୍ତି । ଏହାସହ ବାର୍ଷିକ ୯ଶହରୁ ଅଧିକ ଗର୍ଭବତୀ ଚିକିତ୍ସା କେନ୍ଦ୍ରର ପ୍ରସବ କେନ୍ଦ୍ରରେ ପ୍ରସବ କରୁଛନ୍ତି । କିନ୍ତୁ ରୋଗୀଙ୍କ ତୁଳନାରେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାରେ ଅଦ୍ୟାବଧି ଶଯ୍ୟା ସଂଖ୍ୟା ଓ କର୍ମଚାରୀ ସଂଖ୍ୟା ସହ ଔଷଧ ଓ ଚିକିତ୍ସା ସରଞ୍ଜାମ ଅଭାବ ଯୋଗୁଁ ଗରୀବ ରୋଗୀ ବାଧ୍ୟ ହେଇ ଦାକାନରୁ ଔଷଧ ଓ ସ୍ୱାସ୍ଥ୍ୟ ସରଞ୍ଜାମ ଖରିଦ କରିବା ପାଇଁ ବାଧ୍ୟ ହେଉଛନ୍ତି ।

ସେହିଭଳି ଅନେକ ବୈଦ୍ୟୁତିକ ଯନ୍ତ୍ରପାତି ଥିଲେ ମଧ୍ୟ ତିନିଫେଜ ବିଶିଷ୍ଟ ବିଦ୍ୟୁତ୍‌ ସେବା ଉପଲ୍ୱଧ ନଥିବା ଯୋଗୁଁ ରଞ୍ଜନ ରଶ୍ମି ଭଳି ମେସିନ ଅଚଳ ହେଇ ପଡି ରହିଛି । ଏହାସହ ଡାକ୍ତରଙ୍କ ପାଇଁ ଥିବା ବାସ ଗୃହ ବାସ ଅନୁପଯୋଗୀ ହେଲେ ମଧ୍ୟ ବାଧ୍ୟ ହେଇ ୫୦ ବର୍ଷରୁ ଅଧିକ ପୁରୁଣା ଘର ଗୁଡିକରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହାର ସମାଧାନ ପାଇଁ ତୁରନ୍ତ ବ୍ୟବସ୍ଥା ପୂର୍ବତନ ସରପଂଚ ବିଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ସମାଧାନ ପାଇଁ ଅନୁରୋଧ କରିଥିଲେ । ସେହିଭଳି କଲମପୁର ଠାରୁ ରାଜଧାନୀ ଭୁବନେଶ୍ୱର ଏବଂ ବିଶାଖାପାଟଣା ସମେତ ଉପଖଣ୍ଡ ଧର୍ମଗଡକୁ ଯୋଗାଯୋଗ ପାଇଁ ଯାତ୍ରୀ ବାହୀ ବସ ସେବା ଯୋଗାଇ ଦେବାକୁ ଦାବି କରାଯାଇଥିଲା ।

ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ୩୦ ଗୋଟି ସାମୂହିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଅନୁରୋଦ କରାଯାଇଥିବା ବେଳେ ଗ୍ରାମୀଣ ଆବାସ ଯୋଜନା ପାଇଁ ୫୮ ଓ ସମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ୫ଗୋଟି ଅଭିଯୋଗ ପତ୍ର ଦାଖଲ ହେଇଥିଲା । ଏହି ସମସ୍ତ ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳ ଅବଗତ ହେବା ସହ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ  ସରକାରୀ ଅଧିକାରୀଙ୍କ ସହ ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ଥିଲେ ।

Comments are closed.