ଭୁବନେଶ୍ୱର: ଗୁରୁର୍ବ୍ରହ୍ମା, ଗୁରୁର୍ବିଷ୍ଣୁଃ, ଗୁରୁର୍ଦେବ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ, ତସ୍ମୈ ଶ୍ରୀଗୁରବେ ନମଃ। ଆଜିର ଦିନଟି ସମ୍ପୂର୍ଣ୍ଣ ଭାବେ ଗୁରୁଙ୍କ ପାଇଁ ଉତ୍ସର୍ଗୀକୃତ । ସଂସାରରେ ଗୁରୁଙ୍କ ସମକକ୍ଷ କେହି ନାହାନ୍ତି। ଆମେ ଯାହାବି କିଛି ଜାଣିଛୁ, ଯାହା କିଛି ଜ୍ଞାନ ଆହରଣ କରିଛୁ, ତାହା କେବଳ ଗୁରୁଙ୍କ ପାଇଁ ସମ୍ଭବପର ହୋଇପାରିଛି। ମହର୍ଷି ବାଲ୍ମିକୀ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ବଶିଷ୍ଠଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ଗୁରୁମାନଙ୍କ ପର୍ଯ୍ୟନ୍ତ ଗୁରୁପରମ୍ପରା ସବୁବେଳେ ପୂଜନୀୟ । ଗୁରୁଙ୍କ ଆଶୀର୍ବାଦ ବିନା ଜୀବନରେ ଆଗକୁ ବଢ଼ିବା ଅସମ୍ଭବ। ଶିକ୍ଷକଙ୍କ ପ୍ରତିଟି କଥା ଜୀବନରେ ଆଗକୁ ବଢ଼ିବାକୁ ମାର୍ଗ ପ୍ରଦର୍ଶନ କରେ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୟୁନିଟ୍-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।
ଆଜିର ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏକାମ୍ର, ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଲେ ଯେ ଜୀବନର ପଥ ସବୁବେଳେ ଫୁଲଶଯ୍ୟା ନୁହେଁ। ତେଣୁ ଜୀବନରେ ଆଗକୁ ବଢ଼ିବାକୁ ହେଲେ ନିଜକୁ ଯୁଗ ସହିତ ତାଳଦେଇ ପ୍ରସ୍ତୁତ ହେବାକୁ ହେବ। ଏହା କେବଳ ଗୁରୁଙ୍କ ମାର୍ଗଦର୍ଶନରେ ସମ୍ଭବପର।
ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଗୁଣାତ୍ମକ ଶିକ୍ଷାକୁ ପରିବ୍ୟାପ୍ତ କରିବାରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଦ୍ୟାର୍ଥୀମାନେ ପାଠପଢ଼ା ସହିତ ଖେଳକୁଦ ପ୍ରତି ଆଗ୍ରହ ରଖିବା ସହିତ ଗୁରୁଙ୍କ ମାର୍ଗଦର୍ଶନରେ ସୁନାଗରିକ ହେବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଥିଲେ।
ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ ବିଦ୍ୟାଳୟ ହେଉଛି ବିଦ୍ୟା ଆହରଣ ଏବଂ ଚରିତ୍ର ଗଠନର ର୍ସବାତ୍କୃଷ୍ଟ ସ୍ଥାନ। ଗୁରୁଙ୍କ ପ୍ରତି ସମର୍ପିତ ହୋଇ ଚେଷ୍ଟା ଜାରି ରଖିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ।
ଖୋର୍ଦ୍ଧା ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ ଯୋଗଦେଇ କହିଲେ ଯେ ଶିକ୍ଷା ହିଁ ବିକାଶର ଚାବିକାଠି। ପାଠ ପଢ଼ିବା ସହିତ ନିଜର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିପାରିଲେ ଜୀବନରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବା ସହଜ ହୋଇଥାଏ। ଗୁରୁଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି ସଫଳତା ଲାଭ କରିହେବ ବୋଲି ସେ କହିଥିଲେ।
ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ୍ର ୨୦ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ଜିଲ୍ଲାର କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ଭାବେ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ୫୦ ହଜାର ଟଙ୍କାର ଅର୍ଥରାଶି, ନିମ୍ନ ଆୟକାରୀ ବର୍ଗରେ ରାଜ୍ୟସ୍ତରୀୟ ମେଧାବୃତ୍ତି ପୁରସ୍କାର ଭାବେ ୧୨୩ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି, ଜିଲ୍ଲାସ୍ତରୀୟ ମେଧାବୀ ବୃତ୍ତି ପୁରସ୍କାର ଭାବେ ୧୦୧ ଜଣଙ୍କୁ ପ୍ରତ୍ୟେକ ୧୦ ହଜାର ଟଙ୍କା, ଖୋର୍ଦ୍ଧା ଜିଲ୍ଲାର ୧୦୩୩ ଜଣ ବିଦ୍ୟାର୍ଥୀଙ୍କୁ ବ୍ଲକ୍ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ସ୍ୱରୂପ ୫ ହଜାର ଟଙ୍କା ଏବଂ ଜିଲ୍ଲାର ୨୫୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଓଡ଼ିଆ ଭାଷାବୃତ୍ତି ଭାବେ ୭ହଜାର ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ସହ ମୋଟ ୧୫୩୭ ଜଣ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା ।
ଜିଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ତାପସ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାର ଅଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଏବଂ ରାଜ୍ୟ ସରକାରଙ୍କର ଏହି ଅଭିନବ ଶୈକ୍ଷିକ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏବଂ ଅନ୍ୟ ଅତିଥିବୃନ୍ଦ ଶ୍ରୀଜୀଉମାନଙ୍କ ପ୍ରତିମା ଏବଂ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ।



