ଭୁବନେଶ୍ବର : ରାଜ୍ୟରେ ଏଣିକି ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ବିଷୟରେ ପାଠ ପଢ଼ାଯିବ । ବିଶେଷକରି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ୨୦୨୨-୨୩ ଶିକ୍ଷାବର୍ଷଠାରୁ ଏ ସଂକ୍ରାନ୍ତରେ ପଢ଼ାଯିବା ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରସଙ୍ଗରେ କୋଭିଡ୍ ଭଳି ମହାମାରୀକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିଚାଳନାଗତ
ବ୍ୟବସ୍ଥା, ଏହାର ମୁକାବିଲା, ବୈଜ୍ଞାନିକ ଗବେଷଣା ଅନୁଧ୍ୟାନ ତଥା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପିଲାମାନଙ୍କୁ ସୂଚନା ମିଳିବ। ଏଭଳି ପାଠ୍ୟକ୍ରମ ଦ୍ୱାରା ଆଗାମୀ ପିଢ଼ି ଜଳବାୟୁ ପରିବର୍ତ୍ତନ, ବନ୍ୟା, ବାତ୍ୟା, ଭୂସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ କରୋନା ଭଳି ମହାମାରୀର ମୁକାବିଲା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ।
ଏହା ବ୍ୟତିତ ମନ୍ତ୍ରୀ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷରୁ ଶତ ପ୍ରତିଶତ ପାଠ୍ୟକ୍ରମରେ ପାଠ ପଢ଼ା ହେବ। ପୁରୁଣା ପଦ୍ଧତିରେ ପରୀକ୍ଷା କରାଯିବା ପାଇଁ ମଧ୍ୟ ବିଚାର କରାଯାଉଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କରୋନା କାରଣରୁ ସିଲାବସ୍ରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ ବାଦ୍ ଦିଆଯାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ପୂର୍ବଭଳି ବିଦ୍ୟାଳୟ ସ୍ୱାଭାବିକ ହେବା ସହ ପାଠ୍ୟକ୍ରମ ମଧ୍ୟ ଶତ ପ୍ରତିଶତ ପଢ଼ାଯିବ।



