ଚୋରା ଲଘୁଖଣିଜର ଅବାଧ କାରବାର

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ବ୍ୟାପକ ପରିମାଣର ଲଘୁଖଣିଜ ଦ୍ରବ୍ୟ ଯଥା ମାଙ୍କଡାପଥର ଓ କଳାମୁଗୁନି ପଥର ସମେତ ବାଲି, ମୋରମ୍‌‌ ପ୍ରଭୃତି ଚୋରାରେ ଉତ୍ତୋଳନ କରାଯାଇ ଚାଲାଣ କରାଯାଉଛି। ଏହାକୁ ରୋକିବା ପାଇଁ ପୁଲିସ ପ୍ରଶାସନ ଓ ଅଧିକାରୀଙ୍କ ଆନ୍ତରିକତା ନାହିଁ। ଅତୀତରେ ଏଭଳି ଚୋରା କାରବାରକୁ ରୋକିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଏସ୍‌‌ପି, ଡିଏଫ୍‌‌ଓ, ପୁଲିସ୍‌‌ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ବାସ୍ତବରେ ତାହା କାର୍ଯ୍ୟ କରୁ ନାହିଁ।

ଢେଙ୍କାନାଳ ଜିଲାରେ ଚୋରା ଖଣି ଖାଦାନ ଓ ଏହାର ଚାଲାଣ ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି। ସରକାର କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ସହୁଥିବାବେଳେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ମାଲାମାଲ ହେଉଛନ୍ତି। ହଜାର ହଜାର ଏକର ଜମି ଖଣି ଖାଦାନ ଯୋଗୁଁ ଖାଲ ଖମାଣରେ ପରିଣତ ହୋଇଛି। ଏହା ବର୍ଷ ବର୍ଷ ଧରି ଚାଲିଛି। ଖଣିଜ ପଦାର୍ଥ ଚୋରି ପାଇଁ ଭାରୀଯାନ ବ୍ୟବହୃତ ହେଉଛି। ପ୍ରଶାସନିକ ଅଧିକାରୀ ଓ ପୁଲିସ ବାବୁମାନେ ମାସିକିଆ ନେଇ ଆଖି ବୁଜି ଦେଉଛନ୍ତି।

ଲୋକ ଦେଖାଣିଆ ଭାବେ ମଝିରେ ମଝିରେ ଚଢ଼ଉ କରି କିଛି ଟ୍ରକ୍‌‌କୁ ଜବତ କରି ସେମାନଙ୍କଠାରୁ ଅର୍ଥ ଆଦାୟ ପରେ ଛାଡ଼ି ଦେଉଛନ୍ତି। ଯେଉଁ କେତେଜଣ ଖଣି ଖଦାନ ଉପରେ ଚଢ଼ଉ ପାଇଁ ସାହସ କରିଛନ୍ତି, ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି। ଢେଙ୍କାନାଳ ଜିଲାର ଗଁଦିଆ, ଓଡାପଡ଼ା, ଢେଙ୍କାନାଳ ସଦର ଓ ହିନ୍ଦୋଳ ଅଞ୍ଚଳରେ ବ୍ୟାପକ ପରିମାଣରେ ମାଙ୍କଡା ଓ କଳାପଥର ସହ ଭୁବନ ଓ କାମାଖ୍ୟାନଗରରେ ଥିବା କ୍ରୋମାଇଟ୍‌‌, ନଦୀ ବାଲି ପ୍ରଭୃତି ଚୋରାରେ ଉତ୍ତୋଳନ କରାଯାଇ ଜିଲା ଓ ଜିଲା ବାହାରକୁ ଚାଲାଣ ହେଉଛି। ପଥର ମାଫିଆମାନେ ପ୍ରୋକଲିନ୍‌‌, ଜେସିବି, ଟ୍ରାକ୍ଟର ଓ ବିଭିନ୍ନ ବଡ ବଡ ମେସିନ୍‌‌ ଆଦି ବ୍ୟବହାର କରିବା ସହ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରୁଛନ୍ତି। ପ୍ରଶାସନ ପକ୍ଷରୁ ନିଲାମ ହେଉଥିବା ଖଣିଖାଦାନଗୁଡିକୁ ମାଫିଆମାନେ ନିଲାମରେ ନେଉଛନ୍ତି। ଅନେକ ଖଣି ଖାଦାନରେ ପଥର ସରି ଯାଇଥିବାବେଳେ ସେମାନେ ଏହାର କାଗଜପତ୍ର ଜରିଆରେ ଆଖପାଖ ଅଞ୍ଚଳରୁ ଚୋରା ଖଣି କରି ପଥର ଉତ୍ତୋଳନ କରି ଆସୁଛନ୍ତି।

କେତେକ ଘରୋଇ ଓ ଜଙ୍ଗଲଜମିରୁ ଜୋର୍‌‌ ଜବରଦସ୍ତ ଚୋରା ଖାଦାନ କରି ପଥର ଉତ୍ତୋଳନ କରୁଛନ୍ତି। ଏଥିରୁ ଠାକୁରଙ୍କ ଜମି ମଧ୍ୟ ବାଦ୍‌‌ ପଡୁନି। ଏହି ଖଣି ଖନନ କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଓ ବାହାରର ମାଫିଆମାନେ ସମ୍ପୃକ୍ତ ରହୁଛନ୍ତି। ମାଙ୍କଡ଼ା ପଥର ଖଦାନ ଗୁଡ଼ିକ ଦିନରୁ ରାତି କଟର ମେସିନ୍‌‌ରେ ପଥର କାଟି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି। ଚୋରି ରୋକିବା ପାଇଁ ବିଭିନ୍ନ ଚେକ୍‌‌ପୋଷ୍ଟରେ ସିସି କ୍ୟାମେରା ଲଗାଯାଇ ବେଆଇନ୍‌‌ ପଥର ଓ ବାଲି ଚୋରାଚାଲାଣକାରୀଙ୍କ ଉପରେ ନଜର ରଖାଯିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଏସ୍‌‌ପି, ଡିଏଫ୍‌‌ଓ, ପୁଲିସ୍‌‌ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ବାସ୍ତବରେ ତାହା କାର୍ଯ୍ୟ କରୁ ନାହିଁ।

ଆଜି ଯାଏଁ ଲଘୁ ଖଣିଜ ଚୋରି ଘଟଣାରେ କାହାରି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏହି କାରବାର ଅବାଧରେ ଚାଲୁ ରହିଛି। ଖଣିଜ ପଦାର୍ଥ ଉତ୍ତୋଳନ ପରେ ଖାଲଖମାଣରେ ପରିଣତ ହୋଇଥିବା ଜମି ଗୁଡ଼ିକର ମାପଚୁପ କରାଯାଇ କେତେ ପରିମାଣର ଖଣିଜ ପଦାର୍ଥ ଲୁଟ୍‌‌ ହୋଇଛି ତାହାର ଆକଳନ କରିବା ଏବଂ ସେଠାକାର ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ଉତ୍ତରଦାୟୀ କରିବା ଓ ସେମାନଙ୍କର ସମ୍ପତ୍ତିକୁ ଆକଳନ କରାଗଲେ ଅନେକ କିଛି ଗୁମର ଫିଟିପାରିବ।

Comments are closed.