www.samajalive.in
Sunday, December 7, 2025
15.1 C
Bhubaneswar

ସବୁ ଐତିହ୍ୟସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

ବାଳକାଟି : ଧଉଳି ପାହାଡ଼ ଓଡ଼ିଶା ଇତିହାସର ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ଶୌର୍ଯ୍ୟ, ସାହସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି। ଏହା ଓଡ଼ିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରବିବାର ଧଉଳି ଶାନ୍ତିସ୍ତୂପର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି।
ଏହି ଅବସରରେ ଧଉଳିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ। ଆଜିକୁ ୫୨ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୂପ। ସେବେଠାରୁ ଆଜିପର୍ଯ୍ୟନ୍ତ ଏହା ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି। ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା। ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରାଙ୍କୁ ଏଠାରୁ ସିଂହଳ ପଠାଇଥିବା ବିଶ୍ବାସ କରାଯାଏ। ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ଖଣ୍ଡଗିରିରେ ବୌଦ୍ଧ ବିହାର, ଗୁମ୍ଫା ଓ ଭଗ୍ନାବଶେଷ ଆଜି ମଧ୍ୟ ଦେଖିବାକୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକଗୁଡ଼ିଏ ସ୍ତୂପ ଏବଂ ଶିଳାସ୍ତମ୍ଭ ନିର୍ମାଣ କରିଥିଲେ। ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକ ଆସନ୍ତି ସେମାନେ ଧଉଳିର ଏହି ଶାନ୍ତିସ୍ତୂପରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ବର ଅନୁଭବ ନେଇ ଫେରନ୍ତି। ଧଉଳି ଶାନ୍ତିସ୍ତୂପ ସମେତ ଆମର ସବୁ ଐତିହ୍ୟ ସ୍ଥଳୀଗୁଡ଼ିକର ବିକାଶ ପାଇଁ ସମନ୍ବିତ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ବିଶିଷ୍ଟ ବୌଦ୍ଧ ସନ୍ୟାସୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତିସ୍ତୂପର ଏକ ସ୍ମାରକୀ ପ୍ରଦାନ କରି ସେ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ, ଧଉଳି ଏକ ଐତିହ୍ୟସମ୍ପନ୍ନ ମାଟି। ଭଗବାନ ବୁଦ୍ଧଙ୍କ ବାଣୀକୁ ପ୍ରଚାର କରିବା ସହିତ ଓଡ଼ିଆ ଜାତିର ବୀରତ୍ବର ପ୍ରତୀକ। ସମ୍ରାଟ ଅଶୋକଙ୍କ ଦ୍ବାରା ବୁଦ୍ଧଙ୍କର ଅହିଂସା ଓ ସତ୍ୟର ବାର୍ତ୍ତା ଧଉଳି ମାଟିରୁ ପରିବ୍ୟାପ୍ତ ହୋଇଛି। ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଯେ, କେବଳ ଓଡ଼ିଶାକୁ ନୁହେଁ ଭାରତବର୍ଷ ତଥା ସାରା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ଧଉଳି। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ନିପନ ବୁଦ୍ଧ ସଂଘର ସଂଯୋଜକ ରବି ମହାରଣା ସମସ୍ତଙ୍କୁ ସ୍ବାଗତ କରିଥିଲେ। ଉପସଭାପତି ହରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories