ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ

ଭିଡ଼ିଓ କନଫରେନ୍ସିଂରେ ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀ

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏପରି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଏକାନ୍ତ ଆବଶ୍ୟକ ।  ଭାରତ ଏପରି ସମୟରେ ଦେଶର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରିଛି । ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଏଲପିଜି ଛଡା ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍‌ ହୋଇଛି । ଦେଶର ୮୦.୩ ମିଲିୟନରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତି କରିଛନ୍ତି । ଦେଶରେ ୨୩ ବିଲିୟନ ଡଲାର ଆର୍ଥିକ ପ୍ୟାକେଜରେ ମାଗଣା ଏଲପିଜି ଯୋଗାଣ କାରଣରୁଏହାର ଚାହିଦା ଦେଶରେ ବଢିଛି । ଭାରତରେ ବଢୁଥିବା ଏଲପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ମିତ୍ର ରାଷ୍ଟ୍ରଗୁଡିକ ପୂରଣ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ସାଉଥ କୋରିଆ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡଏବଂ ୟୁରୋପୀୟ ଦେଶଗୁଡ଼ିକ ଯୋଗ ଦେଇଥିଲେ । ଏଥିରେ ଯୋଗ ଦେଇ ଶ୍ରୀ ପ୍ରଧାନ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ପାଇଁ ଉଚିତ୍ ‌ମୂଲ୍ୟ ତଥା ଭାରତ ପରି କ୍ରୟ କରୁଥିବା ଦେଶମାନଙ୍କ ପାଇଁ କଷ୍ଟ ନହେବା ପରି ମୂଲ୍ୟ ନେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ ।  ବିଶ୍ୱର ତୈଳ ଚାହିଦା କମ୍‌ ହେଉଥିବାବେଳେ ଆଗାମୀ ଦିନରେ ଇନ୍ଧନ ଚାହିଦା ବଢାଇ ଯୋଗାଣକୁ ବୃଦ୍ଧିକରି ଉତ୍ପାଦନକାରୀ ଦେଶମାନେ ମୂଲ୍ୟ କମ୍‌ ରଖିବା ସମୟର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

Comments are closed.