ଧର୍ମଗଡ : କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଡହଗାଁରେ ଏକ ଗ୍ୟାସ ଟାଙ୍କି ଫାଟିଯିବାରୁ ଜଣେ ବ୍ୟକ୍ତିଙ୍କ ଘର ଜଳିଯାଇଥିବା ଜଣାପଡିଛି। ମାତ୍ର ଆଶ୍ୱସ୍ତର ବିଷୟ ହେଉଛି ଏହି ଦୁର୍ଘଟଣାରେ କୌଣସି ଜୀବନ କ୍ଷତି ହୋଇନଥିବାବେଳେ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଡହଗାଁର ମହେଶ୍ୱର ଭରତିଆଙ୍କ ବଡବୋହୁ ସେବତୀ ଦେଇ ସକାଳେ ଚା’ତିଆରି କରିବାକୁ ରୋଷେଇ ଘରକୁ ଯାଇଥିଲେ। ଦିଆସିଲି ମାରି ନିଆଁ ଲଗେଇବାବେଳେ ସିଲିଣ୍ଡରଟି ଜଳି ଉଠିଥିଲା। ଉପସ୍ଥିତି ବୁଦ୍ଧି ଥିବାରୁ ସେ ତୁରନ୍ତ ଉକ୍ତ ଘରୁ ବାହାରିଯିବା ସହ ଅନ୍ୟମାନଙ୍କୁ ସ୍ଥାନ ଛାଡିବାକୁ କହିଥିଲେ। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ସହ ଅମଳ ହୋଇଥିବା ଧାନ, ଚାଉଳ ଆସବାବ ପତ୍ର ଓ କିଛି ଟଙ୍କା ମଧ୍ୟ ପୋଡି ଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି।



