ଧାମରା: ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନ ରଣନୀତି ସ୍ଥିର କରିବା ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ର ନିଜର ପ୍ରଚାର ଆରମ୍ଭ କରିଛନ୍ତି। ମଙ୍ଗଳବାର ଅମୀୟ କୁମାର ମହପାତ୍ର ଧାମରାରେ ପହଞ୍ଚିବା ପରେ ଦଳମତ ନିର୍ବିଶେଷରେ ଅଞ୍ଚଳର ବହୁ କର୍ମୀ ଓ ସାଧାରଣ ଜନତା ମା’ ଧାମରାଇ ମନ୍ଦିର ନିକଟରେ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ। ପରେ ମହାପାତ୍ର ଧାମରାର ଅଧିଷ୍ଠାତ୍ରୀ ଦେବୀ ମା’ ଧାମରାଇଙ୍କୁ ଦର୍ଶନ କରି ମା’ଙ୍କର କରୁଣା ଭିକ୍ଷା କରି ନିଜର ନିର୍ବାଚନ ପ୍ରଚାରର ଆରମ୍ଭ କରିଥିଲେ। ଏଥିପାଇଁ ଆୟୋଜିତ ହୋଇଥିବା ଏକ ସଭାରେ ଚାନ୍ଦବାଲି ବ୍ଲକ ସଭାପତି ବୈଲୋଚନ ପଣ୍ଡା ସଭାପତିତ୍ୱ କରିଥିବାବେଳେ ଚାିନ୍ଦବାଲି ବ୍ଲକସ୍ତରୀୟ କଂଗ୍ରେସ ନେତା ଦିଗମ୍ବର ଦାସ, ଅମୀୟ କୁମାର ମହାପାତ୍ର, ନରହରି ମଲିକ, ସୁରେଶ ମାହୁନ୍ତ, ପ୍ରମୋଦ ନାୟକ, ଉମେଶ ମହାକୁଡ, ନରେନ୍ଦ୍ର ମାଇତି, ବୈରୀଗଞ୍ଜନ ସାମଲ, ଦୁଃଖ ଜେନା, ପ୍ରଭୁରାମ ଦାସ, ତାରାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଆଗାମୀ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ରଙ୍କୁ ଦଳ ମତ ନିର୍ବିଶେଷରେ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏଥି ସହ ଚାନ୍ଦବାଲି ବ୍ଲକରେ ହେଉଥିବା ସମସ୍ତ ଅନିୟମିତତା ଦୂର କରିବାକୁ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ ବୋଲି ମତ ପ୍ରକାଶ ପାଇଥିଲା। ଚାନ୍ଦବାଲି ବ୍ଲକରେ ଥିବା ସମସ୍ତ ଅଧୁରା ସ୍ୱପ୍ନକୁ ସାକାର କରିବା, ବେକାରୀ ସମସ୍ୟା ଦୂରୀଭୂତ କରିବା, କୃଷି କୃଷକର ସମସ୍ୟାକୁ ପ୍ରାଧାନ୍ୟ ଦେବା ତାଙ୍କର ମୂଳ ଲକ୍ଷ୍ୟ ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମା’ ଧାମରାଇ ମନ୍ଦିର ନିକଟରେ ମା’ ଧାମରାଇ କମିଟିର ନିତ୍ୟାନନ୍ଦ ବେହେରା, ଘନଶ୍ୟାମ ମାଝୀ, ଶରତ ଦଳେଇ, ଖଗେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ଏକ ବିଶାଳ ପଦଯାତ୍ରା ଧାମରା ମନ୍ଦିର ନିକଟରୁ ବାହାରି ଧାମରା ବଜାରଠାରେ ନୂତନ କଂଗ୍ରେସ ଅଫିସକୁ ଫିତା କାଟି ଉଦଘାଟନ କରିବା ସହ ଜାଗୁଳା ପଂଚାୟତରେ ଏକ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ୧୦ରୁ ଅଧିକ ପରିବାର ଅନ୍ୟ ଦଳ ଛାଡି ଅମୀୟ ମହାପାତ୍ରଙ୍କ ନେତୃତ୍ୱକୁ ସମର୍ଥନ କରିବା ସେମାନଙ୍କର ମୂଳ ଲକ୍ଷ୍ୟ ବୋଲି ନିଜର ବକ୍ତବ୍ୟ ରଖିଥିଲେ।



