ଓଡିଶା ପୁଲିସର ମହାନିର୍ଦ୍ଦେଶକ ଓ ସି.ଆର୍.ପି.ଏଫ୍. ମହାନିର୍ଦ୍ଦେଶକ ଦିନିକିଆ କଳାହାଣ୍ଡି ଗସ୍ତ
ମାଓବାଦୀମାନେ ଅସ୍ତ୍ରଛାଡି ଆତ୍ମସମର୍ପଣ ନ କଲେ ପରିସ୍ଥିତି ଭୟାବହ ହେବ - ଶ୍ରୀ ଅଭୟ
“କଳାହାଣ୍ଡି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ମାଓ ଗତିବିଧି, ସୁରକ୍ଷା ବ୍ୟବସ୍ଥା, ପୋଲିସର ଭିତ୍ତିଭୂମି ବିକାଶ, ସି.ଆର୍.ପି.ଏଫ୍. ଓ ଜିଲ୍ଲା ପୋଲିସ୍ ମଧ୍ୟରେ ସମନ୍ୱୟ ରଖିବାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ସମୀକ୍ଷା ଓ ବୈଠକ”
ଭବାନୀପାଟଣା : କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ଗତ କିଛି ମାସଧରି ବିଭିନ୍ନ ସମୟରେ ମାଓବାଦୀ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳପକୁ ଦୃଢ ହସ୍ତରେ ଦମନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ, ଏହି ୪ ଜିଲ୍ଲାରେ ମାଓବାଦୀଙ୍କ ପ୍ରତିରୋଧ ଯୋଗୁଁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟ ବାଧା ସୃଷ୍ଟି ହେବା, ମାଓ ଅଞ୍ଚଳର ସମସ୍ୟା ଓ ତାର ସମାଧାନ, ପୁଲିସ ବିଭାଗର ବିଭିନ୍ନ ସମସ୍ୟାର ସମାଧାନ ସହିତ ଭିତ୍ତିଭୂମିର ବିକାଶ ଏବଂ ମାଓଦମନ ପାଇଁ ନିୟୋଜିତ ସି.ଆର୍.ପି.ଏଫ୍.ଙ୍କ ସମସ୍ୟା ସହିତ ସି.ଆର୍.ପି.ଏଫ୍ ଓ ସ୍ଥାନୀୟ ପୁଲିସ ମଧ୍ୟରେ ସମନ୍ୱୟ ଉପରେ ରହି ମାଓଦମନ କାର୍ଯ୍ୟ ଅଧିକ କ୍ରିୟାଶୀଳ ହେବା ନେଇ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ପୁଲିସ ମହା ନିର୍ଦ୍ଦେଶକ (ଡି.ଜି.) ଏସ୍. ଅଭୟ, ସି.ଆର୍.ପି.ଏଫ୍. କୁଲଦୀପ ସିଂହ ସମେତ ଅନ୍ୟ ପୁଲିସ ଓ ସି.ଆର୍.ପି.ଏଫ୍ ଉଚ୍ଚ ଅଧିକାରୀ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା ସ୍ଥିତ ରିର୍ଜଭ ପୁଲିସ କାର୍ଯ୍ୟାଳୟରେ ଉପରୋକ୍ତ ଜିଲ୍ଲାର ଉଚ୍ଚ ପୁଲିସ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ରିଜିର୍ଭ ପୁଲିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଓଡିଶା ପୁଲିସ ମହା ନିର୍ଦ୍ଦେଶକ (ଡି.ଜି.) ଏସ୍. ଅଭୟ ପ୍ରକାଶ କରିଥିଲେ ଯେ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ମାଓ ସଂଗଠନ ମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ସହିତ ବିଭିନ୍ନ ସମୟରେ ସେମାନେ ଏହି ସବୁ ଜିଲ୍ଲାରେ ନିଜର ଉପସ୍ଥିତି ଜାହିର ରଖିଥିବା ବେଳେ ପୁଲସି ପକ୍ଷରୁ ମଧ୍ୟ ଏହାର ଉପଯୁକ୍ତ ଜବାବ ଦିଆଯାଇଛି। କେତେବେଳେ ମାଓବାଦୀଙ୍କ ଦ୍ୱାରା ପୁଲିସ ଇନ୍ଫର୍ମର ସନ୍ଦେହରେ ନିରିହ ଗ୍ରାମବାସୀ ଜଘନ୍ୟ ହତ୍ୟାର ଶିକାର ହେଉଥିବା ବେଳେ କେତେବେଳେ ମାଓ ଅଞ୍ଚଳରେ କୁମ୍ଭିଂ ଅପରେସନ୍ ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଯବାନଙ୍କ ଗୁଳିରେ ଗତ ତିନି ମାସ ଭିତରେ ୧୭ରୁ ଉର୍ଦ୍ଧ୍ବ ମାଓବାଦୀଙ୍କର ମୃତ୍ୟୁ ହୋଇଛନ୍ତି। ମାଓଦମନ ପାଇଁ କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ସି.ଆର୍.ପି.ଏଫ୍. ନିୟୋଜିତ ହୋଇଛନ୍ତି। ଏହି ଜିଲ୍ଲାର ମାଓ ଗତିବିଧି ଓ ସେମାନଙ୍କର କାର୍ଯ୍ୟକଳାପ, ମାଓ ଦମନ ପାଇଁ ନିୟୋଜିତ ହୋଇଥିବା ସିଆରପିଏଫ୍, ମାନଙ୍କର କାର୍ଯ୍ୟକଳାପ ଓ ସେମାନଙ୍କ ସମସ୍ୟା ଓ ସେମାନଙ୍କର ବିକାଶ, ମାଓ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ବିକାଶର ବାଧା ସୃଷ୍ଟି ହେବା, ତାକୁ କିପରି ପ୍ରତିରୋଧ କାରାଯାଇ ଉକ୍ତ ବିକାଶଧାରାକୁ ଅଧିକ କ୍ରିୟାଶିଳ କରିବା, ମାଓ ଅଞ୍ଚଳରେ ବିକାଶ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥା, ଏହିସବୁ ଜିଲ୍ଲାରେ ମାଓ ସଂଗଠନକୁ ଦୃଢହସ୍ତରେ ଦମନ କରିବା ପାଇଁ ମିଳିତ ଅପରେସନ୍, ସହିତ ପୁଲିସ ବିଭାଗରେ ଥିବା ସମସ୍ୟା ଓ ତାହାର ସମାଧାନ ସହିତ ପୁଲିସର ଭିତ୍ତିଭୂମିର ବିକାଶ ଉପରେ ସମିକ୍ଷା କରିଥିଲେ। ଏହି ସବୁ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବୃଦ୍ଧିପାଇଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଶ୍ରୀ ଅଭୟ ପ୍ରକାଶ କରିଥିଲେ।
ସେ ପୁଣି ପ୍ରକାଶ କରିଥିଲେ ଯେ, ଏହି ସବୁ ଜିଲ୍ଲାରେ ମାଓଦମନ ପାଇଁ ନିୟୋଜିତ ସି.ଆର୍.ପି.ଏଫ୍ ଜୱାନ ଏବଂ କୋବ୍ରା ବେଟାଲିୟନ୍, ଆଇ.ଆର୍.ପି., ଡିଭିଏଫ୍ ଏବଂ ଜିଲ୍ଲା ପୋଲିସ ମଧ୍ୟରେ ସମନ୍ୱୟ କିପରି ରହି ମାଓଦମନ କାର୍ଯ୍ୟ ସଫଳ ହେବ ତାହା ଉପରେ ସମିକ୍ଷା କରିବା ସହିତ ଆଗାମି ଦିନରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ମାଓ ନେତା ଓ କ୍ୟାଡର ମାନେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତିକୁ ଆପଣେଇ ତୁରନ୍ତ ଅସ୍ତ୍ରବିରତୀ କରିବା ସହିତ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାରଙ୍କର ବହୁ ସୁବିଧା ସୁଯୋଗ ସେମାନେ ପାଇପାରିବେ। ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ନିପାତ କରିବା ପାଇଁ ଆଗାମୀ ଦିନରେ ଓଡିଶା ସମେତ ପଡୋଶୀ ରାଜ୍ୟ ମିଳିତ ଭାବେ କଡା କଡି ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ମାଓ ନେତା ମାନେ ମହିଳା ମାଓବାଦୀ ମାନଙ୍କୁ ସେମାନଙ୍କର ସୁରକ୍ଷା କବଜ କରି ନିଜେ ଖସିଯାଉଥିବା ବେଳେ ମହିଳା ମାଓବାଦୀ ମାନେ ପୁଲିସ ଗୁଳିରେ ନିହତ ହେଉଛନ୍ତି।
ସି.ଆର୍.ପି.ଏଫ୍. ମହା ନିର୍ଦ୍ଦେଶକ କୁଲଦୀପ ସିଂହ ପ୍ରକାଶ କରିଥିଲେ ଯେ, ଓଡିଶାରେ ମାଓଦମନ ପାଇଁ ନିୟୋଜିତ ସି.ଆର୍.ପି.ଏଫ୍. ଜୱାନ ମାନଙ୍କର ସମସ୍ୟା ଏବଂ ସ୍ଥାନୀୟ ପୋଲିସ୍ ସହିତ କିପରି ଭଲ ସୁସଂପର୍କ ଓ ସମନ୍ୱୟ ରଖି ମାଓ ଦମନ କାର୍ଯ୍ୟ ଆହୁରୀ ଅଗ୍ରଗତି ହେବ ଏବଂ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପରୁ, ରାୟଗଡା, କନ୍ଧମାଳ, ନୁଆପଡା ଆଦି ଜିଲ୍ଲାକୁ ଛତିଶଗଡ ରାଜ୍ୟର ମାଓବାଦୀମାନେ ଚାଲି ଆସି ଏଠାରେ ସେମାନଙ୍କର କାର୍ଯ୍ୟକଳାପ ବୃଦ୍ଧିକରୁଥିବା ଉପରେ ପୁଙ୍ଖାନୁପୁଙ୍ଖ ସମିକ୍ଷା କରାଯାଇଥିଳା। ଏହି ସମିକ୍ଷା ବୈଠକରେ ଡି.ଆଇ.ଆର୍.(ଗୋଇନ୍ଦା) ଆର୍.କେ.ଶର୍ମା, ଆଇ.ଜି. ଅପରେସନ୍ ଅମିତା ଠାକୁର, ଆଇ.ଜି.ପି.ସି.ଆର୍.ପି.ଏଫ୍. ଏସ୍.କେ. ମହାନ୍ତୀ, ଡି.ଆଇ.ଜି. ସି.ଆର୍.ପି.ଏଫ୍. ଶ୍ରୀ ବିଜୟ ସମେତ, କଳାହାଣ୍ଡି ଏସ୍.ପି. ବାତୁଲା ଗଙ୍ଗାଧର, ନବରଙ୍ଗପୁର ଏସ୍.ପି. ନିତିନ କୁଲସ୍କର, କମାଣ୍ଡେଣ୍ଟ ଅଫିସର ୬୪ବେଟାଲିୟନ୍ ସି.ଆର୍.ପି.ଏଫ୍. ବିପ୍ଲବ୍ ସରକାର, ସହକାରୀ କମାଣ୍ଡେଣ୍ଟ ଏସ୍.ସୁଭଶ୍ରୀ ଆଂଚଲ ସମେତ ଅନ୍ୟାନ୍ୟ ପୋଲିସ୍ ଅଧିକାରୀମାନେ ଯୋଗଦେଇଥିଲେ। ଗତ ଦୁଇ ଦିନ ହେଲା କନ୍ଧମାଳ ଜିଲ୍ଲା ରାଇକିଆ ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଲିବିନିମୟ ହେବା ଘଟଣା ପରେ ପରେ ହଠାତ୍ ଓଡିଶା ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଓ ସି.ଆର୍.ପି.ଏଫ୍.ମହାନିର୍ଦ୍ଦେଶକ କୁଲଦୀପ ସିଂହ ସମେତ ସି.ଆର୍.ପି.ଏଫ୍ ଓ ଓଡିଶା ପୁଲିସର ଉଚ୍ଚଅଧିକାରୀମାନଙ୍କର ମାଓଦମନ ଉପରେ ରୁଦ୍ଧଦ୍ୱାର ସମିକ୍ଷା କରାଯିବା ଘଟଣା ନିଶ୍ଚିନ୍ତ ଭାବେ ଆଗାମୀ ଦିନରେ ମାଓବାଦୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ। କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ପୁଲିସ୍ ଗୁଳିରେ ୭ଜଣ ଏବଂ ଗତ ଅଗଷ୍ଟ ମାସରେ ୫ଜଣ ଏବଂ ଗତ ସେପ୍ଟମ୍ବର ମାସ ୯ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ମ. ରାମପୁର ଥାନା ଅନ୍ତର୍ଗତ କଳାହାଣ୍ଡି-କନ୍ଧମାଳ ସିମାନ୍ତରେ କୋଟଗଡ ମଧ୍ୟବର୍ତ୍ତୀ ଅଂଚଳ ତଥା ଭଣ୍ଡରଙ୍ଗି ସିର୍ଜି ଜଙ୍ଗଲରେ ଏସ୍.ଓ.ଜି. ଓ ଡି.ଭି.ଏଫ୍., ଜୱାନଙ୍କ ଗୁଳିରେ ୫ଜଣ ମାଓବାଦୀ ନିହତ ହୋଇଥିବା ମାଓଙ୍କ ଗୁଳିରେ ୨ଜଣ ଏସ୍.ଓ.ଜି. ଜୱାନ ସହିଦ ହୋଇଥିଲେ। ସେହି ଦିନ ଠାରୁ ମାଓବାଦୀମାନେ ବିଭିନ୍ନ ସମୟରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ସି.ଆର୍.ପି.ଏଫ୍., ଏସ୍.ଓ.ଜି., ଡି.ଭି.ଏଫ୍., କୋବ୍ରା ବେଟାଲିୟନ୍ ସମେତ ଜିଲ୍ଲା ପୋଲିସ୍ ତରଫରୁ ଅହରହ କୁମ୍ବିଙ୍ଗ ଅପରେସନ୍ ଓ ସର୍ଚ ଅପରେସନ୍ ମଧ୍ୟ ଜାରିରହିଛି।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି, ରାୟଗଡା ଓ କନ୍ଧମାଳ ଜିଲ୍ଲା ନିଜ ନିଜ ସିମାକୁ ଲାଗିଛି। ଏହି ୩ ଜିଲ୍ଲାରେ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ପାହାଡ ପର୍ବତ ଘେରିରହିଥିବାରୁ ମାଓବାଦୀଙ୍କ ପାଇଁ ଏହା ଭୂସ୍ୱର୍ଗ ପାଲଟିଛି। ସେମାନେ ବିଭିନ୍ନ ସମୟରେ ହିଂସାତ୍ମକ କାର୍ଯ୍ୟକଳାପ କରି ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି। ବିଶେଷ କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ, ଥୁଆମୂଲ ରାମପୁର ଓ ମଦନପୁର ରାମପୁର ବ୍ଲକର ବିଭିନ୍ନ ଇଲାକା ମାନଙ୍କରେ ଅନେକ ସମୟରେ ମାଓବାଦୀମାନେ ପୋଷ୍ଟରମାରୀ, ଠିକା କ୍ୟାମ୍ପ କରି ଅତର୍କିତ ଆକ୍ରମଣ କରି ବା କେତେବେଳେ ଅଗ୍ନି ସଂଯୋଗ କରି, ପୁଲିସ ଇନ୍ଫର୍ମର ସନ୍ଦେହରେ ସାଧାରଣ ଲୋକଙ୍କୁ ହତ୍ୟା ଧମକ ଦେବା ସହ ପ୍ରଜାକୋର୍ଟ ବସାଇ ହତ୍ୟାଭଳି ଜଘନ୍ୟକାଣ୍ଡମାନ ଘଟାଇ ନିଜର ଉପସ୍ଥିତି ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି। ସେମାନଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ବିଭିନ୍ନ ସମୁୟରେ ପୋଲିସ ପ୍ରଶାସନ ଓ ସିଆରପିଏଫ୍, କୋବ୍ରା ବାଟାଲିୟନ୍, ଆଇଆରପି ଏବଂ ଅନ୍ୟାନ୍ୟ ଜବାନ ମାନଙ୍କ ଦ୍ୱାରା ମିଳିତ ଭାବେ କୁମ୍ଭି ଅପରସନ୍ ଓ ସର୍ଚ୍ଚ ଅପରେସନ୍ କରାଯାଇ ଆସୁଛି। ବହୁ ସମୟରେ କୁମ୍ଭି ଅପରେସନ୍ ସମୟରେ ମାଓ ଓ ସୁରକ୍ଷା ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଓ ସୁରକ୍ଷା କର୍ମୀଙ୍କ ଗୁଳିରେ ମାଓବାଦୀ ମାନେ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ସମୟରେ କଳାହାଣ୍ଡି ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀମାନେ ଆତ୍ମସର୍ମପଣ କରିଥିଲେ। ଏହି ଦୁଇ ମହାନିର୍ଦ୍ଦେଶକ ଓ ସି.ଆର୍.ପି.ଏଫ୍. ଏବଂ ଓଡିଶା ପୁଲିସ ଉଚ୍ଚଅଧିକାରୀଙ୍କ ଏହି ଗୁପ୍ତ ବୈଠକ ପରେ ନିଶ୍ଚୟ ଏହି ସବୁ ଜିଲ୍ଲାରେ ମାଓଦମନ ଉପରେ ଅଧିକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକ ସମ୍ଭାବନା ଦେଖାଦେଇଛି।
Comments are closed.