www.samajalive.in
Sunday, December 7, 2025
15.1 C
Bhubaneswar

କରୋନାକୁ ବଳି ଗଲାଣି ଡେଙ୍ଗୁ ଡର

ଭୁବନେଶ୍ୱର/ଉତ୍ତରଭୁବନେଶ୍ବର/ଚନ୍ଦ୍ରଶେଖରପୁର: କରୋନା ସଂକ୍ରମଣଠୁ ଡେଙ୍ଗୁ ବଳି ଗଲାଣି। ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ଡେଙ୍ଗୁ ମୃତ୍ୟୁକୁ ଅସ୍ବୀକାର କରାଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ନାବାଳିକା ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ମୃତ୍ୟୁ ହୋଇଥିବା ଘଟଣା ପଦାକୁ ଆସିଥିଲେ ମଧ୍ୟ ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗ୍ରହଣ କରାଯାଉ ନାହିଁ। ମୃତ ନାବାଳିକା ସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଇ ନାହାନ୍ତି। ତାଙ୍କର ଏଲିସା ପରୀକ୍ଷଣ ହୋଇନାହିଁ। ତେଣୁ ଏହାକୁ ଡେଙ୍ଗୁ ମୃତ୍ୟୁ ବୋଲି ସରକାରୀ ତଥ୍ୟ ହିସାବରେ ଗ୍ରହଣ କରାଯିବ ନାହିଁ। ତଦନ୍ତ ପ‌େ‌ର ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯାମୀ ମିଶ୍ର କହିଛନ୍ତି।

ଡା. ମିଶ୍ର କହିଛନ୍ତି, ମୃତକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଘରୋଇ ପରୀକ୍ଷାଗାରରେ ତାଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ଦଳ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ପଞ୍ଚନାମା ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ବିଏମ୍‌ସି ଆୟୁକ୍ତ ସଞ୍ଜୟ ସିଂହ ମଧ୍ୟ ଏହାକୁ ଡେଙ୍ଗୁ ମୃତ୍ୟୁ ବୋଲି ଅସ୍ବୀକାର କରି ଯାଞ୍ଚ ପରେ ଜଣାପଡ଼ିବ ବୋଲି କହିଛନ୍ତି। ମଶାବଂଶ ନାଶ ପାଇଁ ବ୍ୟାପକ ତନାଘନା ଚାଲିଥିବା ସେ ସୂଚନା ଦେଇଛନ୍ତି।

- Advertisement -

ତଥ୍ୟରେ ରହୁନି ତାଳମେଳ
ଡେଙ୍ଗୁ ତଥ୍ୟକୁ ନେଇ ବିଏମ୍‌ସି ଏବଂ ଜନସ୍ବାସ୍ଥ୍ୟ ବିଭାଗ ତଥ୍ୟରେ ତାଳମେଳ ରହୁ ନାହିଁ। ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ସୋମବାର ସୁଦ୍ଧା ଭୁବନେଶ୍ବରରେ ୨୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୪୨୭ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ ୩୦ତାରିଖଠାରୁ ଭୁବନେଶ୍ବରରେ ଡେଙ୍ଗୁ ମାମଲା ବଢୁଛି। ବର୍ତ୍ତମାନ ପ୍ରାୟ ପ୍ରତିଦିନ ୧୫ରୁ ୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଚାଲିଛି। ଏପର୍ଯ୍ୟନ୍ତ ଜଟିଳ ପରିସ୍ଥିତି ସୃଷ୍ଟି ହୋଇନାହିଁ। ରାଜଧାନୀରେ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ହେଁ ଏହାକୁ ସେ ଅସ୍ବୀକାର କରିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି, ରାଜଧାନୀରୁ ମଙ୍ଗଳବାର ୩୦ ଓ ସୋମବାର ସୁଦ୍ଧା ୩୯୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିସୁଦ୍ଧା ଏହି ସଂଖ୍ୟା ୪୨୧କୁ ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟ ଦଳ ଡେଙ୍ଗୁ ସର୍ବେକ୍ଷଣ ଜାରି ରଖିଛି। ତେବେ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି ତଥ୍ୟରେ ତାଳମେଳ ରହୁନଥିବା ପରିଲକ୍ଷିତ ହୋଇଛି।

କଂଗ୍ରେସ ପରେ ବିଜେପି ବର୍ଷିଲା
ରାଜଧାନୀରେ ଡେଙ୍ଗୁ ବ୍ୟାପିବାକୁ ନେଇ ସୋମବାର ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ବିଏମ୍‌ସି ଉପରେ ବର୍ଷି ଥିବାବେଳେ ମଙ୍ଗଳବାର ବିଜେପି ଭୁବନେଶ୍ବର ଜିଲା ଶାଖା ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି, ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାସିନ୍ଦା ଏବେ ଭୟଭୀତ। ପ୍ରତିଦିନ ୩୦ରୁ ୪୦ ରୋଗୀ ଚିହ୍ନଟ ହେଉଛନ୍ତି। କରୋନା ପରେ ଡେଙ୍ଗୁ ଜ୍ୱର ଏକ ବଡ଼ ସମସ୍ୟା ହୋଇଛି। ହେଲେ ବିଏମ୍‌ସିର ଏଥିପ୍ରତି ନିଘା ନାହିଁ। ଏହାଠାରୁ ଭଳି ଦୁଃଖଦ ଘଟଣା ଆଉ କିଛି ହୋଇ ନ ପାରେ। ଭୁବନେଶ୍ୱର ଜିଲା ବିଜେପି ପକ୍ଷରୁ ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶୈଳଶ୍ରୀବିହାରଠାରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ବିଏମ୍‌ସି କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛି। କରୋନା ମହାମାରୀ ଓ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ହାତ ଟେକି ଦେଇଛି। ଏଥିରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ। ଶୈଳଶ୍ରୀ ବିହାରରେ ମୃତ ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ବିଜେପି କର୍ମକର୍ତ୍ତା ଭେଟି ଆଲୋଚନା କରିଛନ୍ତି।

ନାବାଳିକା ମୃତ୍ୟୁକୁ ନେଇ ଚାପା ଉତ୍ତେଜନା
ସୋମବାର ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ନାବାଳିକାଙ୍କ ଡେଙ୍ଗୁରେ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏହି ମୃତ୍ୟୁ ଚଳିତ ବର୍ଷର ପ୍ରଥମ ଘଟଣା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଘରେ ଘରେ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ହେଲେ ବିଏମ୍‌ସି ପକ୍ଷରୁ ଆଖି ଦୃଶିଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି। ବିଶେଷକରି ଶୈଳଶ୍ରୀବିହାର, ୱାର୍ଡ ୭, ନୀଳାଦ୍ରିବିହାର ସେକ୍ଟର ୩ ଅଞ୍ଚଳର ଏକାଧିକ ବସ୍ତି ଓ କଲୋନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ଅନ୍ୟପକ୍ଷରେ ମଙ୍ଗଳବାର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶକ୍ରମେ ବିଏମ୍‌ସି ଉପାୟୁକ୍ତ ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ଶୈଳଶ୍ରୀବିହାର ଏଲ୍‌ସି, ଏଫ୍‌ଆର, ମହାବୀର ବସ୍ତି, ବଜରଙ୍ଗ ବସ୍ତି, ଗ୍ରିଡ୍‌କୋ କଲୋନୀ ଆଦି ଅଞ୍ଚଳରେ ଟିଫା ମେସିନ ଏବଂ ଧୂଆଁ ଗାଡ଼ି ବୁଲିଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories