ନୂଆଦିଲ୍ଲୀ : କରୋନା ମହାମାରୀ ତଥା ଜଳବାୟୁୁ ଅସମାନତା ଯୋଗୁଁ ଆସାମରେ ଚା’ ଉତ୍ପାଦନ ହ୍ରାସ ପାଇଛି। ତେବେ ମହାମାରୀ ସମୟରେ ଚା’ର ଚାହିଦା ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଏଥିଯୋଗୁଁ ଚା’ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆସନ୍ତା ମାସରେ ଯଦି ଅମଳ ଭଲ ହୁଏ ତେବେ ଏହାର ମୂଲ୍ୟ ହ୍ରାସ ପାଇପାରେ। ଦେଶର ଅଧା ଚା’ କେବଳ ଆସାମରୁ ଉତ୍ପାଦିତ ହୋଇଥାଏ। ଆସମା ଚା’ର ଏବେ କିଲୋ ପ୍ରତି ନିଲାମି ମୂଲ୍ୟ ୨୨୪ ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ ଏହାର ମୂଲ୍ୟ ୧୭୯ ଟଙ୍କା ଥିଲା। ଉତ୍ପାଦନ ହ୍ରାସ ଓ ଚାହିଦା ବୃଦ୍ଧି ପାଉଥିବାରୁ ଚା’ର ମୂଲ୍ୟ ବୃଦ୍ଧି ପାଇଛି। ବର୍ଷାଦିନେ ସାଧାରଣତଃ ଚା’ର ମୂଲ୍ୟ ହ୍ରାସ ପାଇଥାଏ। କାରଣ ବର୍ଷାରେ ଚା’ ପତ୍ର ପଚିବା ଆରମ୍ଭ କରେ। ଏହା ପୂର୍ବରୁ ଚା’ ଚାଷୀମାନେ ଅଧିକ ସଂଖ୍ୟାରେ ପତ୍ର ସଂଗ୍ରହ କରିଥା’ନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଚା’ର ମୂଲ୍ୟ ହ୍ରାସ ପାଇପାରେ ବୋଲି ଦ୍ରବ୍ୟ ଓ ସେବା କର (ଜିଏସଟି) କମିଟି ସଭ୍ୟ ଦିନେଶ ବିହାନି କହିଛନ୍ତି।
Popular Categories


