ନୂଆଦିଲ୍ଲୀ: ଆଫ୍ଗାନିସ୍ତାନ ଏୟାରଲାଇନ୍ସର ଏକ ବିମାନକୁ ସଂପୃକ୍ତ ପାଇଲଟ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଭୁଲ ରନ୍ୱେରେ ଅବତରଣ କରାଇଛନ୍ତି। ତେବେ ସୌଭାଗ୍ୟବଶତଃ ଏଥିଯୋଗୁଁ କୌଣସି ଦୁର୍ଘଟଣା ଘଟିନଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ସୂଚନା ଅନୁଯାୟୀ ଆଫ୍ଗାନିସ୍ତାନର ରାଜଧାନୀ କାବୁଲରୁ ଆଫ୍ଗାନ ଏୟାରଲାଇନ୍ସର ଏହି ବିମାନଟି ରବିବାର ନୂଆଦିଲ୍ଲୀରେ ପହଞ୍ଚିଥିଲା। ରନ୍ୱେ ୨୯(ଏଲ)ରେ ଅବତରଣ କରିବାକୁ ନୂଆଦିଲ୍ଲୀ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ) ପକ୍ଷରୁ ସଂପୃକ୍ତ ପାଇଲଟଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ପାଇଲଟ ବିମାନକୁ ୨୯(ଆର) ରନ୍ୱେରେ ଅବତରଣ କରାଇଥିଲେ। ସାଧାରଣତଃ ୨୯(ଆର) ରନ୍ୱେରୁ ବିମାନଗୁଡିକୁ ଉଡାଣ ଅନୁମତି ପ୍ରଦାନ କରାଯାଉଥିବାବେଳେ ୨୯(ଏଲ) ରନ୍ୱେରେ ବିମାନଗୁଡିକର ଅବତରଣ ଅନୁମତି ମିଳିଥାଏ।
ତେବେ ଆଫ୍ଗାନ୍ ବିମାନଟି ଅବତରଣ କରିବା ସମୟରେ ଉକ୍ତ ରନ୍ୱେରେ ଅନ୍ୟ କୌଣସି ବିମାନ ଉଡାଣ ପାଇଁ ପ୍ରସ୍ତୁତ ହେଉନଥିଲା। ନଚେତ ଏକ ବଡ ଧରଣର ଦୁର୍ଘଟଣା ନିଶ୍ଚିତଭାବେ ଘଟିଥାନ୍ତା। ଅପରପକ୍ଷରେ ସଂପୃକ୍ତ ପାଇଲଟ ଅବଦୁଲ ମାରୁଫ ସିକନ୍ଦରୀ କହିଛନ୍ତି ଯେ ଏଟିସି ନିର୍ଦେଶ ମୁତାବକ ସେ ରନ୍ୱେ ୨୯(ଏଲ)ରେ ଅବତରଣ ଉଦ୍ୟମ କରିଥିଲେ। ତେବେ ରନ୍ୱେରେ ପହଞ୍ଚିବା ପୂର୍ବରୁ ଆଇଏଲଏସ (ଇନ୍ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ) ଅକାମୀ ହୋଇପଡିବାରୁ ବିମାନଟି ନିର୍ଦିଷ୍ଟ ଗତିପଥ ହରାଇ ରନ୍ୱେ ୨୯(ଆର)ରେ ଅବତରଣ କରିଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି।



