ଦେବଗଡ଼:ବାରମ୍ବାର ଦାବୀ ସତ୍ୱେ ପ୍ରାଥମିକ କୃଷି ସେବା ସମବାୟ ସମିତିରୁ କୃଷିଋଣ ନେଇଥିବା ଜିଲାର ନିରୀହ ଚାଷୀ ମାନଙ୍କୁ ୨୦୧୯-୨୦ ବର୍ଷର ମରୁଡି ସହାୟତା ଅଦ୍ୟାବଧି ମିଳିପାରିନାହିଁ। ଫଳରେ ସମ୍ପୃକ୍ତ ଚାଷୀମାନେ ଆର୍ଥିକ ଶଙ୍କଟର ସମ୍ମୂଖିନ ହେବାସହ ସେମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଏନେଇ ଦେବଗଡ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଗତ ଅଗଷ୍ଟ ମାସ ୭ତାରିଖରେ ଦେବଗଡ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଚାଷୀମାନଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି ପ୍ରଦାନ କରିବା ପାଇଁ ଦାବୀ କରାଯାଇଥିଲା।
ଏଥିସହ ସପ୍ଟେମ୍ବର ୧୩ ତାରିଖ ମଧ୍ୟରେ ଦାବୀ ପୁରଣ ନହେଲେ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଲିଖିତ ଚେତାବନୀ ଦିଆଯାଇଥିଲା। ଏହାସତ୍ୱେ ଜିଲାର ଚାଷୀମାନଙ୍କୁ ଅଦ୍ୟାବଧି ସେମାନଙ୍କର ନ୍ୟାଯ୍ୟ ବୀମାରାଶି ନମିଳିବାରୁ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ଜିଲା କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମ୍ରମ ଓ ସମ୍ପାଦକ ଗୁଣନିଧି ବେହେରାଙ୍କ ନେତୃତ୍ୱରେ ସଚ୍ଚିଦାନନ୍ଦ ପଟ୍ଟନାୟକ,ମହେଶ୍ୱର ଦେହୁରୀ, ବିରଞ୍ôଚ ନାରାୟଣ ଭୋଇ,ଜିତେନ ବିଶ୍ୱାଳ,କରୁଣାକର ପେଣ୍ଠେଇଓ କୁମର ମୁଣ୍ଡା ପ୍ରମୁଖ ଜିଲାର ୮ ଜଣ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରଥିବା ବେଳେ ିଜିଲାର ବିଭିନ୍ନ ସ୍ଥାନରୁ ବହୁ ଚାଷୀ ସେଠାକୁ ଆସି ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଦିନ ପ୍ରାୟ ୧ଟା ସମୟରେ ଆସିଷ୍ଟାଂଟ କଲେକ୍ଟର କୈବଲ୍ୟ କର ଅନଶନ ସ୍ଥଳରେ ପହଂଚି କରୋନା ସଂକ୍ରମଣ ଦୃଷ୍ଟିରୁ ଅନଶନ ପ୍ରତ୍ୟାହାର ପାଇଁ ଅନଶନକାରୀଙ୍କୁ ଅନୁରୋଧ କରିଥିଲେ ହେଁ ସଂଘର ସଭାପତି ଶ୍ରୀ ହେମ୍ରମ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ପ୍ରତ୍ୟାହାର କରିବେ ନାହିଁଁ ବୋଲି ରୋକଠୋକ ଭାବେ ମନା କରିଦେଥିଲେ।



