ଆଡିଲେଡ୍: ପାକିସ୍ତାନ ବିପକ୍ଷରେ ଚଳିତ ୨ୟ ଟେଷ୍ଟମ୍ୟାଚ୍ରେ ତାଙ୍କ ଅପରାଜିତ ୩୩୫ ରନ୍ ଇନିଂସ ବଳରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଓପ୍ନର ଡେଭିଡ୍ ୱାର୍ଣ୍ଣର। ବ୍ୟାଟିଂ କିମ୍ବଦନ୍ତୀ ସାର୍ ଡୋନାଲ୍ଡ ବ୍ରାଡ୍ମ୍ୟାନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍କୁ ଏହି ଇନିଂସରେ ୱାର୍ଣ୍ଣର ଅତିକ୍ରମ କରିଛନ୍ତି। ଯେପରି ଭାବେ ୱାର୍ଣ୍ଣର ବ୍ୟାଟିଂ କରୁଥିଲେ; ମନେ ହେଉଥିଲା ବ୍ରାୟାନ୍ ଲାରାଙ୍କ ବିଶ୍ବରେକର୍ଡ ସ୍କୋର୍ ୪୦୦ ରନ୍କୁ ମଧ୍ୟ ସେ ଅତିକ୍ରମ କରିଦେବେ। ତେବେ ବ୍ରାଡ୍ମ୍ୟାନ୍ଙ୍କ ୩୩୪ ରନ୍ର ସ୍କୋର୍କୁ ୱାର୍ଣ୍ଣର ଅତିକ୍ରମ କରିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଇନିଂସ ଘୋଷଣା କରିଥିଲେ। ବ୍ରାଡ୍ମ୍ୟାନ୍ ୧୯୩୦ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ୩୩୪ ରନ୍ କରିଥିଲେ। ପୁଣି ତାଙ୍କ ଅପରାଜିତ ୩୩୫ ରନ୍ର ଇନିଂସ ବଳରେ ୱାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ୨ୟ ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋରର ହୋଇ ପାରିଛନ୍ତି। ୨୦୦୩ରେ ଜିମ୍ବାୱେ ବିପକ୍ଷରେ ଅଷ୍ଟ୍ରେଲିଆ ଓପ୍ନର ମାଥ୍ୟୁ ହେଡେନ୍ ୩୮୦ ରନ୍ କରିଥିଲେ; ଯାହା ଏବେ ଅତୁଟ ରହିଛି। ପୁଣି ଅଷ୍ଟ୍ରେଲିଆର ୭ମ ବ୍ୟାଟ୍ସମ୍ୟାନ ଭାବେ ଡେଭିଡ୍ ୱାର୍ଣ୍ଣର ତ୍ରିଶତକ ହାସଲ କରିଛନ୍ତି। ପୁଣି ଦିବାରାତ୍ର ମ୍ୟାଚ୍ରେ ୨ୟ ବ୍ୟାଟ୍ସମ୍ୟାନ୍ ଭାବେ ୱାର୍ଣ୍ଣର ତ୍ରିଶତକ ମାରିଛନ୍ତି। ତାଙ୍କ ପୂର୍ବରୁ ପାକିସ୍ତାନର ଆଝାର ଅଲୀ ୨୦୧୬ରେ ଦୁବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅପରାଜିତ ୩୦୨ ରନ୍ କରିଥିଲେ। ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଭାରତର କରୁଣ ନାୟାରଙ୍କ ପରେ ୱାର୍ଣ୍ଣର ଟେଷ୍ଟ ତ୍ରିଶତକ ହାସଲ କରିଛନ୍ତି। ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋରର ତାଲିକାର ୧୧ଶ ସ୍ଥାନରେ ୱାର୍ଣ୍ଣର ପହଞ୍ଚିଛନ୍ତି।
Popular Categories



