ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ପଦକ ଆଶାରେ ଦୂତି, ଶ୍ରାବଣୀ, ଦୀପ୍‌ ଗ୍ରେସ, ଅମିତ, ଦିନେଶ

୫ ନୂତନ କ୍ରୀଡ଼ା, ୭୨ ଦେଶର ୫୦୦୦ ଖେଳାଳି, ୨୦ଟି କ୍ରୀଡ଼ାରେ ମୁକାବିଲା

ବର୍ମିଂହାମ (ଇଂଲଣ୍ଡ) :  ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ବର୍ମିଂହାମଠାରେ ଆଜିଠାରୁ ଆରମ୍ଭ ହେଉଛି । ଅଗଷ୍ଟ ୮ ପର୍ଯ୍ୟନ୍ତ ୧୨ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ରାଜ୍ୟଗୋଷ୍ଠୀ କ୍ରାଡ଼ା ମହାକୁମ୍ଭରେ ୭୨ଟି ଦେଶର ୫,୦୫୪ ଜଣ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ୨୦ଟି କ୍ରୀଡ଼ା ଶୃଙ୍ଖଳାରେ ମୋଟ ୨୮୦ଟି ବର୍ଗରେ ଅନୁଷ୍ଠିତ ହେବ। ୧୯୩୪ ଓ ୨୦୦୨ ପରେ ଇଂଲଣ୍ଡ ୩ୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ବର୍ମିଂହାମର ଆଲେଜାଣ୍ଡାର ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫ଟି କ୍ରୀଡ଼ା ମହିଳା କ୍ରିକେଟ, ଜୁଡୋ, ୩/୩ ବାସ୍କେଟବଲ, ପାରା ଟେବୁଲ ଟେନିସ, ୩/୩ ହ୍ବିଲଚେୟାର ବାସ୍କେଟବଲକୁ ସାମିଲ କରାଯାଇଛି। ତେବେ ସୁଟିଂ ଓ ତୀରନ୍ଦାଜୀ କ୍ରୀଡ଼ାକୁ ବାଦ୍ ଦିଆଯାଇଛି।

୧୯୩୦ରୁ କାନାଡାର ହାମିଲଟନରେ ଆରମ୍ଭ ହୋଇଥିବା ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରମ୍ପରିକ ଭାବେ ଅଷ୍ଟ୍ରେଲିଆର ସବୁବେଳେ ପ୍ରାଧାନ୍ୟ ଦେଖିବାକୁ ମିିଳିଆସିଛି। ଏହାକୁ ଛାଡ଼ି ଇଂଲଣ୍ଡ, କାନାଡ଼ା ଓ ଭାରତ ମଧ୍ୟ ଅନ୍ୟତମ ଶକ୍ତିଶାଳୀ କ୍ରୀଡ଼ା ଦେଶ ଭାବେ ଉଭା ହୋଇଛନ୍ତି।

Image : Times of India

ଚଳିତଥର ଭାରତରୁ ମୋଟ ୨୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଭାରତ କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ, ଟେବୁ ଲଟେନିସ, ମୁଷ୍ଟିଯୁଦ୍ଧ, ଆଥ୍‌ଲେଟିକ୍‌ସ, ହକି ଆଦିରେ ଭଲ ପ୍ରଦର୍ଶନ ସହ ପଦକ ଆଶାରଖିଛି। ଅନ୍ୟପକ୍ଷରେ ସୁଟିଂ ପ୍ରତିଯୋଗିତା ବାଦ୍‌ପଡିବା ପରେ ଭାରତକୁ ଅଧିକ ଧକ୍କା ଲାଗିଛି। ୨୦୧୮ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ସୁଟିଂରେ ୭ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଅନ୍ୟପକ୍ଷରେ ଅଲିମ୍ପିକ୍‌ସ ଚମ୍ପିଆନ ନୀରଜ ଚୋପ୍ରା ଆହତ ହୋଇ ବାଦ୍ପଡିବା ପରେ ଭାରତ ପାଇଁ ଶକ୍ତ ଧକ୍କା। ଅନ୍ୟପକ୍ଷରେ ଧାବିକା ଏସ୍‌. ଧନଲକ୍ଷ୍ମୀ ଡୋପ ପରୀକ୍ଷାରେ ବିଫଳ ହେବା ପରେ ଭାରତୀୟ ମହିଳା ୪ ଗୁଣା ୧୦୦ ମିଟର ରିଲେ ଦଳ ନିକଟରୁ ପଦକ ଆଶା ଆଶଙ୍କାରେ ରହିଛି। କୁସ୍ତିରେ ଭାରତ ଗୋଲଡକୋଷ୍ଟରେ ୫ଟି ସ୍ବର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା। ବଜରଙ୍ଗ ପୁନିଆ ଓ ବିନେଶ ଫୋଗତଙ୍କଠାରୁ ଭାରତ ଏଥର ମଧ୍ୟ ଭଲ ପ୍ରଦର୍ଶନ ଆଶାରଖିଛି। ଭାରୋତ୍ତୋଳନରେ ମଧ୍ୟ ଭାରତୀୟ ପ୍ରତିଯୋଗୀ ଏକାଧିକ ପଦକ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି। ଗତ ପ୍ରତିଯୋଗିତାରେ ଭାରତ ଭାରୋତ୍ତୋଳନରେ ୪ଟି ସ୍ବର୍ଣ୍ଣ ସହ ମୋଟ ୯ଟି ପଦକ ଜିତିଥିଲା। ବ୍ୟାଡମିଣ୍ଟନରେ ୨ଟି ଅଲିମ୍ପିକ୍‌ସ ପଦକ ବିଜେତା ପି.ଭି. ସିନ୍ଧୁ ଭାରତୀୟ ଦଳର ନେତୃତ୍ବ ନେବେ। ସିନ୍ଧୁଙ୍କ ସମେତ ଲକ୍ଷ୍ୟ ସେନ ଓ କାଦମ୍ବି ଶ୍ରୀକାନ୍ତ ରହିଥିବାରୁ ଭାରତ ମଧ୍ୟ ପଦକ ଆଶାରଖିଛି। ହକିରେ ସବୁବେଳେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଦେଖିବାକୁ ମିଳୁଥିବାବେଳେ ଭାରତ ଚଳିତ ଥର ଭଲ ପ୍ରଦର୍ଶନ ସହ ପଦକ ହାସଲ କରିବା ଲକ୍ଷ୍ୟ ରଖିଛି। ୨୦୨୦ ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିବା ନେଇ ଦଳ ଉତ୍ସାହିତ ଅଛି। ଟେବୁଲ ଟେନିସରେ ଭାରତ ୨୦୧୮ରେ ୮ଟି ପଦକ ହାସଲ କରିଥିବାବେଳେ ଏଥର ମଧ୍ୟ ଉକ୍ତ ସଫଳତା ଦୋହରାଇବା ଲକ୍ଷ୍ୟ ରଖିଛି। ୨୦୧୮ ଗୋଲଡ୍‌କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ଟି ସ୍ବର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି କାଂସ୍ୟ ସହ ମୋଟ ୬୬ଟି ପଦକ ପାଇ ୩ୟ ସ୍ଥାନରେ ରହିଥିଲା।

ପଦକ ଆଶାରେ ଦୂତି, ଶ୍ରାବଣୀ, ଦୀପ୍‌ ଗ୍ରେସ, ଅମିତ, ଦିନେଶ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼‌ାରେ ୨୧୧ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୫ଜଣ ଖେଳାଳି ରହିଛନ୍ତି। ଦୌଡ଼କୁଦରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ପୁରୁଷ ହକି ଦଳରେ ଅମିତ ରୋହିଦାସ, ମହିଳା ହକି ଦଳରେ ଦୀପ୍‌ ଗ୍ରେସ ଏକ୍କା, ସାଇକେଲିଂରେ ଦିନେଶ କୁମାର ରହିଛନ୍ତି। ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଭାରତୀୟ ମହିଳା ୪ ଗୁଣା ୧୦୦ମିଟର ରିଲେ ଦଳରେ ସ୍ଥାନ ପାଇଛନ୍ତି । ଶ୍ରାବଣୀ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ ଗୁଣା ୧୦୦ମିଟର ରିଲେ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି କାଂସ୍ୟ ପଦକ ବିଜୟୀ ହୋଇଥିଲେ ।

ଚଳିତ ଥର ସେହି ସଫଳତାକୁ ଦୋହରାଇବା ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ଦୂତି ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଆଶା ରଖିଛନ୍ତି । ସେହିପରି ଭାରତୀୟ ପୁରୁଷ ହକି ଦଳରେ ଡିଫେଣ୍ଡର ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଅମିତ ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଭାରତୀୟ ପୁରୁଷ ହକି ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛି । ମହିଳା ହକି ଦଳରେ ଉପ ଅଧିନାୟିକା ରହିଛନ୍ତି ଦୀପ୍‌ଗ୍ରେସ ଏକ୍କା । ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ମହିଳା ହକି ଦଳ ଐତିହାସିକ ୪ର୍ଥ ସ୍ଥାନ ହାସଲ କରିବା ପରେ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ନେଇ ଉତ୍ସାହିତ ରହିଛି। ସାଇକେଲିଂରେ ଓଡ଼ିଶାରୁ ଦିନେଶ କୁମାର ପ୍ରତିନିଧିତ୍ବ କରିବେ।

Comments are closed.