ଡେସ୍କ: ସ୍ବାଧୀନତା ସଂଗ୍ରାମର ସ୍ମୃତିବହନ କରୁଥିବା ଐତିହାସିକ ତେଲେଙ୍ଗାପେଣ୍ଠ ଠାରେ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ୱାରା କଟକରେ ଜିଲ୍ଲାସ୍ତରୀୟ ୧୫୬ତମ ଜାତିର ଜନକ ମହାତ୍ମାଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜାତିର ଜନକ ମହାତ୍ମାଗାନ୍ଧିଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସତ୍ୟ, ଅହିଂସା, ଧୈର୍ଯ୍ୟ ଓ ସତ୍ ମାର୍ଗ ଅବଲମ୍ବନ କରି ଗାନ୍ଧିଜୀ ଭାରତର ସ୍ବାଧିନତା ହାସଲ କରିଥିଲେ। ଗାନ୍ଧୀ ଜୟନ୍ତୀ କେବଳ ଏକ ସ୍ମୃତିଚାରଣର ଦିବସ ନୁହେଁ, ଏହା ହେଉଛି ଗାନ୍ଧୀଜୀଙ୍କ ମୂଲ୍ୟବୋଧ — ଅହିଂସା, ସତ୍ୟ, ସ୍ଵଚ୍ଛତା ଓ ସେବା ପ୍ରତି ଆମ ଦୃଢ଼ ପ୍ରତିବଦ୍ଧତାର ପ୍ରତିକ। ଗାନ୍ଧିବାଦକୁ ନିଜ ଜୀବନରେ ଆପଣେଇବା, ପରିବେଶ ସୁରକ୍ଷିତ ରଖିବା, ସ୍ୱଚ୍ଛତାକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ଆଦି ଉପରେ ଗୁରୁତ୍ବଆରୋପ କରିବା ସହ ମହାତ୍ମାଗାନ୍ଧିଙ୍କ ଆଦର୍ଶକୁ ଆମେ ନିଜ ଜୀବନରେ ପାଳନ କରି ଦେଶର ପ୍ରଗତି ପଥରେ ସହାଭାଗୀ ହେବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନାସଭା ହୋଇଥିଲା। ଶ୍ରୀ ଶୁକଦେବ ସ୍ୱାଇଁ ଗୀତା ପାଠ କରିଥିବା ବେଳେ ସନ୍ଦୀପ ନାୟକ ବାଇବେଲ ଏବଂ ତାଜ ଉଦ୍ଦିନ ଖାନ କୋରାନ ପାଠ କରିଥିଲେ।
ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତେଲେଙ୍ଗାପେଣ୍ଠଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଟକ ମହାନଗର ନିଗମ ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କଟକରେ ଜିଲ୍ଲାସ୍ତରୀୟ ୧୫୬ତମ ଗାନ୍ଧି ଜୟନ୍ତୀ ସମାରୋହ ଅନୁଷ୍ଠିତ pic.twitter.com/hJnfhkQ0aM
— Samaja Live (@samajalive) October 2, 2025



