www.samajalive.in
Wednesday, December 10, 2025
18.1 C
Bhubaneswar

କାଳବୈଶାଖୀର ପ୍ରଥମ ମାଡ଼ରେ ଚାଷୀ ଘାଇଲା

ରେଙ୍ଗାଲିକ୍ୟାମ୍ପ : ଏବେ ରଵିଧାନ ଅମଳର ସମୟ। କରୋନା ଯୋଗୁଁ ତାଲାବନ୍ଦ ଚାଲିଛି। ଘରେ ରୁହ ସୁରକ୍ଷିତ ରୁହ। ଏହା ସମସ୍ତେ କହୁଛୁ ଆଉ ମାନୁଛୁ। ହେଲେ ଯେଉଁ ଚାଷୀ ପରିବାରର ଭବିଷ୍ୟତ ବିଲରେ ପଡ଼ିଛି, ବର୍ଷର ସବୁ  ଝାଲ ବୁହା ପରିଶ୍ରମ ବିଲରେ, ତା ପାଇଁ କଣ ଘର ସୁରକ୍ଷିତ ? ଜୀବନର ସବୁ ଆଶାକୁ ତାର ଫସଲ ଦେହରେ ଅଜାଡ଼ି ଦେଇ ଅମଳ ପରେ ଧାନ ବିକ୍ରି କରି ସେଇ ଅର୍ଥରେ ନିଜ ପରିବାର ପାଇଁ ଟିକିଏ ହସ କିଣିବା ର ସ୍ବପ୍ନ ଦେଖୁଥିବା ଚାଷୀକୁ ଆଜି କରୋନା  ମଧ୍ୟ ଭୟଭୀତ କରିପାରୁ ନାହିଁ। ସେ ଆଜି ବିଲରେ ନିଜର ଫସଲକୁ ସାଉଁଟିବାରେ ଲାଗିଛି। କିନ୍ତୁ ଗତକାଲି ସନ୍ଧ୍ୟାରେ ଦୁଇ ଘଣ୍ଟାଧରି କାଳବୈଶାଖୀରେ ଯେଉଁ ବର୍ଷା ଓ ପବନ ବହିଛି ସେଥିରେ ତାର ସେଇ ସପ୍ନ ଭାଙ୍ଗିଯାଇଛି। ବିଲରେ ଧାନ କଟା ହୋଇ ପାଣିରେ ଭାସୁଛି ତା ଆଉ କେଉଁଠି  ପବନରେ ବାଡେଇ ହୋଇ କେଣ୍ଡରୁ ଧାନ ଝଡିଯାଇ ନଷ୍ଟ ହୋଇଛି। ଧାନ ଅମଳ ଉପଯୋଗୀ ହୋଇଥିଲେ ମଧ୍ୟ ଶ୍ରମିକ ଅଭାବରୁ ଧାନ ଅମଳରେ ବାଧା ହେବ ସହ ଅମଳ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି। ଅନ୍ୟ ପକ୍ଷରେ ସରକାରଙ୍କ ନୂଆଁ ଧାନ କିଣା ବିକା ନୀତି। ଏହି ନୀତିରେ ଚାଷୀ ଆଜି ତା’ର ଧାନ ବିକ୍ରିକୁ ନେଇ ସନ୍ଦେହ ପ୍ରକାଶ କରୁଛି।
ନିୟମ ଅନୁସାରେ ତିନୋଟି ପର୍ଯ୍ୟାୟରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ମେ’ ମାସ ୧ ତାରିଖରୁ ୧୫ ଯାଏଁ , ଦ୍ଵିତୀୟ ପର୍ଯ୍ୟାୟରେ ମେ ୧୫ ରୁ ୩୦ ଯାଏଁ ଓ ତୃତୀୟ ପର୍ଯ୍ୟାୟରେ ଜୁନ ୧ ରୁ ୧୫ଯାଏଁ ଏମିତି ତିନୋଟି ପର୍ଯ୍ୟାୟରେ ଧାନ ବିକ୍ରି କରିପାରିବେ। ତାହା ପୁଣି ଟୋକନ ପାଇବାର ୧୫ଦିନ ଭିତରେ ହିଁ ନିଜର ଟୋକନ  ନିର୍ଦ୍ଧାରିତ ସମସ୍ତ ଧାନ ଏକାଥରକେ ବିକ୍ରିକରିବା ପାଇଁ ମାର୍କେଟକୁ ଆଣିବ ନହେଲେ ମାର୍କେଟରେ ପ୍ରବେଶ ଅନୁମତି ନାହିଁ। ଏପଟେ କରୋନା ଯୋଗୁଁ ଲୋକେ ଭୟଭିତ ହୋଇ ଘରୁ ବାହାରୁ ନାହାଁନ୍ତି ତେଣୁ ଶ୍ରମିକ ଅଭାବ ରହୁଛି। ଆମ ଅଞ୍ଚଳ ପାଇଁ ଯେତିକି ଶ୍ରମିକ ଆବଶ୍ୟକ ତାର ମାତ୍ର ୨୦ପ୍ରତିଶତ ଶ୍ରମିକ ଆମ ନିଜ ଅଞ୍ଚଳର ଲୋକ ହୋଇଥିବାବେଳେ ୮୦ପ୍ରତିଶତ ଶ୍ରମିକ ବାହାର ଜିଲ୍ଲାରୁ ଆସିଥାନ୍ତି। କିନ୍ତୁ ଏବେ ତାଲାବନ୍ଦ, ଗାଡିମଟର ବନ୍ଦ ଯୋଗୁଁ ବାହାର ଅଞ୍ଚଳରୁ ଶ୍ରମିକ ଆସୁନାହାନ୍ତି। ତେଣୁ ଶ୍ରମିକର ଘୋର ଅଭାବ ପରିଲକ୍ଷିତ ହେଉଛି। ଏପରି ପ୍ରତିକୂଳ ପରିସ୍ଥିତିରେ ଧାନ ପାକଳ ହୋଇଥିଲେ ମଧ୍ୟ ଜଣେ ଚାଷୀ  ତାର ଧାନ ଅମଳ କରିପାରୁନାହିଁ। ପୁଣି ଟୋକନ ପାଇବାର ୧୫ ଦିନ ଭିତରେ କେମିତି ତାର ନିର୍ଦ୍ଧାରିତ ପରିମାଣକୁ ଏକ ସାଙ୍ଗରେ ବିକ୍ରୟ କରିବାକୁ ଆଣିବ ? ଏସବୁକୁ ଅନୁଧ୍ୟାନ କରି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ଏହି ନୂତନ ଧାନ କ୍ରୟ ପ୍ରକ୍ରିୟାରେ ଅଞ୍ଚଳର ୨୦ ପ୍ରତିଶତ ଚାଷୀଙ୍କ ଧାନ ମଧ୍ୟ ବିକ୍ରି ହେବ ବୋଲି ସମ୍ଭାବନା ନାହିଁ। ତେଣୁ କରୋନା ପରିସ୍ଥିତିକୁ ତଥା ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନୀତିରେ କିଛି କୋହଳ କରାଯାଇ ଚାଷୀଙ୍କ ପ୍ରତି ସରକାରଙ୍କ ଉଦାର ମନୋଭାବ ରହୁ ବୋଲି ସଂଗଠନର ସଭାପତି ହାରାଧନ ପ୍ରଧାନଙ୍କ ସମେତ ସମ୍ପାଦକ ଲୋକେଶ୍ୱର ପ୍ରଧାନ, ଉପ ସଭାପତି ଭିକାରୀ ଚରଣ ବାରିକ୍ ତଥା ସଭ୍ୟ ପଲଉ ମାଝୀ, ଗଣେଶ ମହାକୁର,ବୃଷଭାନୁ ସାହୁ, ପ୍ରକାଶ ନାଏକ ପ୍ରମୁଖ ଦାବି ଜଣାଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories