www.samajalive.in
Friday, December 12, 2025
19.1 C
Bhubaneswar

ରାଜ୍ୟ ବଜେଟ୍ ଜନଗଣଙ୍କ ଆଶା ଆକାଂକ୍ଷା ପୂରଣ କରିପାରିବ ନାହିଁ: ସିପିଆଇ(ଏମ୍)

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡିଶାରେ ବିଜେଡି ସରକାର ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ତାହା ଓଡିଶା ବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ୨୦୨୦-୨୧ ଆର୍ଥୀକ ବର୍ଷ ପାଇଁ ବଜେଟ୍ ପରିମାଣ (ବଜେଟ୍ ଅଟକଳ ଓ ସପ୍ଳିମେଣ୍ଟାରୀ ବଜେଟ୍ ଅଟକଳ ମିଶାଇ) ୧ ଲକ୍ଷ ୬୧ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ୨୦୨୧-୨୨ ବର୍ଷ ବଜେଟ୍‌ରେ ତାହା ନାମକୁ ମାତ୍ର ବୃଦ୍ଧି କରି ୧,୭୦,୦୦୦କୋଟି ଟଙ୍କା ରଖାଯାଇଛି। ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ କୌଣସି ପଦକ୍ଷେପ ନାହିଁ। ବିଶେଷ କରି ପେଟ୍ରୋଲିୟମଜାତ ଦ୍ରବ୍ୟ ଉପରୁ ରାଜ୍ୟ ଟିକସ ହ୍ରାସ ପାଇଁ କୌଣସି ପ୍ରସ୍ତାବ ନାହିଁ କିମ୍ବା ଏହାକୁ ଜି.ଏସ୍.ଟି. ପରିସର ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଚାହୁଁ ନାହାଁନ୍ତି। ଲୋକ ଦେଖାଣିଆ ଭାବେ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପିତ କରାଯାଇଛି। କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପ୍ରତି ଅଧିକ ବ୍ୟୟବରାଦ ପରିବର୍ତ୍ତେ ଗତ ବର୍ଷର ବଜେଟ୍ ଅଟକଳରୁ ୨,୯୪୦ କୋଟି ଟଙ୍କା ହ୍ରାସ କରାଯାଇଛି। ଚାଷୀମାନଙ୍କ ଋଣ ଛାଡ, ସ୍ୱାମୀନାଥନ କମିଟି ରିପୋର୍ଟ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଚାଷୀମାନଙ୍କୁ ବୋନସ ପ୍ରଦାନ କିମ୍ବା ମଣ୍ଡିରୁ ଚାଷୀମାନଙ୍କ ଧାନ ସଂଗ୍ରହ କରିବା କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ନେବା କ୍ଷେତ୍ରରେ ବଜେଟ୍ ନିରବ। ଅଧିକ ୨ ଲକ୍ଷ ୭୪ ହଜାର ଏକର ଜମିରେ ଜଳସେଚନ ବନ୍ଦୋବସ୍ତ କରିବାର ଘୋଷଣା ଏକ ଫମ୍ପା ଆବାଜ। ଓଡିଶାର ଡ୍ୟାମ ଗୁଡିକର ଜଳ ଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ନଦୀ ଗୁଡିକ ମଧ୍ୟ ଶୁଷ୍କ। ଯେଉଁ ଜଳସେଚିତ ଜମି ରହିଛି, ସେଥିରେ ଜଳ ଅଭାବରୁ ଯଥେଷ୍ଟ ଜଳସେଚନ ହୋଇପାରୁନାହିଁ।

 

- Advertisement -

କୋଭିଡ୍ ମହାମାରୀ ପୁଣି ଭିନ୍ନ ରୂପରେ ଦେଖା ଦେବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଯଥେଷ୍ଟ ଅର୍ଥ ବରାଦ ଆବଶ୍ୟକ ଥିବା ବେଳେ ତାହା କରାଯାଇନାହିଁ। ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ପୂର୍ବ ବର୍ଷ ତୁଳନାରେ ୨,୧୪୩ କୋଟି ଟଙ୍କା କମ୍ ହୋଇଛି। ସାର୍ବଜନିନ ଶିକ୍ଷା, ଅଧିକ ସ୍ଥାୟୀ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଗଠନ ପ୍ରତି ଯଥେଷ୍ଟ ଅର୍ଥ ବରାଦ ହୋଇନାହିଁ। ଖାଲି ପଡିଥିବା ପଦବୀ ପୂରଣ ପାଇଁ ବ୍ୟବସ୍ଥା ନାହିଁ। ଶିଳ୍ପ କ୍ଷେତ୍ର ସଂକଟ ମଧ୍ୟଦେଇ ଗତି କରୁଥିବା ବେଳେ ବେକାରୀ ସମସ୍ୟା ଉତ୍କଟ ଆକାର ଧାରଣ କରିବ। ଏମ୍.ଏନ୍. ରେଗା କାମ ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ ହ୍ରାସ କରୁଥିବା ବେଳେ ଏହା ଉପରେ ନିର୍ଭରଶୀଳ ପରିବାରକୁ କାମ ଯୋଗାଇବା ପାଇଁ ରାଜ୍ୟ ବଜେଟ୍‌ରେ ଠୋସ୍ ପଦକ୍ଷେପ ନାହିଁ। ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା ସମୁଦ୍ରକୁ ସଙ୍ଖେ। ଜନଗଣଙ୍କର ମୁଣ୍ଡ ପିଛା ଆୟ ୨୪୧୦ଟଙ୍କା ହ୍ରାସ ଘଟିଥିବା ବେଳେ ସେମାନଙ୍କର କ୍ରୟ ଶକ୍ତି ତଥା ଆୟ ବୃଦ୍ଧି ପାଇଁ ଯୋଜନା ନାହିଁ। ସାର୍ବଜନୀନ ଶିକ୍ଷା ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ପ୍ରତି ଧ୍ୟାନ ନଦେଇ ଘରୋଇ ଉଦ୍ୟୋଗ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଧନୀକ ଶ୍ରେଣୀ, ଖଣି ମାଲିକଙ୍କ ଠାରୁ ବକେୟା ଅର୍ଥକୁ ଆଦାୟ କରିବା ପାଇଁ ପଦକ୍ଷେପ ନାହିଁ। ପର୍ଯ୍ୟଟନ ବ୍ୟୟ ବରାଦ ବୃଦ୍ଧି ପରିବର୍ତ୍ତେ ତାହା ୮୮ କୋଟି ଟଙ୍କା ହ୍ରାସ କରାଯାଇଛି। ଏ ସବୁର କୁପ୍ରଭାବ ନିଯୁକ୍ତି କ୍ଷେତ୍ର ଉପରେ ପଡିବ। ଫଳରେ ବେକାର ସମସ୍ୟା ଉତ୍କଟ ହେବ। ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇଛି ଓ ଋଣ ପରିମାଣ ମୋଟ ରାଜ୍ୟ ଆଭ୍ୟନ୍ତରୀଣ ଉତ୍ପାଦନର ୩.୫%କୁ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏହି ବଜେଟ୍ କେନ୍ଦ୍ରର ମୋଦି ସରକାରଙ୍କ ବଜେଟ୍ ଭଳି ଏକ ପ୍ରହେଳିକା ପୂର୍ଣ୍ଣ ବଜେଟ୍। ଏହା ଜନଗଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହେବ। ଏହି ଜନ ବିରୋଧୀ ବଜେଟ୍ ବିରୁଦ୍ଧରେ ଜନଗଣ ପ୍ରତିବାଦ କରିବା ପାଇଁ ଆଗେଇ ଆସିବାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ଆହ୍ୱାନ କରୁଛି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories