ସମ୍ବଲପୁର: ସମ୍ବଲପୁର ସ୍ଥିତ ହୀରାକୁଦ ନଦୀବନ୍ଧର ଉପର ଓ ତଳ ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଅତିରିକ୍ତ ଜଳକୁ ମହାନଦୀରେ ଛଡା ଯାଉଛି। ଏଣୁ ମହାନଦୀର ପଠା ଏବଂ ନଦୀ ମଧ୍ୟରେ ଥିବା ଟାପୁଗୁଡିକର ଚାରିପଟରେ ବନ୍ୟା ଜଳ ଭର୍ତ୍ତି ହୋଇ ରହିଛି। ଏଭଳି ଏକ ଘଟଣାରେ ସମ୍ବଲପୁରର ଉପକଣ୍ଠସ୍ଥ ଅର୍ଡା ଗ୍ରାମ ନିକଟରେ ରହିଥିବା ଦଧିବାମନ ମନ୍ଦିର ନିକଟରେ ମହାନଦୀରେ ରହିଥିବା ଏକ ଟାପୁକୁ ଘାସ ଚରିବାକୁ ଯାଇଥିବା ୨୪ଟି ଗାଈଗୋରୁ ଅଚାନକ ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ଫସି ରହି ଯାଇଥିଲେ।
ଏ ସର୍ମ୍ପକରେ ସ୍ଥାନୀୟ ନିବାସୀ ଜାଣିବା ପରେ ବହୁ ଚେଷ୍ଟା ସତ୍ୱେ ଗାଈ ମାନଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଏଣୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଫଳରେ ଅଗ୍ନିଶମ ବିଭାଗ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୭ ଜଣିଆ ଦଳ ଉକ୍ତ ଟାପୁକୁ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ଚାଳିତ ବୋଟରେ ଯାଇ ଗାଈ ମାନଙ୍କୁ ଏକତ୍ରିତ କରିଥିଲେ। ଇତି ମଧ୍ୟରେ ହୀରାକୁଦ ନଦୀ ବନ୍ଧ ପକ୍ଷରୁ ପ୍ରାୟ ୧୦ଟି ବନ୍ୟା ଜଳ ନିଷ୍କାସନ ଦ୍ୱାର ବନ୍ଦ କରାଯିବାରୁ ଅଗ୍ନିଶମ ଦଳ ଗାଈ ମାନଙ୍କୁ ଟାପୁ ରୁ ନଦୀ ମଧ୍ୟରେ ବାଟ କଢ଼ାଇ ଉଦ୍ଧାର କରି ଆଣିଥିଲେ। ଅଗ୍ନିଶମ ଦଳର ସମୋୟଚିତ ଓ ଦୁଃସାହସିକ ପଦକ୍ଷେପ ଯୋଗୁଁ ଗାଈ ମାନଙ୍କୁ ଉଦ୍ଧାର କରାଯାଇପାରିଥିବାରୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।



