କରୋନା କଟକଣାକୁ ଉଲ୍ଲଂଘନ କରି ବାଲିଯାତ୍ରା ପାଳିତ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ନବରଙ୍ଗପୁର: ସରକାରଙ୍କ କୋଭିଡ କଟକଣା ସତ୍ୱେ ପାଳନ ହେଲା ଗଣପର୍ବ ବାଲିଯାତ୍ରା। ରୁଣ୍ଡ ହେଲେ ହଜାର ହଜାର ଲୋକ, ନାଚଗୀତରେ ମାତିଲେ ଭକ୍ତ। କରୋନା କାଳରେ ଏଭଳି ପର୍ବ ପାଳନ ଆୟୋଜନ ନ କରିବାକୁ କଡା ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତ କଟକଣାକୁ ଅଣଦେଖା କରି ନାଚଗୀତରେ ମାତିଲେ ଗ୍ରାମବାସୀ। ଏହି ଘଟଣାର କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରଲ କରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ କର୍ଚ୍ଚାମାଳ ଗ୍ରାମରେ ଓ କୋଷାଗୁମୁଡା ଥାନା ଅନ୍ତର୍ଗତ କୁସୁମପାଲି ଗ୍ରାମରେ ।

ବୁଧବାର କର୍ଚ୍ଚାମାଳ ଗ୍ରାମରେ ଅନୁଷ୍ଠିତ ବାଲିଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇଥିଲେ । ପାରମ୍ପରିକ ନାଚଗୀତରେ ମସଗୁଲ ଥିଲେ ଗ୍ରାମବାସୀ । କୌଣସି ଲୋକଙ୍କ ମୁହଁରେ ମାସ୍କ ନ ଥିଲା କି ସାମାଜିକ ଦୂରତା ନ ଥିଲା । ସରକାରଙ୍କ ନିର୍ଦ୍ଦେଶକୁ ଏକପ୍ରକାର ଏଠାରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହାକୁ ନେଇ କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଦେବାରୁ ଭିଡିଓଟି ମୋବାଇଲରୁ ମୋବାଇଲ ଘୁରି ବୁଲିଲା । ଭିଡିଓ ଭାଇରାଲ ହେବା ପରେ ଗୁରୁବାର ସନ୍ଧ୍ୟାରେ କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ ଓ କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର କର୍ଚ୍ଚାମାଳ ଗାଁରେ ପହଞ୍ଚି ନିୟମକୁ ଉଲ୍ଲଂଘନ କରିଥିବା ଯାତ୍ରା କମିଟିଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ସେହିପରି ତାଙ୍କ ବିରୁଦ୍ଧରେ ଏକ ମୋକଦ୍ଦମା କରାଯିବ ବୋଲି ସୂଚନା ମିଳିଛି । କୋଡ଼ିଙ୍ଗା ଗ୍ରାମରୁ ମାତ୍ର ୭-୮ କିଲୋମିଟର ଦୂରରେ ଏଭଳି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଖବର ନପାଇବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଶୁକ୍ରବାର କୋଷାଗୁମୁଡା ଥାନା ରାଜୋଡା ପଞ୍ଚାୟତ ଅନ୍ତର୍ଗତ କୁସୁମପାଲି ଗ୍ରାମରେ ବାଲିଯାତ୍ରା ଚାଲିବା ସହ ବାଲିଯାତ୍ରା ପଡ଼ିଆରେ ଦୋକାନ ବଜାର ବସି ପ୍ରବଳ ଗହଳି ହେଇଥିବା ଖବର ପାଇ କୋଡ଼ିଙ୍ଗା ତହସିଲଦାର ଓ କୋଷାଗୁମୁଡା ପୁଲିସ ଅପରାହ୍ନରେ ଉକ୍ତ ଗ୍ରାମରେ ଚଡାଉ କରି ବାଲିଯାତ୍ରାକୁ ବନ୍ଦ କରିବା ସହ କମିଟିଠାରୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରିବା ସହ କମିଟି ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Comments are closed.