ଭୁବନେଶ୍ବର ( ରମାକାନ୍ତ ମହାନନ୍ଦ ) : ୧୯୮୯ରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆଇଏଲ୍ଏସ୍ ୨୦୦୨ରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନକୁ ଆସିଥିଲା। ଏଠାରେ ଜୀବ ବିଜ୍ଞାନ ସମ୍ପର୍କରେ ଉଚ୍ଚସ୍ତରୀୟ ଗବେଷଣା ଜାରି ରହିଛି। ଆସିଏମ୍ଆର୍ ପକ୍ଷରୁ ଅନୁମତି ପାଇବା ପରେ ଆଇଏଲ୍ଏସ୍ରେ ‘କୋଭିଡ୍ ୧୯’ ପରୀକ୍ଷା ଆରମ୍ଭ ହୋଇଛି। ଡେଙ୍ଗୁ, ମାଲେରିଆ, ଜାପାନିଜ୍ ଏନ୍ସଫାଲିଟିଜ୍, ଫାଲେରିଆ ଇତ୍ୟାଦି ରୋଗ ସଂକ୍ରାନ୍ତରେ ଇନ୍ଫେକ୍ଟିଓସ୍ ଡିଜିଜ୍ ବାୟୋଲୋଜି ଗ୍ରୁପ୍ ଗବେଷଣା ଜାରି ରଖିଥିବା ଆଇଏଲ୍ଏସ୍ ଆଗାମୀ ଦିନରେ ଗବେଷଣା ଜରିଆରେ କୋଭିଡ୍-୧୯ ଔଷଧ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନିର୍ଦେଶକ ପଦ୍ମଶ୍ରୀ ଡ.ଅଜୟ ପରିଡ଼ା କହିଛନ୍ତି। ‘କୋଭିଡ୍ ୧୯’ ପରୀକ୍ଷଣ ଓ ‘ଆଇଏଲ୍ଏସ୍ର ଲକ୍ଷ୍ୟ’ ସମ୍ପର୍କରେ ପଦ୍ମଶ୍ରୀ ଡ.ପରିଡ଼ାଙ୍କ ସହ ଏକ ସାକ୍ଷାତକାର…


ପ୍ରଶ୍ନ: ସଂକ୍ଷେପରେ ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ କିଭଳି ଉପସ୍ଥାନ କରିବେ?
ଉତ୍ତର: ଭାରତ ସରକାରଙ୍କ ବାୟୋଟେକ୍ନୋଲୋ ବିଭାଗର ଏକ ସ୍ୱୟଂଶାସିତ ଅନୁଷ୍ଠାନ ହେଉଛି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଡିବିଟି-ଆଇଏଲ୍ଏସ୍)। ଏହି ପ୍ରତିଷ୍ଠାନରେ ଇନ୍ଫେକ୍ଟିଓସ୍ ଡିଜିଜ୍ ବାୟୋଲୋଜି, କ୍ୟାନ୍ସର ରିସର୍ଚ୍ଚ ଏବଂ ପ୍ଲାଣ୍ଟ ଆଣ୍ଡ ଏନ୍ଭର୍ଣ୍ଣମେଣ୍ଟାଲ୍ ବାୟୋଟେକ୍ନୋଲୋଜି ଆଦି କ୍ଷେତ୍ରର ଆଡ୍ଭାନ୍ସଡ୍ ବାୟୋଟେକ୍ନୋଲୋଜି ମେଥଡ୍ ଉପରେ ଗବେଷଣା କରାଯାଉଛି। ଡେଙ୍ଗୁ, ମାଲେରିଆ, ଜାପାନିଜ୍ ଏନ୍ସଫାଲିଟିଜ୍, ଫାଲେରିଆ ଇତ୍ୟାଦି ରୋଗ ସଂକ୍ରାନ୍ତରେ ଇନ୍ଫେକ୍ଟିଓସ୍ ଡିଜିଜ୍ ବାୟୋଲୋଜି ଗ୍ରୁପ୍ ଗବେଷଣା କରୁଛି। ପାଥୋଗନ୍ସ ଓ ତାହାର ମଲେକୁଲାର ମେକାନିଜିମ୍ ସାଙ୍ଗକୁ ରୋଗ ଚିହ୍ନଟ ଓ ତାହାର ସଫଳ ନିଦାନ ଉପରେ ଏହାର ଗବେଷଣା ପର୍ଯ୍ୟବସିତ। ଏଠାରେ ଭାଇରାଲ୍ ଏବଂ ବ୍ୟାକ୍ଟେରିଆଲ୍ ନମୂନା ସଂଗ୍ରହ ଓ ପରୀକ୍ଷା ସାଙ୍ଗକୁ ଏହାର ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଆଇଏଲ୍ଏସ୍ ବିଶେଷଜ୍ଞ ଓ ଗବେଷକଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ କରାଯାଇଛି। ସେମାନେ ସତର୍କତା ଅବଲମ୍ବନ କରି ନିରାପଦରେ ରହି ବିଭିନ୍ନ ଭାଇରାଲ୍ ଡିଜିଜ୍ର ରିପୋର୍ଟ ପ୍ରସ୍ତୁତ କରିବା ଦକ୍ଷତା ରଖିଛନ୍ତି।
ପ୍ରଶ୍ନ: ଆଇଏଲ୍ଏସ୍ରେ କୋଭିଡ୍ ୧୯ ପରୀକ୍ଷଣ ପାଇଁ ଆଇସିଏମ୍ଆର୍ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି, ଏଥିପାଇଁ ଭିତ୍ତିଭୂମି କିଭଳି ରହିଛି?
ଉତ୍ତର: ଆଇସିଏମ୍ଆର୍ ଗାଇଡ୍ଲାଇନ୍ ଅନୁଯାୟୀ କୋଭିଡ୍-୧୯ ନମୂନା ପରୀକ୍ଷା ଓ ଏହାର ଡାଇଗ୍ନୋସିସ୍ ସମ୍ପର୍କରେ କାର୍ଯ୍ୟ କରିବା ପାଇଁ ଆଇଏଲ୍ଏସ୍କୁ ଅନୁମୋଦନ ମିଳିଛି। ଏଠାରେ ବିଏସ୍ଏଲ୍ ୩ ଏବଂ ବିଏସ୍ଏଲ୍ ୨ ଏଠାରେ ସ୍ଥାପନ କରାଯାଇଛି, ଯେଉଁଥିରେ କୋଭିଡ୍ ୧୯ ପରୀକ୍ଷା ସୁବିଧା ଉପଲବ୍ଧ ରହିଛି। ଏଠାରେ ସେଫ୍ଟି କ୍ୟାବିନେଟ୍, ଆଇସୋଲେଟେଡ୍ ଲାବରେଟୋରିଜ୍, ରେଫ୍ରିଜେରେଟେଡ୍ ସେଣ୍ଟ୍ରିଫ୍ୟୁଜେସ୍, ଆର୍ଟି-ପିସିଆର ମେସିନ, ଆବଶ୍ୟକ ଡାଗ୍ନୋଷ୍ଟିକ୍ ଟେଷ୍ଟ ପାଇଁ ଭିତ୍ତିଭୂମି ସୁଦୃଢ଼ ରହିଛି। ଫଳରେ ଆଇସିଏମ୍ଆର୍ ଗାଇଡ୍ଲାଇନ୍ ଅନୁଯାୟୀ ଆଇଏଲ୍ଏସ୍ରେ କୋଭିଡ଼-୧୯ ପରୀକ୍ଷା କରାଯିବା ନେଇ ସବୁ ପ୍ରକାର ସୁବିଧା ରହିଛି।
ପ୍ରଶ୍ନ: କରୋନା ଭୂତାଣୁ ପରୀକ୍ଷଣ ପାଇଁ କେତେଜଣ ବୈଜ୍ଞାନିକ ଓ ଗବେଷକଙ୍କୁ ନିୟୋଜିତ କରାଯିବାକୁ ଯୋଜନା ରହିଛି?
ଉତ୍ତର: ଭାଇରୋଲୋଜି ଏବଂ ମଲେକୁଲାର ବାୟୋଲୋଜିରେ ଗବେଷଣା କରୁଥିବା ଅଭିଜ୍ଞ ଚାରି ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ କରୋନା ଭୂତାଣୁ ଚିହ୍ନଟ ପାଇଁ ନିୟୋଜିତ କରାଯାଇଛି। ସେମାନଙ୍କୁ ୧୫ଜଣ ବରିଷ୍ଠ ଗବେଷକ(ପିଏଚ୍ଡି ଛାତ୍ରଛାତ୍ରୀ) ସହଯୋଗ କରୁଛନ୍ତି, ଯେଉଁମାନେ ମଲେକୁଲାର ବାୟୋଲେଜି ଡାଇଗ୍ନୋଷ୍ଟିକ୍ ମେଥଡ୍ ଆଣ୍ଡ ଟେକ୍ନୋଲୋଜିରେ ଭଲ ଭାବେ ପ୍ରଶିକ୍ଷିତ ହୋଇଛନ୍ତି।
ପ୍ରଶ୍ନ: ନମୂନା ପରୀକ୍ଷଣ ସମୟରେ କିଭଳି ସତର୍କତା ଅବଲମ୍ବନ କରିଥାନ୍ତି?
ଉତ୍ତର: ନମୂନା ପରୀକ୍ଷଣ ପ୍ରକ୍ରିୟାରେ ନିୟୋଜିତ ହୋଇଥିବା ବିଶିଷ୍ଟ ବୈଜ୍ଞାନିକ ଓ ଗବେଷକ କିଭଳି ନିରାପଦରେ କାର୍ଯ୍ୟ ସମ୍ପନ୍ନ କରିପାରିବେ ସେଥିପାଇଁ ଆଇଏଲ୍ଏସ୍ ବିଶେଷ ଗୁରୁତ୍ୱ ଦେଉଛି। ସେମାନେ ସତର୍କତା ଅବଲମ୍ବନ କରିବା ସହିତ ଆଇସିଏମ୍ଆର୍ ଏବଂ ଡବ୍ଲ୍ୟୁଏଚ୍ଓ ଦ୍ୱାରା ପ୍ରସ୍ତୁତ ସେଫ୍ଟି ଗାଇଡ୍ଲାଇନ୍ ନମୂନା ପରୀକ୍ଷଣ ପ୍ରକିୟା ସମୟରେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଆଇଏଲ୍ଏସ୍ ପକ୍ଷରୁ ହାଇ କ୍ୱାଲିଟି ପର୍ସନାଲ୍ ଗିଅର୍ସ, ମାସ୍କ(ଏନ୍୯୫) ଏବଂ ଷ୍ଟେରିଲାଇଜେସନ୍ ଇକ୍ୟୁପ୍ମେଣ୍ଟ ସେମାନଙ୍କୁ ଯୋଗାଇ ଦିଆଯାଉଛି।
ପ୍ରଶ୍ନ: କୋଭିଡ୍-୧୯ ସଫଳ ନିଦାନ ପାଇଁ ଆଇଏଲ୍ଏସ୍ କ’ଣ ଲକ୍ଷ୍ୟ ରଖିଛି?
ଉତ୍ତର: କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ସହଯୋଗ ପ୍ରଦାନ କରାଯାଇଛି ଓ କୋଭିଡ୍-୧୯ ଡାଇଗ୍ନୋସିସ୍ ପ୍ରୋସେସ୍ ଉପରେ ଗୁରୁତ୍ୱ ଦିଆଯାଇଛି। ଗବେଷଣା ଜରିଆରେ ଜିନୋମିକ୍ସ ଇମ୍ୟୁନୋଲୋଜି ଏବଂ କୋଭିଡ୍-୧୯ର ସଫଳ ଉପଚାର ପାଇଁ ଔଷଧ ପ୍ରସ୍ତୁତ କରିବାକୁ ଆଇଏଲ୍ଏସ୍ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ପୂରଣ ପାଇଁ ଦୀର୍ଘ ସମୟର ଗବେଷଣାର ଆବଶ୍ୟକତା ରହିଛି। ଯାହାର ସଫଳ ରୂପାୟନ ପାଇଁ ଆଇଏଲ୍ଏସ୍ ପକ୍ଷରୁ ଯୋଜନା ପ୍ରସ୍ତୁତ ପରେ ପଦକ୍ଷେପ ଗ୍ରହଣ କରାଯାଇଛି।



