ଭୁବନେଶ୍ବର (ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛି । ଆଜି ରାଜ୍ୟର ୫୫୧୫ ଗ୍ରାମ ପଞ୍ଚାୟତରେ ୩,୪୪,୯୯୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୪୪ଟି ପୌରାଞ୍ଚଳରେ ୩୩,୬୮୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋବିଦ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ମଙ୍ଗଳବାର ଗଣମାଧ୍ୟମ ଉଦ୍ଦେଶ୍ୟରେ ଦେଇଥିବା ବାର୍ତାରେ ଶ୍ରୀ ବାଗଚୀ କହିଛନ୍ତି ଯେ ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ ସୁବିଧାର ସମୀକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇସିଏମ୍ଆର୍-ଆର୍ଏମ୍ଆର୍ସିର ପରୀକ୍ଷଣ କ୍ଷମତା ବୃଦ୍ଧି ଏବଂ ଏମ୍କେସିଜି(ବ୍ରହ୍ମପୁର)ରେ ପରୀକ୍ଷଣ ଆରମ୍ଭ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଓ ଏପରି ପରୀକ୍ଷଣ ସୁବିଧାକୁ ଅଧିକ ବ୍ୟାପକ କରିବା ପାଇଁ ଏକ ସୁଚିନ୍ତିତ ‘ରୋଡ୍ମ୍ୟାପ୍’ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କୋଭିଡ୍-୧୯ ପରିପ୍ରେକ୍ଷୀରେ ରାଜ୍ୟରେ ଉପଲବ୍ଧ ଥିବା ଔଷଧ ସାମଗ୍ରୀ ସହିତ ତିନିପରସ୍ତ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅକ୍ସିଜେନ୍ ସିଲିଣ୍ଡର ଇତ୍ୟାଦି ଯନ୍ତ୍ରପାତିଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି ଏବଂ ଆବଶ୍ୟକ ପରିମାଣର ଔଷଧ ଓ ଯନ୍ତ୍ରପାତି ଗଚ୍ଛିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ କେଭିଡ୍-୧୯ ହସ୍ପିଟାଲ୍, ଟେଷ୍ଟିଂ ସେଣ୍ଟର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକୁ ଔଷଧ ଓ ଯନ୍ତ୍ରପାତିର ସୁଷମ ବଣ୍ଟନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।



