ନୂଆଦିଲ୍ଲୀ: ଟିକା ମହଜୁଦ ନଥାଇ ଅଧିକରୁ ଅଧିକ ଟିକା କେନ୍ଦ୍ର ଖୋଲିବା ଭଳି ନିଷ୍ପତ୍ତି ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଚାରପତି ରେଖା ପାଲି କହିଛନ୍ତି ଯେ ଦିଲ୍ଲୀ ସରକାର ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ପାନ ଟିକା ଯୋଗାଇବା ନିଶ୍ଚିତ କରିବା ଦରକାର। ଟିକା ଯୋଗାଇବା ନିଶ୍ଚିତ ନ କରି ଆଡମ୍ବର ସହକାରେ ଟିକାକେନ୍ଦ୍ର ଖୋଲିବାର କିଛି ଯଥାର୍ଥତା ନାହିଁ। ଯଦି ସରକାରଙ୍କ ପାଖରେ ଟିକା ନାହିଁ ତେବେ ଟିକାକରଣ କାର୍ଯ୍ୟକୁ ବନ୍ଦ ରଖନ୍ତୁ। ଅଧିକରୁ ଅଧିକ ଟିକା କେନ୍ଦ୍ର ଖୋଲି ଲୋକଙ୍କୁ ପ୍ରଥମ ପାନ ଟିକା ଦେଉଛ। ଯେଉଁମାନଙ୍କୁ ପ୍ରଥମ ପାନ ଟିକା ଦେଇଛ ସେମାନଙ୍କୁ ଦ୍ବିତୀୟ ପାନ ଟିକା ଦେବାକୁ ସରକାର ନିଶ୍ଚିତ ହେବା ଦରକାର। ଅନ୍ୟଥା ଟିକା କେନ୍ଦ୍ର ଖୋଲି ଟିକାକରଣ କରିବାର କିଛି ଲାଭ ନାହିଁ।
ଲୋକେ ପ୍ରଥମ ପାନ ଟିକା ନେଇ ନିର୍ଦ୍ଧାରିତ ସମୟରେ ଦ୍ବିତୀୟ ପାନ ଟିକା ପାଇପାରୁ ନାହାନ୍ତି। ଯେଉଁମାନେ କୋଭାକ୍ସିନ୍ ଟିକା ନେଇଛନ୍ତି ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦ୍ବିତୀୟ ପାନ ଯୋଗାଇପାରିବେ କି ନାହିଁ ତାହା ଜଣାଇବାକୁ ଅଦାଲତ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି ପୂର୍ବକ ରାଜଧାନୀ ଦିଲ୍ଲୀକୁ କୋଭାକ୍ସିନ ଓ କୋଭିସିଲ୍ଡ ଉପଲବ୍ଧ କରାଇବାକୁ କହିଛନ୍ତି।



