ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ । ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା “ଜୀବିକା ମିଶନ’ ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, ପ୍ରଚାର ଓ ପ୍ରତାରଣାର ସରକାର ।
ରାଜ୍ୟ ବାହାରୁ ଆସିଥିବା କୁଶଳୀ- ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ସରକାର ଚିହ୍ନଟ କରିନାହାନ୍ତି ଏବଂ ସେମାନଙ୍କୁ କେଉଁ କାମ କେଉଁ କ୍ଷେତ୍ରରେ ଯୋଗାଇବେ ତାହା ସ୍ପଷ୍ଟ ନୁହେଁ । ରାଜ୍ୟରେ ଥିବା ପ୍ରାୟ ୨ଲକ୍ଷ କ୍ଷ୍ୟୁଦ୍ର ଓ ଲଘୁ ଉଦ୍ୟୋଗ ଅଚଳ ଅବସ୍ଥାରେ ଅଛି । ସେଥିରେ ନିଯୁକ୍ତ ସବୁ ବର୍ଗ ରୋଜଗାର ହରାଇଛନ୍ତି । ତାଙ୍କୁ କେନ୍ଦ୍ର ଘୋଷିତ ସହାୟତା ଆକାଶ କୟାଁ ଚିଲିକା ମାଛ ସଦୃଶ । ସରକାର ସେମାନଙ୍କ ପାଇଁ ଅନ୍ତତଃ ୬ ମାସର ବିଦ୍ୟୁତ ଦେୟ ଛାଡ଼ ଦେବାର ବ୍ୟବସ୍ଥା ଏଥିରେ ନାହିଁ । ସେମାନଙ୍କ ଉତ୍ପାଦନ ବଜାରରେ ପହଞ୍ଚିଲେ ବିକ୍ରେତାମାନେ ଭିଡ଼ ଜମାଇବାରେ ସମ୍ଭାବନା ନାହିଁ । ସେଥିପାଇଁ ସମସ୍ତ ବେରୋଜଗାରୀଙ୍କ ହାତକୁ ମାସକୁ ଅନ୍ତତଃ ୭ ହଜାରରୁ ୮ ହଜାର ଟଙ୍କା ପହଂଚିବାର ଆବଶ୍ୟକତା ଅଛି । ଏହି ଯେଉଁ ଟଙ୍କାର ବରାଦ ଅଛି କୌଣସି ଭାବେ ୪୦ଲକ୍ଷ ପରିବାରକୁ ୨୦୦ ଦିନର ମଜୁରୀ ଅତିକମ୍ରେ ୩୦୦ ଟଙ୍କା ହାରରେ ଦେବାକୁ ହେଲେ ୨୪ ହଜାର କୋଟି ଟଙ୍କାର ଆବଶ୍ୟକତା ଅଛି । ତେବେ କେଉଁ ଆଧାରରେ ଏହି ୧୭ ହଜାର କୋଟି ଟଙ୍କା ସ୍ୱପ୍ନ ବଂଟାଯାଇଛି?
ଏଠରେ ସୂଚନାଯୋଗ୍ୟ ଯେ , ଗତବର୍ଷ ପୁରୀ ଜିଲାରେ ଘଟିଥିବା ପ୍ରଳୟଙ୍କାରୀ ବାତ୍ୟା ‘ଫଣି’ ବାବଦରେ ୧୩ଶହ କୋଟି ଟଙ୍କା ପୁରୀ ଜିଲାପାଳଙ୍କୁ ସରକାର ଦେଇଥିଲେ । ମାତ୍ର ଏଥିରୁ ୨୦୦ କୋଟି ଟଙ୍କା ଜିଲାପାଳ ଫେରସ୍ତ କରିଥିବା ବେଳେ ବାକି ୧୧ଶହ କୋଟି ଟଙ୍କାରୁ ୬ଶହ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ସରକାରଙ୍କର ଘୋଷଣା ଓ କାର୍ଯ୍ୟକାରୀତା ଭିତରେ ଆକାଶ ଓ ପୃଥିବୀର ପ୍ରଭେଦ । ସାଧରଣତଃ ପ୍ରତ୍ୟେକ ବର୍ଷ କୃଷିଋଣ ବାବଦରେ ୭ହଜାର ୫ଶହ କୋଟିଟଙ୍କା ଦିଆଯାଉଥିବା ବେଳେ ଏବର୍ଷ କରୋନା ବିପତି ସମୟରେ ତାକୁ ମାତ୍ର ୧୫ଶହ କୋଟି ଟଙ୍କା ବଡ଼ାଯାଇ ୯ହଜାର କୋଟି ଦିଆଯିବା ଚାଷୀକୂଳ ପ୍ରତି ଚରମ ଉପହାସ। ସମବାୟ ମନ୍ତ୍ରୀ ପୂର୍ବରୁ କରିଥିବା ଘୋଷଣାକୁ ପୁର୍ନବାର ଘୋଷଣା କରି ସରକାର ଚାଷୀକୂଳ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ବ୍ୟାଙ୍କ ଚାଷୀଭାଇ ମାନଙ୍କୁ ବିହନ ଦେବାର ପ୍ରକ୍ରୟା ବର୍ତମାନ ସୁଦ୍ଧା ଆରମ୍ଭ ହୋଇନଥିବା ବେଳେ ବର୍ଷାଦିନେ ବିହନ ଯୋଗାଣ ତାଙ୍କର କି କାମରେ ଆସିବ ବୋଲି ପ୍ରଶ୍ନକରି କ୍ଷୋଭପ୍ରକାଶ କରିଥିଲେ ପ୍ରଦେଶ କଂଗ୍ରେସ ସଭାପତ ।
କୃଷି ଓ କୃଷକମାନଙ୍କୁ ଋଣ ଯୋଗାଇବାରେ ଯେଉଁ ବଡ଼ ସ୍ୱପ୍ନ ବଣ୍ଟାଯାଇଚି ତାକୁ ନେଇ ପ୍ରଶ୍ନକରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ। ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ ଏଥିରେ ୨୪ଲକ୍ଷ ପରିବାର ଉପକୃତ ହେବେ। କିନ୍ତୁ ପ୍ରଶ୍ନ ହେଉଛି ଏହି ଋଣ କ’ଣ ସଠିକ୍ ଭାବରେ ଭାଗଚାଷୀ ଯେଉଁମାନଙ୍କ ସଂଖ୍ୟା ୭୬% ତାଙ୍କ ପାଖରେ ପହଂଚିବ? ଅତୀତର ଅଭିଜ୍ଞତା କହୁଛି ସେମାନେ ଏଥିରୁ ବଂଚିତ ରୁହନ୍ତି । କିଏ ପହଂଚାଇବ ଓ କିପରି ପହଂଚାଇବ ତାହା ଏକ ଅସମାହିତ ପ୍ରଶ୍ନ ହୋଇରହିଛି।
ଚାଷୀମାନଙ୍କୁ ମାଗଣା ବିହନ ଓ ମଞ୍ଜି ଯୋଗାଇବାକୁ ଆବଶ୍ୟକ ଅର୍ଥ କେଉଁଠି ଦୃଶ୍ୟମାନ ହେଉନାହିଁ । କେବଳ ଋଣ ଉପରେ ମଧ୍ୟ ରିହାତି ଅଛି । ଯେଉଁମାନେ ଋଣ ନେବେ ତାଙ୍କୁ ହିଁ ଏହା ପ୍ରାପ୍ତ ହେବ। ଅଗଣିତ ଚାଷୀ ବ୍ୟାଙ୍କ ଋଣ ପାଇ ନଥାନ୍ତି । ପରିସଂଖ୍ୟାନ କହେ ୨ଶହ କୋଟି ଟଙ୍କା ଯଦି ୨୪ଲକ୍ଷ ୫୬ ହଜାର ଚାଷୀଙ୍କ ଭିତରେ ସମାନୁପାତିକ ଭାବରେ ଦିଆଯାଏ ତାହାହେଲେ ଜଣପିଛା ମାତ୍ର ୮୧୪ଟଙ୍କା ପଡ଼ିବ । ଏଥିରେ ଚାଷୀଭାଇମାନଙ୍କର କଣ ଉନ୍ନତି ହେବ, ସେ ବିଷୟରେ ସରକାର ଜବାବ ରଖିବା ଉଚିତ୍ ବୋଲି କାନୁନ୍ଗୋ ଦାବି କରିଥିଲେ।
ପୂର୍ବ ଘୋଷିତ ଆଦିବାସୀ ଜୀବିକା ମିଶନ ଅନୁସାରେ କେତେ ଆଦିବାସୀ ପରିବାର ଉପକୃତ ହୋଇଥିଲେ ଏବେ ସଂକଟ ସମୟରେ କେତେ ଅଧିକଙ୍କୁ ଦିଆଯିବା ଆଦୌ ସ୍ପଷ୍ଟ ନୁହେଁ । କେବଳ କୁହାଯାଇଛି ୮.୫ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କର ଆୟର ୨୦% ବୃଦ୍ଧି ଘଟିବ । ଏ ସମଗ୍ର ଘୋଷଣା ମେ ମାସ ୨୯ ତାରିଖରେ କ୍ୟାବିନେଟ ମଂଜୁରୀ ମିଳିବା ପୂର୍ବରୁ ୨୮ ତାରିଖରେ ଡେଭଲମେଂଟ କମିଶନର ତାଙ୍କର ନିର୍ଦ୍ଦେଶନାମାରେ ପ୍ରକାଶ କରିସାରିଥିଲେ । ଏଥିରୁ ସ୍ପଷ୍ଟ ଜଣାଯାଏ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀମଣ୍ଡଳ କେବଳ ରବରଷ୍ଟାମ୍ପ ଭଳି ଏ କାର୍ଯ୍ୟରେ ମୋହର ମାରିଥିଲେ । ରାଜ୍ୟର ପଞ୍ଜିକୃତ ୨୧ ଲକ୍ଷ ନିର୍ମାଣ ଶ୍ରମିକ ରୋଜଗାର ହରାଇଛନ୍ତି । ତାଙ୍କୁ ପୁନଃ ରୋଜଗାରକ୍ଷମ କରିବାର କୌଣସୀ ଦୃଶ୍ୟମାନ ଯୋଜନା ଏଥିରେ ନାହିଁ । ସରକାରଙ୍କର ଏହି ଘୋଷଣା ଅତ୍ୟନ୍ତ ନିଷ୍ଠାରହିତ, ପ୍ରତାରଣା ଓ ପ୍ରବଂଚନା ପୂର୍ଣ୍ଣ ବୋଲି କଂଗ୍ରେସ କହିଛି ।
ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଜ୍ଞାନଦେବ ବେଉରା, ସୋସିଆଲ ମେଡିଆ ଅଧକ୍ଷା ଅଭିଷେକ ମହାନନ୍ଦ, ମିଡ଼ିଆ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।



