www.samajalive.in
Monday, December 8, 2025
14.1 C
Bhubaneswar

ପୁଲିସ ଉପରେ ବର୍ଷିଲା କଂଗ୍ରେସ: ମାଲକାନଗିରି  ଆଦିବାସୀ ମହିଳାଙ୍କ ମୃତ୍ୟୁକୁ ଚପାଇବା ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର :ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୁଲିସ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝି ଏହାକୁ ଗଣ ଦୁଷ୍କର୍ମ ଓ ହତ୍ୟା ବୋଲି ଅଭିହିତ କରି  ସିଧାସଳଖ ପୁଲିସ ବିଭାଗ ଉପରେ ଅଙ୍ଗୁଳି ଉଠାଇଛନ୍ତି । ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଉଥିବା ବେଳେ ଗୃହ ବିଭାଗ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ଅଭିଯୋଗ କରିଛନ୍ତି । ସେହିପରି ମୃତକର ପରିବାରକୁ ତୁରନ୍ତ ୨୦ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦେବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।

ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି ସଦର ମହକୁମା ପୁଲିସ କ୍ୟାଣ୍ଟିନରେ କାମ କରୁଥିବା  ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ଅମାନୁଷିକ ଭାବରେ ହତ୍ୟା କରାଯିବା ଘଟଣାକୁ ପୁଲିସ ଚପାଇ ଦେବାକୁ ଚକ୍ରାନ୍ତ କରୁଛି। ମାଲକାନଗିରିରେ ଏବେ ରାଜଧାନୀଠାରୁ ଅଧିକ ପୁଲିସ ଏବଂ ପାରା ମିଲିଟାରୀ ଫୋର୍ସ କାର୍ଯ୍ୟ କରୁଛନ୍ତି। ହେଲେ ପୁଲିସ ଛାଉଣୀ ଭିତରେ ଆଦିବାସୀ ମହିଳାଙ୍କୁ କିପରି ଭାବରେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଏ ତାହା ଏହି ଘଟଣାରୁ ସ୍ପଷ୍ଟ। ମହିଳାଙ୍କର  ଛାତି ଏବଂ ତଳିପେଟରେ ଲୁହା ରଡ୍‍ ଭୁଷା ଯାଇଛି ଏବଂ ବର୍ବରୋଚିତ ଭାବରେ ହତ୍ୟା କରାଯାଇଛି ।

- Advertisement -

ଏହି ମହିଳା ବହୁ ବର୍ଷ ଧରି ମାଲକାନଗିରି ସଦର ମହକୁମା ପୁଲିସ କ୍ୟାଣ୍ଟିନରେ ହେଲପର ଭାବରେ କାର୍ଯ୍ୟ କରି ଆସୁଥିଲା। ସେ ପ୍ରତିଦିନ ସକାଳ ୭ ଟାରେ କ୍ୟାଣ୍ଟିନ ଚାବି ଖୋଲେ ଏବଂ ଦିନ ତମାମ ସେଠାରେ କାମ କରେ। ରାତି ୧୧ଟାରେ  ଚାବି ପକାଇ  ୫୦ ମିଟର ଦୂର ତା’ର ଭଡାଘରକୁ ଫେରେ । ଉକ୍ତ କ୍ୟାଣ୍ଟିନରେ ପୁଲିସ କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ କରିଥାନ୍ତି।  ୭ ମଇ ୨୦୨୦ ରିଖ ଦିନ ସେଠାରେ କାର୍ଯ୍ୟରତ ପୁଲିସ କର୍ମଚାରୀ ମହିଳାଙ୍କ ସ୍ବାମୀ ବୁଦୁରାଙ୍କୁ ତାର ଅସୁସ୍ଥତା ଖବର ଦେଇଥିଲେ। ବୁଦୁରା ଡ଼ାକ୍ତରଖାନାକୁ ଯାଇ ନିଜ ସ୍ତ୍ରୀର ଅବସ୍ଥା ଦେଖି ସହି ପାରିଲା ନାହିଁ । ବୁଦୁରାର ଅଭିଯୋଗ ଅନୁଯାୟୀ ଡାକ୍ତର ଚନ୍ଦ୍ରମାର ଚିକିତ୍ସା ପ୍ରତି ଘୋର ଅବହେଳା କରିଛନ୍ତି ।

୮ ମଇ ୨୦୨୦ ରିଖ ଦିନ ଚିକିତ୍ସାଳୟରେ ଚନ୍ଦ୍ରମାର ବସ୍ତ୍ର ବଦଳାଇବା ବେଳେ ବୁଦୁରା ନିଜର ମୁମୂର୍ଷୁ ପତ୍ନୀର ଦେହସାରା ଗଭୀର କ୍ଷତ ଦେଖିଥିଲା ।  ସେଠାରେ ଚନ୍ଦ୍ରମାର ଅବସ୍ଥା ଗୁରୁତର ହେବାରୁ ପୁଲିସ ପୀଡ଼ିତାଙ୍କୁ  କୋରାପୁଟର ଲକ୍ଷ୍ମଣ ନାୟକ ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତାକୁ ୧୦ ତାରିଖରେ ପୁନର୍ବାର ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଆମ୍ବୁଲାନ୍ସରେ କୋରାପୁଟରୁ ବ୍ରହ୍ମପୁର ଯିବା ବାଟରେ ରାୟଗଡା ଠାରେ ଚନ୍ଦ୍ରମା ମୃତ୍ୟୁବରଣ କରିଥିଲା। ଚନ୍ଦ୍ରମାର ମୃତ୍ୟୁ ହେବାରୁ ହଠାତ୍‍ ପୁଲିସ  ସ୍ୱାମୀ ବୁଦୁରା  ଠାରୁ ତା’ର ମୋବାଇଲ୍‍ ଫୋନ୍‍ ଛଡାଇ ନେଇଥିଲା। ସେହିପରି ଆମ୍ବୁଲାନ୍ସରେ ପୀଡ଼ିତା ସହ ଯାଉଥିବା ସ୍ବାମୀ ଓ ସଉତୁଣୀଠାରୁ ସାଦା କାଗଜରେ ୬ଟି ଟିପଚିହ୍ନ ନେଇ ଯାଇଥିଲା । ମେ ୧୧ ତାରିଖରେ ପୀଡ଼ିତାଙ୍କ ଶବ ରାୟଗଡ଼ାରେ ବ୍ୟବଚ୍ଛେଦ କରାଯାଇଥିଲା ଓ ମାଲକାନଗିରି ପଠାଯାଇଥିଲା ।  ମାତ୍ର ରାତି ଅଧରେ ପୁଲିସ  ଶବଦାହ କାର୍ଯ୍ୟ କରିବା ପାଇଁ ବୁଦୁରାକୁ ବାଧ୍ୟ କରିଥିଲେ। ଫଟୋ ଓ ଭିଡିଓ ସୁଟିଂ ନକରିବା ପାଇଁ ଧମକ ଦେଇଥିଲେ  ଏବଂ ଶବ ସଂସ୍କାର ସମୟରେ ସମସ୍ତଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ ।

କଂଗ୍ରେସର ଦାବି ପରେ ଏସପି ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ମାଲ୍‍କାନଗିରି ଏସ୍‍ପି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହାନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଯଦି ସରକାର ତୁରନ୍ତ ଦୋଷୀକୁ ଗିରଫ କରି ମୃତକର ପରିବାର ବର୍ଗଙ୍କୁ ନ୍ୟାୟ ନଦିଅନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୀଡ଼ିତାଙ୍କ ସ୍ବାମୀ   ବୁଦୁରା ଗୌଡ ସମେତ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories