www.samajalive.in
Monday, December 8, 2025
24.1 C
Bhubaneswar

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ରାଉରକେଲା ଗସ୍ତରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲାରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲା ପାଇଁ ଏହି ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୮୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ଓ ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ବିତୀୟ ଜିଲ୍ଲା ।
ସୂଚନାଯୋଗ୍ୟ , ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲ୍‌ଥ କାର୍ଡ ସଂପର୍କରେ ଘୋଷଣା କରିଥିଲେ । ଏହାପରେ ଅଗଷ୍ଟ ୨୦ ତାରିଖରେ ସେ ମାଲକାନଗିରିରେ ପ୍ରଥମ କରି ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ।
ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି , ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ବିଷୟରେ ଆଲୋକପାତ କରି ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ।
ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।
ସୁନ୍ଦରଗଡରେ ଦ୍ବିତୀୟ ଏମ୍‌ସ ପ୍ରସଙ୍ଗ ସଂପର୍କରେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏଥିପାଇଁ ରାଜ୍ୟ ସରକାର ତାଙ୍କର ପ୍ରୟାସ ଜାରି ରଖିବେ। ଦେଶ ପାଇଁ ଅଲ୍‌ମ୍ପିକ୍‌ସ ଗୌରବ ଆଣିଥିବା ସୁନ୍ଦରଗଡବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶା ସରକାର ତାଙ୍କର ଉଦ୍ୟମକୁ ଆହୁରି ଜୋରଦାର କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓ ଅଲମ୍ପିକ୍‌ସରେ ଖେଳିଥିବା ହକି ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ ।
ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ ଯୋଗ ଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଓଡିଶାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା, ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ। ରାଉରକେଲା ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ବିଧାୟକ ଶ୍ରୀ ସାରଦା ନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବର ପ୍ରଶଂସା କରିଥିଲେ । ବିଧାୟକ ଶ୍ରୀ ସୁବ୍ରତ ତରାଇ ଧନ୍ୟବାଦ ଜଣାଇଥିଲେ ।କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ, ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories