ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ କେତେକ ପ୍ରଶ୍ନ ସାଧାରଣରେ ଉଠିଛି। ସନ୍ଦିଗ୍ଧକୁ ଅଣାଯିବା ପରେ ପୁଲିସ ରେକର୍ଡ଼ରେ ଲିପିବଦ୍ଧ କରାଯାଇଥିଲା କି ନାହିଁ। ସନ୍ଦିଗ୍ଧକୁ କେଉଁଠି ରଖିଥିଲା ଓ ସେଠାରେ ସିସିଟିଭି ଥିଲା କି ନାହିଁ। ଯଦି ଥିଲା ତାହା କାର୍ଯ୍ୟ କରୁଥିଲା କି ନାହିଁ। ଯଦି ସିସିଟିଭି କାର୍ଯ୍ୟ କରୁଥିଲା ତେବେ କମ୍ପ୍ୟୁଟର ହାର୍ଡ ଡିସ୍କରେ ସୁରକ୍ଷିତ ଭାବେ ରହିଛି କି ନାହିଁ। ଯଦି ଏସବୁ କରା ନଯାଇ ଥାନା ଭିତର କୌଣସି ଘରେ ରଖାଯାଇଥିବ, ତେବେ ଏହା ଆଇନର ଖିଲାପ କରୁଥିବା ଅଭିଯୋଗ ହୋଇଛି। ସବୁପରେ ପୁଲିସ ହେପାଜତରେ ରହିଥିବା ସନ୍ଦିଗ୍ଧ ଜଣଙ୍କ ହାତକୁ ପୁଲିସର ହୁଇସିଲ ବେଲ୍ଟଟି କିପରି ଗଲା ସେନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ସନ୍ଦିଗ୍ଧଜଣଙ୍କ ପାଇଖାନା ଯିବା ପୂର୍ବରୁ ତାର ତଲାସି ନିଆ ଯାଇଥିଲା କି ନାହିଁ। ଯଦି ନିଆ ଯାଇଥିଲା ତେବେ କିପରି ଓ କିଏ ନେଇଥିଲା। ସେହିପରି ପାଇଖାନା ଭିତରକୁ ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧ ଜଣଙ୍କ ଯିବାପରେ ଭିତରପଟୁ କବାଟ ବନ୍ଦ କରାନଯାଇ କେବଳ ଆଉଜା ଯାଇଥାଏ ଓ ବାହାରେ ଜଣେ ପୁଲିସର ପ୍ରହରା ଦେବାର ବ୍ୟବସ୍ଥା ରହିବା କଥା। ହେଲେ ଏହିସବୁ ନିୟମ ଗୁଡ଼ିକୁ ପୁଲିସ ପାଳନ କରିଥିଲା କି ନାହିଁ ତାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଠିଆ ହୋଇଛି।
ରସାନନ୍ଦର ପରିବାର ଲୋକେ ପୁଲିସକୁ ଦୋଷାରୋପ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ପୁଲିସ ବେଆଇନ ଭାବେ ରସାନନ୍ଦ ଓ ଅନ୍ୟ ଜଣେ ଯୁବକକୁ ଥାନାରେ ଅଟକ ରଖି ମାଡ଼ ମାରିବା ସହ ନିର୍ଯାତନା ଦେଇଛି। ଫଳରେ ରସାନନ୍ଦର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ରସାନନ୍ଦର ମୃତ୍ୟୁ ପରେ ଚୌଦ୍ବାର ଥାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଥିଲା। ଥାନାକୁ ପ୍ରବେଶ ଉପରେ ବାରଣ କରାଯାଇଥିଲା। କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ଘଣ୍ଟାଘଣ୍ଟା ଧରି ଥାନା କର୍ମଚାରୀଙ୍କ ସହ ବୈଠକ କରିଥିଲେ। ଅତିରିକ୍ତ ଡିସିପିଙ୍କ ଠାରୁ ଆଇଆଇସି ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କେହି ମୁହଁ ଖୋଲି ନଥିଲେ।



