ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବା ସମ୍ଭାବନା ଥିବାରୁ, ଆସନ୍ତା ବିଧାନସଭା ମୌସୁମୀ ବଜେଟ୍ ଅଧିବେଶନ କାଳରେ ସେ ଆଭାସୀ ଜରିଆରେ ଉପସ୍ଥିତ ରହିବାକୁ ନେଇ ବିଜେପି ସମାଲୋଚନା କରିଛି। ଏ ନେଇ ଏକ ଇଂରାଜୀ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ତଥ୍ୟ ସତ୍ୟ ହୋଇଥିଲେ ଚିନ୍ତାଜନକ।
ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି ଯେ ଜୁଲାଇ ୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ତଥା ବଜେଟ୍ ଅଧିବେଶନ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବା ବେଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅଧିବେଶନରେ ରହିପାରନ୍ତି ବୋଲି ଦୈନିକ ଇଂରାଜୀ ସମ୍ବାଦ ପତ୍ର ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଛି। ଯଦି ଏହି ଖବର ସତ୍ୟ ହୋଇଥାଏ, ଏହା ଚିନ୍ତାଜନକ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା। ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ। ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ। ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି, ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ।



