ଟୋକିଓ : ଅଲିମ୍ପିକ୍ସ ଇତିହାସରେ ସ୍ବତନ୍ତ୍ର କ୍ରୀଡ଼ାର ମାନ୍ୟତା ପାଇଥିବା ଟୋକିଓ ଅଲିମ୍ପିକ୍ସ ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ବଢ଼ି ଚାଲିଥିବା କରୋନା ସଂକ୍ରମଣ ଓ ଦେହ ଥରାଇଦେବା ପରି ବାତ୍ୟାକୁ ପ୍ରତିହତ କରି ଏହି ଅଲିମ୍ପିକ୍ସର ସଫଳ ଆୟୋଜନ ସମସ୍ତଙ୍କୁ ଉଲ୍ଲସିତ କରିଛି। ତେଣୁ ସାରାବିଶ୍ବ ଏକସ୍ବରରେ ଟୋକିଓକୁ ଧନ୍ୟବାଦ ଜଣାଇଛି। ୩ ବର୍ଷ ପରେ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ପୁଣି ଦେଖାହେବାର ପ୍ରତିଶ୍ରୁତି ଦେଇ ୨୦୬ ଦେଶର ୧୧୦୯୦ ପ୍ରତିଯୋଗୀ ଟୋକିଓରୁ ବିଦାୟ ନେଇଛନ୍ତି। ଟୋକିଓ ୨୦୨୦ ଅଲିମ୍ପିକ୍ସ କ୍ରୀଡ଼ା ଗତବର୍ଷ ଜୁଲାଇ-ଅଗଷ୍ଟରେ ଆୟୋଜନ ହେବାର ଥିଲା। ତେବେ କରୋନା ସଂକ୍ରମଣ ଯୋଗୁଁ ଏହି କ୍ରୀଡ଼ାକୁ ପ୍ରଥମଥର ପାଇଁ ବର୍ଷେ ଘୁଞ୍ଚାଇ ଦିଆ ଯାଇଥିଲା। ଏକ ରଙ୍ଗାରଙ୍ଗ ତଥା ଭାବପୂର୍ଣ୍ଣ ଉଦ୍ଯାପନୀ ଉତ୍ସବ ସହ ଟୋକିଓ ସାରାବିଶ୍ବକୁ ବିଦାୟ ଦେଇଛି।
୧୭ ଦିନ ଧରି ଚାଲିଥିବା ଟୋକିଓ ଅଲିମ୍ପିକ୍ସର ଉଦ୍ଯାପନ ଘୋଷଣା ବେଳେ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି)ର ସଭାପତି ଥମାସ୍ ବାକ୍ ଭାବବିହ୍ବଳ ହୋଇ କହିଥିଲେ- ଏହି ଅଲିମ୍ପିକ୍ସରେ କ୍ରୀଡ଼ାବିତ୍ମାନେ ଅଧିକ ଭଲ ପ୍ରଦର୍ଶନ କରିଥିଲେ। କାରଣ ସେମାନେ ଏକାଠି ହୋଇ ଛିଡ଼ା ହୋଇଥିଲେ। କ୍ରୀଡ଼ା ଦ୍ବାରା ତୁମର ଏକତା ଯୋଗୁଁ ଆମେ ଏହି କ୍ରୀଡ଼ାକୁ ସଫଳତାର ସହ ଆୟୋଜନ କରିବାକୁ ପ୍ରେରଣା ପାଇଥିଲୁ। ଏହା ବେଶ୍ ଉଲ୍ଲେଖନୀୟ; କାରଣ ତୁମମାନଙ୍କୁ ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟୋକିଓ ଅଲିମ୍ପିକ୍ସ ଆଶା, ଏକତା ଓ ଶାନ୍ତିର ଅଲିମ୍ପିକ୍ସ ଥିଲା। ବିନା ଦର୍ଶକରେ ଉଦ୍ଯାପନୀ ଉତ୍ସବ ଆୟୋଜନ ହୋଇଥିଲେ ହେଁ ଉତ୍ସାହ କମ୍ ହୋଇନଥିଲା। ଜାପାନର ଯୁବରାଜ ଆକିସିନୋ ମୁଖ୍ୟ ଅତିଥି ଥିଲେ। ସମସ୍ତ ପ୍ରତିଯୋଗୀ ଦେଶର ମୁଷ୍ଟିମେୟ କ୍ରୀଡ଼ାବିତ୍, ଆଇଓସି ଓ ଜାପାନ ଅଲିମ୍ପିକ୍ସ କମିଟିର ଅଧିକାରୀ ଏବଂ ବିଦେଶରୁ ଆସିଥିବା ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସମ୍ମୁଖରେ ଏହି କ୍ରୀଡ଼ା ଆୟୋଜନ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ଭାଗ ନେଇଥିବା ପ୍ରତିଟି ରାଷ୍ଟ୍ରର କ୍ରୀଡ଼ାବିତ୍ମାନେ ନିଜ ନିଜ ଜାତୀୟ ପତାକା ଧରି ପଡିଆ ପରିକ୍ରମା କରିଥିଲେ। ‘ଥ୍ୟାଙ୍କ୍ ୟୁ ଟୋକିଓ’ (ଧନ୍ୟବାଦ ଟୋକିଓ) ଲେଖାଥିବା ଏକାଧିକ ପ୍ଲାକାର୍ଡ ମଧ୍ୟ କ୍ରୀଡ଼ାବିତ୍ ହାତରେ ଧରିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରୀଡ଼ାର ଏହି ମହାକୁମ୍ଭ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ୨୬ ଜୁଲାଇରୁ ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ କରାଯିବ। ସେହିଭଳି ୨୦୨୮ରେ ଲସ୍ ଏଞ୍ଜେଲସ୍ ଓ ୨୦୩୨ରେ ବ୍ରିସ୍ବେନ୍ ଏହାର ଆୟୋଜକ ରହିବେ। ଉଦ୍ଘାଟନୀ ଉତ୍ସବରେ ସମସ୍ତ ରାଷ୍ଟ୍ରର କ୍ରୀଡ଼ାବିତ୍ ପୃଥକ୍ ଭାବେ ଆସୁଥିବା ବେଳେ ଉଦ୍ଯାପନୀ ଉତ୍ସବରେ ସମସ୍ତେ ମିଳିମିଶି ଆସିଥିଲେ; ଯାହା ବିଶ୍ବଭାତୃତ୍ବର ପ୍ରତୀକ ଥିଲା। କାଂସ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଭାରତୀୟ ଜାତୀୟ ପତାକା ବହନ କରିଥିଲେ। କ୍ରୀଡ଼ାବିତ୍ ଟୋକିଓର ସ୍ମୃତି ସାଉଁଟିବା ପାଇଁ ସେଲ୍ଫି ନେବାରେ ବ୍ୟସ୍ତ ଥିଲେ।
ଏକ ଚଳଚ୍ଚିତ୍ର ଜରିଆରେ ପରବର୍ତ୍ତୀ ଅଲିମ୍ପିକ୍ସର ଆୟୋଜକ ଫ୍ରାନ୍ସର ଜାତୀୟ ସଂଗୀତ ବଜା ଯାଇଥିଲା । ଟୋକିଓର ରାଜ୍ୟପାଳ ୟୁରିକୋ କୋଇକେ ଅଲିମ୍ପିକ୍ ପତାକାକୁ ଆଇଓସି ସଭାପତି ଥମାସ୍ ବାକ୍ଙ୍କୁ ହସ୍ତାନ୍ତର କରିଥିଲେ। ବାକ୍ ଏହାକୁ ପ୍ୟାରିସ୍ର ମେୟର ଆନ୍ନେ ହିଡାଲ୍ଗୋଙ୍କୁ ଦେଇଥିଲେ। ଉଦ୍ଯାପନୀ ଉତ୍ସବରେ ପୁରୁଷ ଓ ମହିଳା ମାରାଥନ୍ର ପଦକ ପ୍ରଦାନ କରା ଯାଇଥିଲା। କ୍ରୀଡ଼ାର ସ୍ବେଚ୍ଛାସେବୀ ଓ ଟୋକିଓବାସୀଙ୍କୁ ବିଶେଷ ଧନ୍ୟବାଦ ଦିଆ ଯାଇଥିଲା। କେବଳ କରୋନା ଯୋଗୁଁ ନୁହେଁ; ବିଶେଷ କାରଣରୁ ଟୋକିଓ ଅଲିମ୍ପିକ୍ସ ଭାରତୀୟଙ୍କ ପାଇଁ ସଦା ସ୍ମରଣୀୟ ହୋଇ ରହିବ। ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଭାରତକୁ ୭ଟି ପଦକ ମିଳିଛି। ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୪୮ତମ ସ୍ଥାନରେ ଭାରତ ରହିଛି। ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତି ଆରମ୍ଭ କରିଥିବା ଯାତ୍ରା ଜାଭେଲିନ୍ ଥ୍ରୋ’ରେ ନୀରଜ ଚୋପ୍ରା ଶେଷଦିନରେ ସ୍ବର୍ଣ୍ଣ ପଦକ ଜିଣି ଇତିହାସ ସୃଷ୍ଟି କରିଛନ୍ତି। ୧୨୧ ବର୍ଷ ପରେ ଭାରତକୁ ଦୌଡ଼କୁଦ ପ୍ରତିଯୋଗିତାରେ କେବଳ ପଦକ ମିଳିନି; ବରଂ ସ୍ବର୍ଣ୍ଣ ଜିତି ଇତିହାସ ରଚିବାକୁ ସମର୍ଥ ହୋଇଛି ଭାରତ। ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଶୀର୍ଷରେ ରହିଛି। ସେହିପରି ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ଚୀନ ରହିଛି। ଅପରପକ୍ଷରେ ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର କରିଛି। ସେହିପରି ବ୍ରିଟେନ ୪ର୍ଥ, ଆର୍ଓସି ୫ମ, ଅଷ୍ଟ୍ରେଲିୟାକୁ ୬ଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି।
ଧନ୍ୟବାଦ ଟୋକିଓ ; ପ୍ୟାରିସ୍କୁ ଅପେକ୍ଷା
Popular Categories



