ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ମଧ୍ୟ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି, ତେବେ ପିଭିଆର ମଲ୍ଟିପ୍ଲେକ୍ସ ଆପଣଙ୍କ ପାଇଁ ଆଣିଛି ଏକ ବଡ଼ ଖୁସି ଖବର। ସିନେପ୍ରେମୀଙ୍କ ପାଇଁ ମାତ୍ର ୯୯ ଟଙ୍କାରେ ଅନେକ ନୂଆ ବ୍ଲକବଷ୍ଟର ଚଳଚ୍ଚିତ୍ର ନେଇ ଆସିଛି ପିଭିଆର। ମେ’ ୩୧ ଅର୍ଥାତ୍ ସିନେପ୍ରେମୀ ଦିବସରେ ଏସବୁ ଚଳଚ୍ଚିତ୍ରକୁ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଦର୍ଶକ। ଏଥିପାଇଁ ପିଭିଆର ସାଇଟ୍କୁ ଯାଇ ବୁକ୍ କରିପାରିବେ ଟିକେଟ୍। ସିନେମା ଲଭର୍ସ ଡେ’ ହେଉଛି ସେହିଦିନ, ଯେଉଁଦିନ ଚଳଚ୍ଚିତ୍ର ନିର୍ମାତା ଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଉଥିବା ବ୍ୟକ୍ତିମାନେ ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇଥା’ନ୍ତି।
ଚଳିତ ଥର ସିନେପ୍ରେମୀ ଦିବସରେ ରାଜକୁମାର ରାଓ-ଜାହ୍ନବୀ କପୁରଙ୍କ ଫିଲ୍ମ ‘ମିଷ୍ଟର ଆଣ୍ଡ୍ ମିଷ୍ଟ୍ରେସ୍ ମାହି’, ‘ହାଇକ୍ୟୁ ଦି ଡମ୍ପଷ୍ଟର ବ୍ୟାଟେଲ୍’, ‘ଇଫ୍’, ‘ଛୋଟା ଭୀମ୍ ଆଣ୍ଡ୍ ଦି କର୍ସ ଅଫ୍ ଦମୟାନ’, ରାଜକୁମାର ରାଓଙ୍କ ‘ଶ୍ରୀକାନ୍ତ’, ମନୋଜ ବାଜପେୟୀଙ୍କ ‘ଭୈୟା ଜୀ’, ‘କିଙ୍ଗ୍ଡମ୍ ଅଫ୍ ଦି ପ୍ଲାନେଟ୍ ଅଫ୍ ଦି ଏପ୍ସ’ ଆଦି ଅନେକ ନୂଆ ଚଳଚ୍ଚିତ୍ର ଦେଖିପାରିବେ ଦର୍ଶକ। ଏକ୍ସ ଜରିଆରେ ଏନେଇ ସୂଚନା ଦେଇଛି ପିଭିଆର। ଏଥିସହ ଟିକେଟ୍ ବୁକିଂ ସମ୍ବନ୍ଧୀୟ ସୂଚନା ମଧ୍ୟ ଦିଆଯାଇଛି।
ନିଜ ପୋଷ୍ଟରେ ପିଭିଆର ଲେଖିଛି, ‘‘ସିନେପ୍ରେମୀମାନଙ୍କ ପାଇଁ ଏଠାରେ ମାତ୍ର ୯୯ ଟଙ୍କାର ଅବିଶ୍ୱସନୀୟ ମୂଲ୍ୟରେ ନୂଆ ନୂଆ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଖିବାର ସୁଯୋଗ ରହିଛି। ଏଥର ମେ’ ୩୧ ତାରିଖ ସିନେମା ଲଭର୍ସ ଡେ’କୁ ବ୍ଲକବଷ୍ଟର ମନୋରଞ୍ଜନ ଓ ଅତିରିକ୍ତ ସଞ୍ଚୟ ସହ ପାଳନ କରନ୍ତୁ। ଏବେ ହିଁ ବୁକ୍ କରନ୍ତୁ ନିଜ ଟିକେଟ୍।’’
ଏହା ବ୍ୟତୀତ ମେ’ ୩୧ ତାରିଖରେ ହିଁ ପ୍ରେକ୍ଷାଳୟକୁ ଆସିବ ରାଜକୁମାର ରାଓ-ଜାହ୍ନବୀ କପୁରଙ୍କ ଫିଲ୍ମ ‘ମିଷ୍ଟର ଆଣ୍ଡ୍ ମିଷ୍ଟ୍ରେସ୍ ମାହି’। ଶରଣ ଶର୍ମା ନିର୍ଦେଶିତ ଏହି ଚଳଚ୍ଚିତ୍ର କ୍ରିକେଟ୍ ଉପରେ ଆଧାରିତ। ସିନେମା ଲଭର୍ସ ଡେ’ରେ ମାତ୍ର ୯୯ ଟଙ୍କାରେ ମୁକ୍ତିଲାଭର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ଦେଖିପାରିବେ ଦର୍ଶକ। ଏଥିପାଇଁ କେବଳ ପିଭିଆର ମଲ୍ଟିପ୍ଲେକ୍ସକୁ ଯିବାକୁ ପଡ଼ିବ।



