ନୂଆଦିଲ୍ଲୀ : ଚୀନ୍ ପକ୍ଷରୁ ସିକ୍କିମ ସୀମାଠାରୁ ପ୍ରାୟ ୧୫୦ କିମି ଦୂରରେ ଚୀନ୍ ତାହାର ଅତ୍ୟାଧୁନିକ ଲଢୁଆ ଜେ-୨୦ ଜେଟ୍ ବିମାନ ମୁତୟନ କରିଛି ବୋଲି ଉପଗ୍ରହ ଚିତ୍ରରୁ ପ୍ରମାଣ ମିଳିଛି। ଅଲ୍ ସୋର୍ସ ଆନାଲିସିସ୍ ସଂସ୍ଥାର ଅନୁମତିକ୍ରମେ ମିଳିଥିବା ଉପଗ୍ରହ ଚିତ୍ର ଅନୁଯାୟୀ ସିକ୍କିମ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଠାରୁ ୧୫୦ କିମି ଦୂରରେ ଚୀନ୍ ବାୟୁସେନା ଘାଟି ପ୍ରତିଷ୍ଠା କରିଥିବାବେଳେ ସେଠାରେ ୬ଟି ଜେ-୨୦ ଷ୍ଟିଲଥ୍ ବିମାନ (ରେଡାରରେ ଧରା ପଡୁନଥିବା ବିମାନ) ମୁତୟନ କରିଛି। ଏହି ଅସ୍ଥାୟୀ ବାୟୁସେନା ଘାଟିରେ ଉଭୟ ସାମରିକ ଓ ବେସାମରିକ ବିମାନ ଚଳାଚଳର ବ୍ୟବସ୍ଥା କରାଯାଇଛି। ସମୁଦ୍ର ପତନଠାରୁ ୧୨,୪୦୮ ଫୁଟ ଉଚ୍ଚତାରେ ତିବ୍ବତ୍ର ଶିଗାତ୍ସେ ସହରରେ ଏହି ଘାଟି ନିର୍ମାଣ କରାଯାଇଛି। ସେଠାରେ କେଜେ-୫୦୦ ଆୱାକ୍ସ (ଏୟାର ବୋର୍ନ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ) ବିମାନ ମଧ୍ୟ ମୁତୟନ କରାଯାଇଛି। ତେବେ ସୀମା ଅପରପାର୍ଶ୍ବରେ ଜେ-୨୦ ବିମାନ ମୁତୟନ ସମ୍ପର୍କରେ ଭାରତୀୟ ବାୟୁସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଜାରି କରାଯାଇନାହିଁ। ସାଧାରଣତଃ ଚୀନ୍ ତାହାର ପୂର୍ବ କମାଣ୍ଡ୍ରେ ଜେ-୨୦ ବିମାନ ମୁତୟନ କରିଥାଏ। ତେବେ ଏଲଏସି ନିକଟରେ ଏହାକୁ ମୁତୟନ କରାଯାଇଥିବାରୁ ଚୀନ୍ର ଉଦ୍ଦେଶ୍ୟ ମନ୍ଦ ରହିଥିବା ଅନୁମାନ କରାଯାଉଛି। ଅପରପକ୍ଷରେ ଜେ-୨୦ ବିମାନକୁ ଟକ୍କର ଦେବାକୁ ଭାରତ ନିକଟରେ ଫ୍ରାନ୍ସ ନିର୍ମିତ ରାଫେଲ ବିମାନ ରହିଛି। ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଘାଟିରେ ରାଫେଲ ବିମାନର ଦୁଇଟି ସ୍କ୍ବାଡ୍ରନକୁ (୧୬ ବିମାନ) ମୁତୟନ କରାଯାଇଛି। ହାସିମାରାରୁ ସିଗାତ୍ସେର ଦୂରତା ପ୍ରାୟ ୨୫୦ କିମି ହୋଇଥିବାବେଳେ କୌଣସି ସମ୍ଭାବ୍ୟ ଆକ୍ରମଣର ଉଚିତ ମୁୁକାବିଲା କରିବାରେ ରାଫେଲ ଶହେ ପ୍ରତିଶତ ସଫଳ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ୨୦୧୭ରୁ ଚୀନ୍ ଜେ-୨୦ (ଚୀନ୍ ଭାଷାରେ ମାଇଟି ଡ୍ରାଗନ) ବିମାନ ନିର୍ମାଣ କରିଆସୁଥିବାବେଳେ ଏପର୍ଯ୍ୟନ୍ତ ୨୫୦ରୁ ଅଧିକ ବିମାନ ସାମିଲ ଥିବା କୁହାଯାଇଛି। ଶତ୍ରୁପକ୍ଷର ରେଡାରକୁ ଚକ୍ମା ଦେବାରେ ଏହି ବିମାନ ପାରଙ୍ଗମ ବୋଲି କୁହାଯାଉଛି। ଜେ-୨୦ ବିମାନରେ ଅତ୍ୟାଧୁନିକ ଏୟାର-ଟୁ-ଏୟାର ପିଏଲ-୧୫ କ୍ଷେପଣାସ୍ତ୍ର ଖଞ୍ଜାଯାଇଛି। ଏହି କ୍ଷେପଣାସ୍ତ୍ର ୩୦୦ କିମି ଦୂରତ୍ବ ମଧ୍ୟରେ ଥିବା ଟାର୍ଗେଟକୁ ସହଜରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।



