www.samajalive.in
Thursday, December 11, 2025
26.1 C
Bhubaneswar

ଅଶାନ୍ତ ମ୍ୟାକ୍‌ମୋହନ ରେଖା ; ଚୀନ ଓଷୁଅ ବିକଳରେ ତାଟିଆ କାମୁଡୁଛି

୧୯୧୪ର ସିମ୍‌ଳାଚୁକ୍ତି ମାଧ୍ୟମରେ ଭାରତ-ତିବ୍ଦତ ମଧ୍ୟରେ ଯେଉଁ ସୀମାରେଖା ନିର୍ଦ୍ଧାରଣ କରାଯାଇଥିଲା ୨୦୨୦ରେ ତାହାର ବାସ୍ତବତା ଭିନ୍ନ। ବିଶେଷକରି ପୂର୍ବ ଲଦାଖ ଏବଂ ଅରୁଣାଚଳ ସୀମାନ୍ତ ଆନ୍ତର୍ଜାତିକ ରେଖା ନେଇ ଚୀନ ମାଓ ଶାସନକାଳରୁ ଆପତ୍ତି ଉଠାଉଛି। ସ୍ବାଧୀନ ରାଷ୍ଟ୍ର ଭୁଟ୍ଟାନ ବଳପୂର୍ବକ ଚୀନର ଅଂଶ ବିଶେଷ ହେବାପରେ ସମଗ୍ର ମ୍ୟାକ୍‌ମୋହନ ରେଖା (ନେପାଳ ସୀମାକୁ ଛାଡ଼ି) ଏବେ ବେଜିଂର ଶ୍ବେନ ଦୃଷ୍ଟିରେ ରହିଛି। ଏଇ କିଛିକାଳ ଧରି ପୂର୍ବଲଦାଖର ବିବାଦୀୟ ସୀମାରେ ଚୀନ ସୈନ୍ୟଙ୍କ ଅନଧିକାର ପ୍ରବେଶ ଓ ଘାଟି ନିର୍ମାଣ ନେଇ ଉତ୍ତେଜନା ଦେଖାଦେଇଛି। ଆଲୋଚନା ପରିବର୍ତ୍ତେ ଚୀନ ତାହାକୁ ନିଜର ଅଞ୍ଚଳଭାବେ ମାଡ଼ି ବସିବାକୁ ଉଦ୍ୟମ କରିବାରୁ ଭାରତ ପ୍ରତିବାଦ କରୁଛି। ଏବେ ବିପଦ ଏତେ ତୀବ୍ର ଯେ ଚୀନ ଆକ୍ରମଣ ଓ ଯୁଦ୍ଧର ଧମକ ଦେବାସହ ସୈନ୍ୟ ମୁତୟନ ଆରମ୍ଭ କରିଛି।

ଚୀନର ଏହି ଅହନ୍ତା ଓ ଯୁଦ୍ଧଂଦେହୀ ଆହ୍ବାନ ପଛରେ ବୃହତ୍ତର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଭିନ୍ନ। ନିଜର ବାଣିଜ୍ୟିକ, ଆର୍ଥିକ, ସାମରିକ ଓ କୂଟନୈତିକ ସ୍ବାର୍ଥ ପାଇଁ ଚୀନ ଏଭଳି କରୁଛି ଏବଂ ସେଥିପାଇଁ ପାକିସ୍ତାନ ଓ ନେପାଳକୁ ହାତ କରି ଭାରତ ବିରୋଧରେ ସାମରିକ ପ୍ରସ୍ତୁତି ଚଳାଇଛି। କରୋନା ମହାମାରୀର ଜନକ ଭାବେ ସାରା ବିଶ୍ବରେ ଅପଯଶ ଲଭିଥିବା ଚୀନ ଆନ୍ତର୍ଜାତିକ ସ୍ତରରେ ମୁହଁ ଟେକିବା ଅବସ୍ଥାରେ ନାହିଁ। ସେ ଦେଶରୁ ବର୍ତ୍ତମାନ ହଜାରହଜାର ଶିଳ୍ପସଂସ୍ଥା ଓ ଉଦ୍ୟୋଗ ଏବେ ଭାରତ ଓ ଅନ୍ୟ ଦେଶକୁ ପଳାଇ ଆସିବାକୁ ଚାହୁଁଛନ୍ତି। କରୋନା ବିଧ୍ବସ୍ତ ଭାରତୀୟ ପୁଞ୍ଜି ବଜାରରୁ ଅନୁଚିତ ଲାଭ ଉଠାଇ ବିଭିନ୍ନ କମ୍ପାନୀରେ ନିଜର ଅଂଶଧନ ବଢ଼ାଇ ଭାରତୀୟ ଅର୍ଥ ବଜାରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚୀନ ଯେଉଁ ଉଦ୍ୟମ କରୁଥିଲା ସେଥିରେ ମଧ୍ୟ ବିଫଳ ହୋଇଛି ଭାରତର ନୂଆ ଆଇନ୍‌ ଯୋଗୁଁ। ସର୍ବୋପରି ଆମେରିକାସହ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧରେ ଭାରତୀୟ ସମର୍ଥନ ହାତେଇ ନ’ପାରି ଚୀନ ହତାଶ ହୋଇଛି। ସର୍ବୋପରି ସମଗ୍ର ବିଶ୍ବରେ ଭାରତ ଏବେ ଏସିଆରୁ ଚୀନର ଏକମାତ୍ର ବିକଳ୍ପ ବାଣଜ୍ୟିକ, ସାମରିକ, ରାଜନୈତିକ ଓ ଆର୍ଥିକ ଶକ୍ତିଭାବେ ମୁଣ୍ଡ ଟେକୁଥିବାରୁ କରୋନା ମହାମାରୀ ଭଳି ଏକ ଗୁରୁତର ସଂକଟ କାଳରେ ତାହାକୁ ଦବାଇ ଦେବାକୁ ଚାହୁଁଛି।

- Advertisement -

ଯୁଦ୍ଧ ହେବାର ସମ୍ଭାବନା କ୍ଷୀଣ ଲାଗୁଥିଲେ ମଧ୍ୟ ଅତିବେଶୀରେ ଚୀନର ଜିଦ୍‌ ଯୋଗୁ ଛୋଟକାଟିଆ ଲଢ଼େଇ ହୋଇପାରେ। ଯୁଦ୍ଧ ଏଡ଼ାଇବା ଓ ବିବାଦର ଆପୋସ ସମାଧାନ କରିବାପାଇଁ ଭାରତପକ୍ଷରୁ ଆରମ୍ଭ ହୋଇଥିବା ସମସ୍ତ କୂଟନୈତିକ ପ୍ରୟାସ ପ୍ରାୟ ବିଫଳ ହୋଇଛି। ଯଦି ଯୁଦ୍ଧ ହୁଏ, ଚୀନସହ ଏହା ଭାରତର ପ୍ରଥମ ଲଢ଼େଇ ହେବନାହିଁ। ତେବେ ଏ ଯୁଦ୍ଧ ଯେ ଆଉ ପାରମ୍ପରିକ ଲଢ଼େଇରେ ସୀମିତ ହେବ, ସେ କଥା ନୁହେଁ। ଚୀନ ୧୯୬୨ ଯୁଦ୍ଧର ଯେଉଁ ଉଦାହରଣ ଦେଉଛି ସେ ବାସ୍ତବତା ଆଉ ନାହିଁ କିମ୍ବା ଭାରତର ସାମରିକ ସାମର୍ଥ୍ୟ ଆଉ ସେୟା ହୋଇ ରହିନି। ଦୁଇପକ୍ଷ ପରମାଣୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏବଂ ଅତ୍ୟାଧୁନିକ ରଣକୌଶଳରେ ପଟୁ। ତେଣୁ କିଏ ଜିତିବ କିଏ ହାରିବ ତାହା କହିବା ସହଜ ନୁହେଁ। ବର୍ତ୍ତମାନର କରୋନା ପ୍ରପୀଡ଼ିତ ବିଶ୍ବରାଜନୀତି ଯେଉଁ ସ୍ଥିତିରେ ଅଛି ସେଥିରେ ଚୀନ ଏକଘରିଆ। ଏତିକିବେଳେ ସେ ଭାରତ ଉପରେ ଆକ୍ରମଣ କଲେ ସମଗ୍ର ପୃଥିବୀର ଜନମତ, ସମର୍ଥନ ଓ ସହଯୋଗ ନୂଆଦିଲ୍ଲୀ ସପକ୍ଷରେ ରହିବ। ତେଣୁ ଚୀନ ଯଦି ଭାବୁଥାଏ ଯେ ଯୁଦ୍ଧ ବାଣିଜ୍ୟ ବୃଦ୍ଧି ଓ ଅର୍ଥଲାଭର ଏକ ମାଧ୍ୟମ,ତାକୁ ମନେରଖିବାକୁ ହେବ ଯେ ଆଧୁନିକ ବିଶ୍ବ ସେ ଦର୍ଶନକୁ କେବେଠୁ ପରିହାର କରିସାରିଛି। ଚୀନ ଓଷୁଅ ବିକଳରେ ତା’ର ତାଟିଆ କାମୁଡ଼ା ନୀତି ବନ୍ଦ କରୁ।

Hot this week

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

Related Articles

Popular Categories