www.samajalive.in
Monday, December 8, 2025
27.1 C
Bhubaneswar

ରାଜନୈତିକ ଦଳଙ୍କ ପ୍ରତିଶ୍ରୁତି ; ଦଳୀୟ ଇସ୍ତାହାରରେ ସ୍ଥାନ ପାଇବ ଶିଶୁ ସମସ୍ୟା

ଭୁବନେଶ୍ୱର : ରାଜନୈତିକ ଦଳଗୁଡ଼ିକଙ୍କ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇବ ଶିଶୁମାନଙ୍କ ସମସ୍ୟା। ଇସ୍ତାହାର ପ୍ରସ୍ତୁତ ବେଳେ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରସଙ୍ଗକୁ ଯେଭଳି ଅଗ୍ରାଧିକାର ଦିଆଯିବ ସେଥିନେଇ ସେମାନେ ଉଦ୍ୟମ କରିବେ ବୋଲି ରାଜନୈତିକ ଦଳମାନେ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଶିଶୁ ପ୍ରତିନିଧିମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ୩୦ ଦଫା ଦାବି ସମ୍ବଳିତ ଇସ୍ତାହାର ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ପ୍ରଦାନ କରିଛନ୍ତି।
ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହିତ ଶିଶୁମାନଙ୍କ ମତ ବିନିମୟ କାର୍ଯ୍ୟକ୍ରମ ‘ନିର୍ବାଚନ ୨୦୧୯: ରାଜନୈତିକ ଦଳମାନଙ୍କ ନିର୍ବାଚନୀ ଇସ୍ତାହାରରେ ଶିଶୁମାନଙ୍କୁ ଅଗ୍ରାଧିକାର’ରେ ଯୋଗଦେଇ ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ସୁଲତା ଦେଓ କହିଥିଲେ ଯେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ଇସ୍ତାହାରରେ ଗଠନମୂଳକ ଦୃଷ୍ଟିଭଙ୍ଗୀ ରହିଛି। ସେସବୁକୁ ସେ ତାଙ୍କ ଦଳ ଇସ୍ତାହାର କମିଟିକୁ ପ୍ରଦାନ କରିବେ। ତେବେ ଶିଶୁମାନଙ୍କ ପାଇଁ ପୂର୍ବରୁ ତାଙ୍କ ସରକାର ଅନେକ ଯୋଜନା କରିଛନ୍ତି। ଏସବୁର ବାସ୍ତବ କାର୍ଯ୍ୟକାରିତା ନେଇ ସମସ୍ତେ ସଚେତନ ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ନେଇ ଶିଶୁଙ୍କ ଦ୍ବରା ପ୍ରସ୍ତୁତ ଇସ୍ତାହାର ସ୍ୱାଗତଯୋଗ୍ୟ। ଏଥିରୁ ଅଧିକାଂଶ ତାଙ୍କ ଦଳର ଇସ୍ତାହାରରେ ପ୍ରତିଫଳିତ ହେବ ବୋଲି ସେ କହିଥିଲେ। ବିଜେପିର ରାଜ୍ୟ ଉପସଭାନେତ୍ରୀ ତଥା ଇସ୍ତାହାର କମିଟି ସଦସ୍ୟା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଥିଲେ ଯେ ଓଡ଼ିଶାରେ ଶିଶୁମାନେ କୁପୋଷଣର ସମ୍ମୁଖୀନ ହେଉଛନ୍ତି। ଛାତ୍ରୀଙ୍କ ନିରାପତ୍ତା ନେଇ ପ୍ରଶ୍ନ ଉଠୁଛି। ଏସବୁର ସମାଧାନ ପାଇଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଇସ୍ତାହାରକୁ ଗୁରୁତ୍ୱ ଦେବା ସହିତ ଶିଶୁମାନଙ୍କ ଅଧିକାର କିପରି ସୁରକ୍ଷିତ ରହିବ ଏବଂ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇବ ସେଥିନିମନ୍ତେ ଚେଷ୍ଟା କରିବେ ବୋଲି କହିଥିଲେ। ସିପିଆଇ ପକ୍ଷରୁ ଜୟନ୍ତ ଦାସ ଶିଶୁମାନଙ୍କ ଭିତରେ ଅସମାନନତା ଦୂର କରିବା ଉପରେ ମତ ରଖିଥିଲେ। ସିପିଆଇ(ଏମ) ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ଆର୍ଥିକ ଦୁରବସ୍ଥା ଭିତରେ ରହୁଥିବା ଶିଶୁ ଅଧାରୁ ପାଠ ଛାଡ଼ୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ଶିଶୁଙ୍କ ଦ୍ୱାରା ପ୍ରସ୍ତୁତ ଇସ୍ତାହାର ତାଙ୍କ ଦଳର ଇସ୍ତାହାରରେ ସ୍ଥାନ ପାଇବ ବୋଲି ଭରସା ଦେଇଥିଲେ। ବିଏସପିର ସୁଦର୍ଶନ ପ୍ରଧାନ ଶିଶୁଙ୍କ ଇସ୍ତାହାରକୁ ସମର୍ଥନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଶା ଆଲିଆନ୍ସ ଫର ଚାଇଲ୍ଡ ରାଇଟ୍ସ(ଓଏସିଆର)ର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଜାତୀୟ ତଥା ରାଜ୍ୟ ସ୍ତରରେ ସବୁ ରାଜନୈତିକ ଦଳ ଅଗ୍ରାଧିକାର ଭିତ୍ତିରେ ନିର୍ବାଚନ ଇସ୍ତାହାରରେ ଶିଶୁମାନଙ୍କ ସମସ୍ୟାକୁ ସ୍ଥାନ ଦେବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ।
ଶିଶୁ ପ୍ରତିନିଧି ସ୍ନିଗ୍ଧା, ଦିଲୀପ, ଶଶୀ, ବର୍ଷାରାଣୀ, ଡ଼ୋଲି, ଇନ୍ଦ୍ରମଣି, ଅହଲ୍ୟା, ପ୍ରୀତି, ଯଦୁମଣୀ, ସୂର୍ଯ୍ୟ, ଲିପ୍ସା ସାରିପିଲି, ପ୍ରୀତିମୟୀ, ଜ୍ୟୋତିର୍ମୟୀ, ସୁମତି, ଭାସ୍କର ପ୍ରମୁଖ ଶିଶୁ ପ୍ରତିନିଧି ଡାକ୍ତରଖାନା ଓ ଗ୍ରାମ ପଞ୍ଚାୟତ ଅଫିସରେ ଜନ୍ମ ପଞ୍ଜୀକରଣ, ୧୮ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଶିକ୍ଷା ବାଧ୍ୟତାମୂଳକ କରିବା, ସବୁ ପିଲାଙ୍କୁ ମାଗଣା ଚିକିତ୍ସା, ଭିନ୍ନକ୍ଷମଙ୍କ ପାଇଁ ପାଇଖାନା ସମେତ ସବୁ ବିଦ୍ୟାଳୟକୁ ପାନୀୟ ଜଳ,ଶୌଚାଳୟ, ଶିଶୁ ଓ ପରିବାର ପାଇଁ ନିରାପଦ ବାସଗୃହ, ପରିଚାଳନା କମିଟିରେ ଭିନ୍ନକ୍ଷମ ଶିଶୁଙ୍କ ସମେତ ତିନି ଜଣ ଶିଶୁଙ୍କୁ ସଦସ୍ୟଭୁକ୍ତ କରିବା, ମଧ୍ୟାହ୍ନଭୋଜନରେ ଜୈବିକ ଖାଦ୍ୟ, ବିଷୟ ଅନୁଯାୟୀ ଶିକ୍ଷକ, ସବୁ ପିଲାଙ୍କ ପାଇଁ ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା, ୧୮ ବର୍ଷ ପର୍ଯ୍ୟନ୍ତ ଶ୍ରମରେ ନିୟୋଜନ ନକରିବା, ବିଦ୍ୟାଳରେ ସୁରକ୍ଷା, ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଆଦି ୩୦ଟି ଦାବି ନେଇ ପ୍ରସ୍ତୁତ ଇସ୍ତାହାର ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ପ୍ରଦାନ କରିଥିଲେ।
ଓଏସିଆର ସହିତ ଆଡ଼ପ୍ସନସ ସେଣ୍ଟ୍ରମ, ବିଜିଭିଏସ, ସିୱାଇଏସଡ଼ି, ଏନଏସିଜି-ଇଭାକ ଓଡ଼ିଶା, ଓଏଲଏସ, ପିକକ୍, ପ୍ଲାନ ଇଣ୍ଡିଆ, ରେଆର, ସଂଯୋଗ, ୱାର୍ଲ୍ଡ ଭିଜନ, ୱାଇସିଡ଼ିଏ ପ୍ରମୁଖ ସଂସ୍ଥାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିୱାଇଏସଡ଼ି -ଓବାକ ପକ୍ଷରୁ ସୁରେନ୍ଦ୍ର କୁମାର ସାହୁ ଶିଶୁ ବଜେଟ ସଂକ୍ରାନ୍ତରେ ତଥ୍ୟ ରଖି କହିଥିଲେ, ପ୍ରତିବର୍ଷ ବଜେଟର ମାତ୍ର ୧୨ ଭାଗ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ ହେଉଛି। ଏପରିକି ପ୍ରାଥମିକ ଶିକ୍ଷାରେ ୭ରୁ ୮ପ୍ରତିଶତ ଖର୍ଚ୍ଚ ହେଉଛି ଯାହା ପିଲାଙ୍କ ପାଇଁ ଖୁବ୍‍ ନଗଣ୍ୟ। ରେଆର ପକ୍ଷରୁ ଗୌରୀଶ୍ୟାମ ପଣ୍ଡା, ଆଡ଼ପ୍ସନ ସେଣ୍ଟ୍ରମର ରୁବି ରାଉତ, ସଂଯୋଗ ପକ୍ଷରୁ ପ୍ରଶାନ୍ତ ପାଲଟାସିଂହ, ପିକକରୁ ଅନୁରାଧା ମହାନ୍ତି, ୱାର୍ଲଡ଼ ଭିଜନରୁ ଅନଙ୍ଗ ଦେବ ସିଂହ, ଓଏଲଏସର ପ୍ରକାଶ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଓଏସିଆର କାର୍ଯ୍ୟକାରୀ କମିଟି ସଦସ୍ୟ ମହେଶ ଛାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories