ଚାନ୍ଦିପୁଟ : ଗାଁର ମୌଳିକ ସମସ୍ୟା ସମାଧାନ ନ ହେବାରୁ ଗାଁ ମଣ୍ଡପରେ ଲାଗିଛି ଭୋଟ ବର୍ଜନର ପୋଷ୍ଟର। ଆଗମୀ ନିର୍ବାଚନରେ ଭୋଟ୍ ନ ଦେବା ପାଇଁ ଚେତାବନୀ ଦେଇଛନ୍ତି ଗାଁ ଲୋକେ । ଏଭଳି ଗାଁ ହେଉଛି ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ଥିବା ମୋହନା ବ୍ଳକ ଅନ୍ତର୍ଗତ ମାଣିକପୁର ଗ୍ରାମପଞ୍ଚାୟତର ଦୁଇଟି ରାଜସ୍ବ ଗ୍ରାମ ବାଲିଗଣ୍ଡା ଓ କାମରାଖାଳି ଗାଁ । ଦୀର୍ଘ ୨୦୦ ବର୍ଷରୁ ଅଧିକ ହେବ ଏହି ଦୁଇଟି ଗାଁରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଘର ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା, ପାନୀୟଜଳ ଓ ବିଦ୍ୟୁତ ସାତ ସପନ ପାଲଟିଛି ।
ଗାଁରେ ବିଦ୍ୟାଳୟ ରହିଛି କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ଗୋଟିଏ ଶ୍ରେଣୀ ଗୃହ ରେ ପାଠ ପଢ଼ୁଛନ୍ତି। ବର୍ଷ ବର୍ଷ ଧରି ବିଭିନ୍ନ ମୈଳିକ ସୁବିଧା ରୁ ବଞ୍ଚିତ ରହୁଥିବା ଗ୍ରାମବାସୀ ବାରମ୍ଵାର ବିଡ଼ିଓ, ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଧାୟକ ଙ୍କ ସମେତ ବହୁ ନେତା ମନ୍ତ୍ରୀ ଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଆସିଥିଲେ ହେଲେ କୌଣସି ସୁଫଳ ମିଳିନାହିଁ । ଏବଂ ନିର୍ବାଚନ ଆସିଲେ ଭୋଟ ହାତେଇବା ପାଇଁ ମିଥ୍ୟା ପ୍ରତିଶୃତି ଦେଇ ମନ ଭୁଲାଇ ଦେଉଛନ୍ତି ନେତାଏଁ । ଯାହା ଫଳରେ ଏହି ଦୁଇଟି ଗ୍ରାମବାସୀ ଚଳିତ ଥର ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି।
ଯଦି କେହି ଅଧିକାରୀ ହୁଅନ୍ତୁ କିମ୍ୱା ରାଜନେତା ଗାଁ କୁ ଭୋଟ ଭିକ୍ଷା ପାଇଁ ଆସନ୍ତି ତାହା ହେଲେ ଗାଁ ର ମହିଳା ମାନେ କାତି ଟାଙ୍ଗିଆ ଧରି ରହିବୁ ଗାଁ ରେ କାହାକୁ ପୁରାଇ ନ ଦେବାକୁ ଚେତାବନୀ ଦେଇଛନ୍ତି ଗାଁ ର ସୀତା ପାଇକ , ଦୁଇତା କାର୍ଜୀ , ନୀଳକଣ୍ଠ ପାଇକ, ବିର ଦଳାଇ , ଟୁନୀ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ । ଅପରପକ୍ଷରେ ବାଲିଗଣ୍ଡା ଓ କାମରାଖାଳି ଉଭୟ ଗ୍ରାମଟି ଲକ୍ଷାରୀ ଅଭୟାରଣ୍ୟ ପରିସିମାରେ ଅବସ୍ଥିତ ଥିବା ହେତୁ ଗାଁ ର ସାମୂହିକ ବିକାଶରେ ବନବିଭାଗ ର ଲକ୍ଷ୍ମଣରେଖା ( ଜାତୀୟ ବନ ସଂରକ୍ଷଣ ଆଇନ) ବାଧକ ସାଜିଛି ।
ଯାହା ସଂପୁର୍ଣ୍ଣ ଭାବେ ବନ ବିଭାଗ ଅଧିନ ରେ ରହିଛି । ଗ୍ରାମବାସୀ ସମସ୍ୟା ଓ ଭୋଟ ବର୍ଜ୍ଜନ ନିଷ୍ପତି ସଂପର୍କରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦଙ୍କୁ କୁ ପଚାରିବାରେ ପକ୍କା ରାସ୍ତା ଓ ବିଦ୍ୟୁତ ଯୋଗଣ ପାଇଁ ଗ୍ରାମବାସୀମାନେ ବନଖଣ୍ଡ କାର୍ଯ୍ୟାଳୟ ରେ ଜଣାଇଥିଲେ , ଉକ୍ତ ବିଷୟ ଉପରେ ବିଚାର କରିବା ପାଇଁ ଜିଲ୍ଲାପାଳ ଗଜପତିଙ୍କୁ ଜଣାଇ ଦିଆଯାଇଛି । ବିଦ୍ୟୁତ୍ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଉନ୍ନୟନ ମୂଳକ କାମ କରିପାରିବେ କିନ୍ତୁ କରିବା ପୂର୍ବରୁ ବନ ବିଭାଗ ର ଅନୁମତି ନେବା ଆବଶ୍ୟକ ବୋଲି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ କହିଛନ୍ତି।



