ଭୁବନେଶ୍ବର: କେନ୍ଦ୍ରର ୭ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟର ୪ଟି ଜିଲାରେ ବୁଲି ବାତ୍ୟା ବୁଲ୍ବୁଲ୍ର କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଏହି ପ୍ରତିନିଧି ଦଳ ଦୁଇ ଭାଗ ହୋଇ ସ୍ଥିତି ସମୀକ୍ଷା କରିବେ। ଗୋଟିଏ ଦଳ ପୂର୍ବାହ୍ନରେ ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଏହା ପରେ ଅପରାହ୍ନରେ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକରେ ପହଞ୍ଚି ବାତ୍ୟା ବୁଲ୍ବୁଲ୍ର କ୍ଷୟକ୍ଷତି ଆକଳନ କରିବେ। ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ଲୋକଙ୍କ ଘର ଦ୍ବାର ଭାଙ୍ଗି ପଡିଥିବା ବେଳେ ଚାଷ ଜମି ନଷ୍ଟ ହୋଇଥିବା ନେଇ କେନ୍ଦ୍ରୀୟ ଦଳ ଆକଳନ କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ବରେ ଏହି ଦଳ ସମୀକ୍ଷା କରିବେ। ସେହିପରି ଅନ୍ୟ ଏକ ଦଳ ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଏବଂ ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ/ଏରସମା ବ୍ଲକରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବେ ବୋଲି ସୂଚନା ମିଳିଛି। ସ୍ଥିତି ସମୀକ୍ଷା ପରେ ସନ୍ଧ୍ୟାରେ ଲୋକସେବା ଭବନରେ ପ୍ରତିନିଧି ଦଳ ପହଞ୍ଚି ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ଆଲୋଚନା କରିବେ। ପରେ ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ଦଳ ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି।
Popular Categories



